ପ୍ୟାରିସ: ନିକଟରେ ଫ୍ରାନ୍ସରେ ଶେଷ ହୋଇଥିବା ଜି୭ ସମ୍ମିଳନୀରେ ପ୍ୟାରିସ ଜଳବାୟୁ ଚୁକ୍ତିକୁ ଅନେକ ଗୁରୁତ୍ବ ଦିଆଯାଇଛି । ସମ୍ମିଳନୀରେ ଭାଗ ନେଇଥିବା ବିଭିନ୍ନ ଦେଶର ନେତା ଏହି ବିଷୟ ଉପରେ ଆୟୋଜିତ ସ୍ବତନ୍ତ୍ର ଆଲୋଚନାରେ ଭାଗ ନେଇଥିଲେ । ଏହାସହ ସମସ୍ତେ ଏହି ଚୁକ୍ତି ଅନୁସାରେ ନିଜ ନିଜ ରାଷ୍ଟ୍ରରେ କଣ ପଦକ୍ଷେପ ନେଉଛନ୍ତି ତାହା ବର୍ଣ୍ଣନା କରିଥିଲେ ।
ଏହି ଅବସରରେ ସମ୍ମିଳନୀରେ ସ୍ବତନ୍ତ୍ର ଅତିଥି ଭାବେ ଯୋଗ ଦେଇ ସୋମବାର ପ୍ରଧାନମନ୍ତ୍ରୀ ମୋଦି ଭାରତର ମତ ରଖିଥିଲେ । ଜଳବାୟୁ ପରିବର୍ତ୍ତନ ଏବଂ ପରିବେଶ ସୁରକ୍ଷା ସଂକ୍ରାନ୍ତରେ ବିଶ୍ବ ନେତାଙ୍କୁ ଭାରତର ଆଭିମୁଖ୍ୟ ସମ୍ପର୍କରେ ଅବଗତ କରିଥିଲେ । ଭାରତର ପ୍ଲାଷ୍ଟିକ ବର୍ଜନ ପଦକ୍ଷେପ ବିଷୟରେ ସେ ବିଶ୍ବକୁ ସୂଚନା ଦେଇଥିଲେ । ଏହାସହ ଆଗାମୀ ଦେଢ ବର୍ଷ ଭିତରେ ଭାରତ ପ୍ୟାରିସ ଜଳବାୟୁ ଚୁକ୍ତିର ସମସ୍ତ ସର୍ତ୍ତ ପୂରଣ କରିବ ବୋଲି ସେ କହିଛନ୍ତି ।
ଭାରତ ଏହି ପ୍ଲାଷ୍ଟିକ ବର୍ଜନ କରିବା ଦିଗରେ ବଡ ପଦକ୍ଷେପ ନେବାକୁ ଯାଉଛି । ଏହାକୁ ଏକ ଜନ ଆନ୍ଦୋଳନରେ ପରିଣତ କରି ପ୍ଲାଷ୍ଟିକ ବ୍ୟବହାର ନିଷିଦ୍ଧ କରାଯିବ ବୋଲି ମୋଦି କହିଛନ୍ତି । ସେହିପରି ପ୍ୟାରିସ ଜଳବାୟୁ ଚୁକ୍ତିର ସମସ୍ତ ଗୁରୁତ୍ବପୂର୍ଣ୍ଣ ସର୍ତ୍ତକୁ ପୂରଣ କରିବାକୁ ଭାରତ ଆଗାମୀ ଦେଢ ବର୍ଷର ଲକ୍ଷ୍ୟ ରଖିଛି । ବିଶ୍ବର ସମସ୍ତ ରାଷ୍ଟ୍ର ଏଦିଗ ପ୍ରତି ଦୃଷ୍ଟି ଦେଇ ତତ୍ପରତାର ସହ କାର୍ଯ୍ୟ କଲେ ପରିବେଶର ସୁରକ୍ଷା ଦିଗରେ ଏହି ବିଶାଳ ଯୋଜନା ସାକାର ହେବ ବୋଲି ମୋଦି ଆଶାପ୍ରକାଶ କରିଥିଲେ ।