ବିଶ୍ବର ପ୍ରାୟ ସବୁ ଦେଶ କୋଭିଡ-19 ସଂକଟରୁ ନିଜ ନାଗରିକଙ୍କ ସୁରକ୍ଷା ପାଇଁ କଠିନ ପରିଶ୍ରମ କରୁଛନ୍ତି । କୋରୋନା ମହାମାରୀ ଏ ଯାଏଁ ବିଶ୍ବବ୍ୟାପୀ 1 ଲକ୍ଷ 12 ହଜାରରୁ ଅଧିକ ଲୋକଙ୍କ ମୁଣ୍ଡ ନେଇସାରିଲାଣି । 18 ଲକ୍ଷରୁ ଅଧିକ ଲୋକେ ସଂକ୍ରମିତ ହୋଇଛନ୍ତି । ମହାମାରୀ ବ୍ୟାପିବା ପରେ ଲକଡାଉନ ଘୋଷଣା କରିଥିବା ପ୍ରଥମ ଦେଶଗୁଡିକ ମଧ୍ୟରୁ ଭାରତ ଥିଲା ଅନ୍ୟତମ । ତିନି ସପ୍ତାହ ଲକଡାଉନ ମଧ୍ୟରେ 8 ଲକ୍ଷ 20 ହଜାରରୁ ଲୋକଙ୍କ ଜୀବନ ବଞ୍ଚାଯାଇପାରିଛି ବୋଲି କେନ୍ଦ୍ର ସରକାର ଦାବି କରିଛନ୍ତି । ସଂକ୍ରମଣ ହ୍ରାସ ପାଇଁ ଏବେ ସରକାର ଦେଇଛନ୍ତି ଆଉ ଏକ ପ୍ରସ୍ତାବ ।
କୋରୋନା ଭାଇରସ ଯେପରି ନ ବ୍ୟାପେ, ସେଥିପାଇଁ ଓ ସବ ର୍ସାଧାରଣ ସ୍ଥାନରେ ତମାଖୁ ସେବନ ନିଷେଧ କରିବାକୁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ସବୁ ରାଜ୍ୟକୁ ନିର୍ଦ୍ଦେଶ ଦେଇଛି । ବିହାର, ଝାଡଖଣ୍ଡ, ତେଲେଙ୍ଗାନା, ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ମହାରାଷ୍ଟ୍ର, ହରିୟାଣା, ନାଗାଲାଣ୍ଡ ଓ ଆସାମ କେନ୍ଦ୍ରର ନିର୍ଦ୍ଦେଶନାମା କାଯ୍ୟର୍କାରୀ କରିସାରିଛନ୍ତି । ବାକି ରାଜ୍ୟମାନେ ମଧ ଟବାକୋ ନିଷିଦ୍ଧ କରିବାକୁ କହିଛି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ। ଦି ଗ୍ଲୋବାଲ ଆଡଲ୍ଟ ଟୋବାକୋ ସର୍ଭେର ରିପୋର୍ଟ ଅନୁସାରେ ୟୁପିର 24 କୋଟି ଜନସଂଖ୍ୟାରୁ 5 କୋଟି 30 ହଜାର ଲୋକ କିଛି ନା କିଛି ପ୍ରକାର ତମାଖୁ ସେବନ କରନ୍ତି । ଟାଟା ଇନଷ୍ଟିଚ୍ୟୁଟ୍ ଅଫ୍ ସୋସିଆଲ ସାଇନ୍ସର ଏକ ଅଧ୍ୟୟନ ଅନୁସାରେ ସିଗାରେଟ ଓ ବିଡି ସେବନରେ ହ୍ରାସ ହୋଇଛି । କିନ୍ତୁ ଖଇନି ( 16.9 ପ୍ରତିଶତ), ଗୁଟଖା ( 11.5 ପ୍ରତିଶତ ), ସୁପାରି ( 10.2 ପ୍ରତିଶତ ) ଓ ପାନ ମସାଲା ( 7.2 ପ୍ରତିଶତ ) ସେବନ ବୃଦ୍ଧି ହୋଇଛି ।
ଚୋବାଇ ହେଉଥିବା ଟୋବାକୋ ସାମଗ୍ରୀ ବିଭିନ୍ନ କର୍କଟ ରୋଗର କାରଣ ହୋଇଥାଏ । ନିଃସନ୍ଦେହରେ ତମାଖୁ ସେବନ କରୁଥିବା ଲୋକଙ୍କ ମଧ୍ୟରେ କୋଭିଡ-19 ଆକ୍ରମଣ ସମ୍ଭାବନା ଅଧିକ । କୋଭିଡ-19 ରୋଗୀଙ୍କୁ ନେଇ କରାଯାଇଥିବା ଏକ ଅଧ୍ୟୟନରୁ ଜଣାପଡିଛି ଯେ, ଧୂମପାନ କରୁଥିବା ଲୋକେ ନିମୋନିଆରେ ଆକ୍ରାନ୍ତ ହେବ ସମ୍ଭାବନା 14 ପ୍ରତିଶତ ରହିଛି । ଏ ଦୃଷ୍ଟିରୁ ଆମର ନୀତି ନିଦ୍ଧାରକମାନେ ତମାଖୁ ସେବନ ଉପରେ ସମ୍ପୂର୍ଣ୍ଣ ନିଷେଧାଦେଶ ଜାରି କରିବା ଦରକାର । ଜନସ୍ବାସ୍ଥ୍ୟ ବାବଦରେ ଦାୟିତ୍ବବୋଧ ନେଇ 15 ବର୍ଷ ତଳେ ସୁପ୍ରିମକୋର୍ଟ ସରକାରଙ୍କୁ ମନେ ପକାଇ ଦେଇଥିଲେ । କିନ୍ତୁ ଟିକସ ପାଇଁ ତମାଖୁ ଓ ମଦ ଉପରେ ଆବଶ୍ୟକଠାରୁ ଅଧିକ ନର୍ଭରଶୀଳ ହେଉଥିବା ସରକାର ନାଗରିକଙ୍କ ମୂଲ୍ୟବାନ ଜୀବନ ରକ୍ଷା ପାଇଁ ନିଜ ଦାୟିତ୍ବରୁ ଓହରି ପାରିବେ ନାହିଁ ।
କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ଅନୁସାରେ ଦେଶରେ ବାର୍ଷିକ 85 ହଜାର ପୁରୁଷ ଓ 35 ହଜାର ମହିଳା ମୁଖ କର୍କଟ ରୋଗରେ ପୀଡିତ ହୁଅନ୍ତି । ଏମାନଙ୍କ ମଧ୍ୟରୁ 90 ପ୍ରତିଶତ ଲୋକେ ତମାଖୁ ସେବନ କରିଥାନ୍ତି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ସରକାର ଚୋବାଇ ହେଉଥିବା ତମାଖୁ ଉତ୍ପାଦ ଯେପରିକି ଖଇନି, ଜର୍ଦ୍ଦା ଓ ଗୁଟଖା ବ୍ୟାନ କରିଥିଲେ । କିନ୍ତୁ ଏହି ବ୍ୟାନ କେବଳ କାଗଜପତ୍ରରେ ସୀମିତ ରହିବାରୁ 2016ରେ ସୁପ୍ରିମକୋର୍ଟ ସରକାରମାନଙ୍କୁ ଜନସ୍ବାସ୍ଥ୍ୟ ସୁରକ୍ଷାର ଗୁରୁତ୍ବ ବାବଦରେ ପୁଣି ଥରେ ମନେ ପକାଇଥିଲେ ।
ଆଶ୍ଚର୍ଯ୍ୟ କଥା ଏବେ ଚାଲିଥିବା ଲକଡାଉନରେ ମଧ୍ୟ ଲୋକଙ୍କ ନିଶା ଅଭ୍ୟାସ ଛାଡି ନାହିଁ । ବରଂ ତମାଖୁ ସେବନ ବଢିଛି । ଏପରିକି ଲୋକେ ଡ୍ରୋନ ଜରିଆରେ ତମାଖୁ ଅର୍ଡର କରୁଛନ୍ତି । ବର୍ତ୍ତମାନ କାନପୁର ଗୁଟଖା ଯୋଗାଣର କେନ୍ଦ୍ରସ୍ଥଳ ପାଲଟିଛି । 100 ରୁ ଅଧିକ ବ୍ରାଣ୍ଡର ଗୁଟଖା ଅନ୍ୟ ରାଜ୍ୟକୁ ଚାଲାଣ ହେଉଛି । ତମାଖୁ ସେବନକାରୀ ଓ ଧୂମପାନକାରୀମାନେ ଟିବି ଓ ନିମୋନିଆରେ ପୀଡିତ ହୋଇଥାନ୍ତି । ଯଦି ସେମାନେ କୋଭିଡ-19 ସଂସ୍ପର୍ଶରେ ଆସନ୍ତି, ତାହେଲେ ତ ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ଆହୁରି ବିଗିଡିବା ଆଶଙ୍କା ରହିଛି । ଏଭଳି ସ୍ବାସ୍ଥ୍ୟ ସଂକଟରୁ ମୁକୁଳିବା ପାଇଁ ଲକଡାଉନ ପିରିୟଡରେ ତମାଖୁ ସେବନ ଅସ୍ଥାୟୀ ଭାବେ ବ୍ୟାନ କରିବା ସହ ତମାଖୁ ଉତ୍ପାଦନ ବି ବନ୍ଦ କରିବା ଦରକାର । ଅନ୍ୟ ଫସଲ ଚାଷ ପାଇଁ ତମାଖୁ ଚାଷୀମାନଙ୍କୁ ଉତ୍ସାହିତ କଲେ ହିଁ ଆମେ ଆଶ୍ବସ୍ତ ହୋଇପାରିବା ।