ନୂଆଦିଲ୍ଲୀ: ଶନିବାର ଆମେରିକା ସରକାର ଏବଂ ତାଲିବାନ ମଧ୍ୟରେ ଶାନ୍ତି ଚୁକ୍ତି ସ୍ବାକ୍ଷର ହେବ। ଏଥିରେ ଅସ୍ତ୍ରବିରତି ଉଲ୍ଲଂଘନ ଏବଂ ଆସନ୍ତା ୧୮ ମାସ ମଧ୍ୟରେ ଆଫଗାନିସ୍ତାନରୁ ଆମେରିକା ସେନା ପ୍ରତ୍ୟାହାର ଆଦି ପ୍ରସଙ୍ଗ ରହିଛି। ତେବେ ଦୋହାରେ ହେବାକୁ ଥିବା ଏହି ଚୁକ୍ତି ପ୍ରକ୍ରିୟାରେ ଭାରତ ସାମିଲ ହେବ । କାତାରରେ ଭାରତର ରାଷ୍ଟ୍ରଦୂତ ଏଥିରେ ଯୋଗ ଦେବେ ବୋଲି ଜଣା ପଡିଛି ।
ଏହି ଚୁକ୍ତି ପ୍ରକ୍ରିୟାରେ ଯୋଗ ଦେବାକୁ କ୍ବାତାର ସରକାର ଭାରତକୁ ଆମନ୍ତ୍ରିତ କରିଥିଲେ । ଭାରତ ମଧ୍ୟ ଏବେ ଆଫଗାନିସ୍ତାନ ଏବଂ ତାଲିବାନକୁ ନେଇ ନିଜର ରଣନୀତିରେ ବଡ ପରିବର୍ତ୍ତନ ଆଣିବାକୁ ପ୍ରସ୍ତୁତ ହେଉଛି । ଆମେରିକା-ତାଲିବାନ ଶାନ୍ତି ଚୁକ୍ତି ପ୍ରକ୍ରିୟାରେ ଯୋଗ ଦେବାକୁ ନିଜ ରାଷ୍ଟ୍ରଦୂତଙ୍କୁ ପଠାଇବାର ନିଷ୍ପତ୍ତି ନେଇଛି ଭାରତ । ଏଥିରେ ସାମିଲ ହେବାକୁ କାତାରରେ ଭାରତର ରାଷ୍ଟ୍ରଦୂତ ପି କୁମାରନଙ୍କୁ ପଠାଇବ ବୋଲି ଜଣାପଡିଛି । ତେବେ ଭାରତ ପ୍ରଥମ ଥର ପାଇଁ ତାଲିବାନ ସହିତ ଜଡିତ ଏକ କାର୍ଯ୍ୟକ୍ରମରେ ଆନୁଷ୍ଠାନିକ ଭାବେ ଯୋଗଦେବ।
ଆଫଗାନିସ୍ତାନରେ ଶାନ୍ତି ଏବଂ ପୁନଃ ନିର୍ମାଣ ପ୍ରକ୍ରିୟାରେ ଭାରତର ପ୍ରମୁଖ ଭୂମିକା ରହିଛି । ନଭେମ୍ବର 2018 ରେ ଆଫଗାନିସ୍ତାନ ଶାନ୍ତି ପ୍ରକ୍ରିୟା ଉପରେ ଆଲୋଚନା ପାଇଁ ଭାରତ ଦୁଇ ପୂର୍ବତନ କୂଟନୀତିଜ୍ଞଙ୍କୁ "ଅଣ-ସରକାରୀ" କ୍ଷମତାରେ ମସ୍କୋ ପଠାଇଥିଲା। ଋଷିଆ ଦ୍ବାରା ଆୟୋଜିତ ଏହି ସମ୍ମିଳନୀରେ ଏକ ଉଚ୍ଚ ସ୍ତରୀୟ ତାଲିବାନ ପ୍ରତିନିଧି, ଆଫଗାନିସ୍ତାନର ପ୍ରତିନିଧି ତଥା ଆମେରିକା, ପାକିସ୍ତାନ ଏବଂ ଚୀନ୍ ସମେତ ଅନ୍ୟାନ୍ୟ ଦେଶ ମଧ୍ୟ ଯୋଗ ଦେଇଥିଲେ।
ସୂଚନାଯୋଗ୍ୟ ଯେ, ଏହି ଚୁକ୍ତି ଆଫଗାନିସ୍ତାନରୁ ଆମେରିକାର ସୈନ୍ୟ ପ୍ରତ୍ୟାହାର ପାଇଁ ଅନୁମତି ଦେବ। 2001 ମସିହାରୁ ଆଜି ପର୍ଯ୍ୟନ୍ତ ଆମେରିକା ଆଫଗାନିସ୍ତାନରେ ନିଜର 2,400 ରୁ ଅଧିକ ସୈନିକଙ୍କୁ ହରାଇଛି ।
@PTI