ନୂଆଦିଲ୍ଲୀ: ଜାତିସଂଘରେ ଭାରତକୁ ଆଉ ଏକ ସଫଳତା ମିଳିଛି । ଜାତିସଂଘ ସୁରକ୍ଷା ପରିଷଦର ଅସ୍ଥାୟୀ ସଦସ୍ୟ ପାଇଁ ହୋଇଥିବା ନିର୍ବାଚନରେ ଭାରତ ବାଜିମାତ୍ କରିଛି । 193 ସଦସ୍ୟ ଥିବା ସାଧାରଣ ପରିଷଦରେ ଭାରତକୁ 184 ଭୋଟ ମିଳିଛି । ଫଳରେ ବୁଧବାର ନିର୍ଦ୍ବନ୍ଦ୍ବରେ ଭାରତ ନିର୍ବାଚିତ ହୋଇଛି ।
2021-22ର ଅସ୍ଥାୟୀ ସଦସ୍ୟ ପାଇଁ 15 ଆସନ ବିଶିଷ୍ଟ ପରିଷଦରେ ଭାରତ ନିଜ ସଦସ୍ୟତା ପକ୍କା କରିଛି । ଜାତିସଂଘର 75 ତମ ବୈଠକରେ ହୋଇଥିବା ଏହି ନିର୍ବାଚନ ହୋଇଥିଲା । କୋଭିଡ୍ ନିୟମକୁ ପାଳନ କରି ଏହି ନିର୍ବାଚନ ପରିଚାଳନା କରାଯାଇଥିଲା ।
ଭାରତ ନିର୍ବାଚିତ ହୋଇଥିବା ନେଇ ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧି ଥିବା ଟିଏସ ତିରୁମୂର୍ତ୍ତୀ ସୂଚନା ଦେଇଛନ୍ତି । ଏହି ଅବସରରେ ସେ କହିଛନ୍ତି,‘ମୁଁ ବହୁତ ଖୁସି ଯେ, ଭାରତ 2021-22 ପାଇଁ ଜାତିସଂଘ ସୁରକ୍ଷା ପରିଷଦର ଅସ୍ଥାୟୀ ସଦସ୍ୟତା ପାଇଛି ।’
ସେହିପରି ଆମେ ନିର୍ବାଚନ ସମୟରେ ଭଲ ସମର୍ଥନ ପାଇଛୁ । ଏହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଶ୍ବସ୍ତରୀୟ ନେତୃତ୍ବ, ବିଶେଷକରି ଏହି କୋଭିଡ୍ ସମୟ ଓ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରଙ୍କ ଦୃଢ କାର୍ଯ୍ୟଦକ୍ଷତା ପାଇଁ ସମ୍ଭବ ହୋଇଛି ବୋଲି ସେ କହିଛନ୍ତି ।
ସେପଟେ ଭାରତ ସହିତ ଆୟର୍ଲାଣ୍ଡ, ମେକ୍ସିକୋ ଓ ନରୱେ ମଧ୍ୟ ଅସ୍ଥାୟୀ ସଦସ୍ୟ ପାଇଁ ନିର୍ବାଚିତ ହୋଇଛନ୍ତି । ନରୱେ 130 ଭୋଟ ପାଇଥିବାବେଳେ ଆୟର୍ଲାଣ୍ଡ 128 ଭୋଟ ପାଇ ନିର୍ବାଚିତ ହୋଇଛନ୍ତି । ସେହିପରି ମେକ୍ସିକୋ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛି । ଅନ୍ୟପଟେ କାନାଡା 108 ଭୋଟ ପାଇ ହାରି ଯାଇଛି । ଏହି ନୂଆ ଅସ୍ଥାୟୀ ସଦସ୍ୟଙ୍କ କାର୍ଯ୍ୟକାଳ 2021 ଜାନୁଆରୀ 1 ତାରିଖରୁ ଆରମ୍ଭ ହେବ ।
ତେବେ ଭାରତର ଏହି ସଫଳତା ପାଇଁ ଆମେରିକା ଭାରତକୁ ଅଭିନନ୍ଦନ ଜଣାଇଛି । ଆମେ ଭାରତକୁ ସୁସ୍ବାଗତମ କରୁଛୁ ଏବଂ ଭାରତକୁ ଏହି ସଫଳତା ପାଇଁ ଶୁଭେଚ୍ଛା ଜଣାଉଛୁ ବୋଲି ଆମେରିକା ପକ୍ଷରୁ କୁହାଯାଉଛି ।
ଭାରତ ପୂର୍ବରୁ 1950-1951, 1967-1968, 1972-1973, 1977-1978, 1984-1985, 1991-1992 ଓ 2011-2012 ମସିହାରେ ଅସ୍ଥାୟୀ ସଦସ୍ୟ ହୋଇଥିଲା ।
ସୂଚନାଥାଉକି, 15 ସଦସ୍ୟ ବିଶିଷ୍ଟ ସୁରକ୍ଷା ପରିଷଦର 5 ସ୍ଥାୟୀ ସଦସ୍ୟ ରହିଛନ୍ତି । ଅନ୍ୟ 10 ପାଇଁ ଦୁଇ ବର୍ଷକୁ ଥରେ ନିର୍ବାଚିତ ଅନୁଷ୍ଠିତ ହୁଏ । ଜାତିସଂଘ ସୁରକ୍ଷା ପରିଷଦରେ ଫ୍ରାନ୍ସ, ବ୍ରିଟେନ, ଆମେରିକା, ରୁଷିଆ ଓ ଚୀନ ସ୍ଥାୟୀ ସଦସ୍ୟ ରହିଛନ୍ତି ।
@ANI