ଅମରାବତୀ: ଲକଡାଉନର ପ୍ରଭାବ ଦେଶର ସବୁଠାରୁ ଧନୀ ମନ୍ଦିର ଉପରେ ମଧ୍ୟ ପଡିଛି । ଆନ୍ଧ୍ରପ୍ରଦେଶର ତିରୁପତି ବାଲାଜୀ ମନ୍ଦିରରେ କାର୍ଯ୍ୟରତ 1300 କଣ୍ଟ୍ରାକ୍ଟ କର୍ମଚାରୀଙ୍କୁ ବାହାର କରାଯାଇଛି । ତେବେ ଏହି କର୍ମଚାରୀଙ୍କ କଣ୍ଟ୍ରାକ୍ଟ 30 ଏପ୍ରିଲରେ ଶେଷ ହୋଇଥିବା ବେଳେ ମନ୍ଦିର ପ୍ରଶାସନ ସେମାନଙ୍କ କଣ୍ଟ୍ରାକ୍ଟକୁ ରିନ୍ୟୁ କରିବାକୁ ମନା ଦେଇଛନ୍ତି ।
ସୂଚନା ଅନୁଯାୟୀ, ତିରୁପତି ବାଲାଜୀ ପ୍ରବନ୍ଧକ କଣ୍ଟ୍ରାକ୍ଟ ଆଧାରରେ କାମ କରୁଥିବା 1300 କର୍ମଚାରୀଙ୍କୁ ମେ 1ରୁ କାମକୁ ଆସିବାକୁ ମନା କରିଛନ୍ତି । ମନ୍ଦିର ପ୍ରଶାସନ କହିବା ଅନୁଯାୟୀ, ଲକଡାଉନ କାରଣରୁ କାମ ବନ୍ଦ ଅଛି । ସେଥିପାଇଁ ଏହି 1300 କର୍ମଚାରୀଙ୍କୁ କଣ୍ଟ୍ରାକ୍ଟକୁ ରିନ୍ୟୁ କରାଯାଇନାହିଁ ।
ପ୍ରକାଶ ଥାଉକି, ତିରୁମାଲା ତିରୁପତି ଦେବସ୍ଥାନମ(ଟିଟିଡି) ଟ୍ରଷ୍ଟ ପକ୍ଷରୁତିନୋଟି ଗେଷ୍ଟହାଉସ କାର୍ଯ୍ୟକାରୀ ହୁଏ । ଯାହାର ନାମ ବିଷ୍ଣ ନିବାସମ, ଶ୍ରୀନିବାସମ ଏବଂ ମାଧବମ ଅଟେ । ବାହାର କରାଯାଇଥିବା 1300 କର୍ମଚାରୀ ଏହି ଗେଷ୍ଟହାଉସ ଗୁଡିକରେ ବହୁ ବର୍ଷ ଧରି କାମ କରିଆସୁଥିଲେ ।
ତିରୁପତି ବାଲାଜୀ ମନ୍ଦିର ଅଧକ୍ଷ ୱାଇ ବି ସୁବା ରେଡ୍ଡୀ କହିଛନ୍ତି, ଲକଡାଉନ କାରଣରୁ ସମସ୍ତ ଗେଷ୍ଟହାଉସ ବନ୍ଦ ଅଛି । ସେଥିପାଇଁ ଏହି କର୍ମଚାରୀଙ୍କ କଣ୍ଟ୍ରାକ୍ଟକୁ ରିନ୍ୟୁ କରାଯାଇନାହିଁ । ଏଥିସହ ରେଗୁଲାର କର୍ମଚାରୀଙ୍କୁ ମଧ୍ୟ ଏହା ମଧ୍ୟରେ କୌଣସି କାମ ଦିଆଯାଇନାହିଁ ।
ଏକ ରିପୋର୍ଟ ମୁତାବିକ, ଏହି ନିଷ୍ପତ୍ତି ଆଇନ ଅନୁଯାୟୀ ନିଆଯାଇଛି । କାମ ବନ୍ଦ କାରଣରୁ ଏହି ନିଷ୍ପତି ନେବାକୁ ପଡିଲା ବୋଲି ଟିଟିଡି ଟ୍ରଷ୍ଟର ପ୍ରବକ୍ତା ଟି ରବି କହିଛନ୍ତି ।