ସାରା ବିଶ୍ବରେ ବହୁ ମାନବ ଜୀବନ ଏବଂ ଅର୍ଥନୈତିକ ହାନି ସମ୍ବଳିତ ଏକ ଅସାଧାରଣ ସ୍ବାସ୍ଥ୍ୟ ସଂକଟ ଲାଗି ରହିଥିବାବେଳେ ଦରିଆପାରି ଅନୁଦାନ ନେବାକୁ ଭାରତ ଇଚ୍ଛାପ୍ରକାଶ କରୁଥିବା ସଂକେତ ଦେଇଛି । ବିଭିନ୍ନ ସୂତ୍ରରୁ ପ୍ରକାଶ ଯେ, “କୋଭିଡ୍-19 ବିରୋଧରେ ଲଢ଼ିବା ପାଇଁ ଭାରତ ସରକାରଙ୍କୁ ଉଦାରତାର ସହିତ ସହାୟତା ଦେବା ଲାଗି ଭାରତ ଏବଂ ବିଦେଶରୁ ଅନେକ ସ୍ବତଃପୂତଃ ନିବେଦନକୁ ଦୃଷ୍ଟିରେ ରଖି “ପିଏମ୍-କେୟାର୍ସ”ନାମକ ଏକ ସର୍ବସାଧାରଣ ଦାତବ୍ୟ ଟ୍ରଷ୍ଟ ଗଠନ କରାଯାଇଛି ।”ଏହି ସବୁ ସୂତ୍ର ଆହୁରି କହିଛନ୍ତି, “ସରକାରଙ୍କ ଏହି ପ୍ରୟାସରେ ସହଯୋଗ କରିବା ଦିଗରେ ଆଗ୍ରହ ପ୍ରକାଶକୁ ଦୃଷ୍ଟିରେ ରଖି ଏବଂ ଏହି ସର୍ବବ୍ୟାପୀ ମହାମାରୀର ଅଭୂତପୂର୍ବ ଧାରାକୁ ବିଚାରକୁ ନେଇ, ଉଭୟ ଭାରତ ଓ ବିଦେଶରେ ରହୁଥିବା ବ୍ୟକ୍ତିବିଶେଷ ଏବଂ ସଂଗଠନ ଏହି ଟ୍ରଷ୍ଟ୍କୁ ନିଜ ନିଜର ଯୋଗଦାନ କରିପାରିବେ ।”
ମାର୍ଚ୍ଚ 30 ତାରିଖ ଦିନ ବିଶ୍ବର ବିଭିନ୍ନ ସ୍ଥାନରେ କାର୍ଯ୍ୟରତ ଭାରତୀୟ ରାଷ୍ଟ୍ରଦୂତମାନଙ୍କ ସହ ଭିଡିଓ କନ୍ଫରେନ୍ସରେ ଆଲୋଚନା କରିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଏହି ସୂଚନା ଦେଇଥିଲେ ବୋଲି ଜଣାପଡ଼ିଛି । ଜଣେ ସରକାରୀ ଅଧିକାରୀ କହିଲେ, “ଏହି ସର୍ବବ୍ୟାପୀ ମହାମାରୀ ଅଭୂତପୂର୍ବ । ପ୍ରଧାନମନ୍ତ୍ରୀ ଆମର ବିଭିନ୍ନ ଦୂତାବାସର ମୁଖ୍ୟମାନଙ୍କ ସହ କଥାବାର୍ତ୍ତା କରିବା ସମୟରେ ପିଏମ୍-କେୟାର୍ସ ପାଣ୍ଠିକୁ ଅବଦାନ ଦେବା ଦିଗରେ ପ୍ରୟାସ କରିବାକୁ କହିଥିଲେ ।”
2018 ମସିହାରେ କେରଳରେ ପ୍ରଳୟଙ୍କରୀ ବନ୍ୟା ସମୟରେ ବିଦେଶୀ ଅନୁଦାନ ନେବାକୁ, ବିଶେଷତଃ ସଂଯୁକ୍ତ ଆରବ ସାମ୍ରାଜ୍ୟ ଏବଂ କାତାର ଦେବାକୁ ଚାହୁଁଥିବା ଅନୁଦାନ ନେବାକୁ, କେନ୍ଦ୍ର ସରକାର ମନା କରିଦେଇଥିଲେ ଏବଂ ଏହା ଫଳରେ ରାଜ୍ୟ ସରକାରଙ୍କ ସହ ରାଜନୈତିକ ମତଭେଦ ଯୋଗୁଁ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା । 2005ରେ କାଶ୍ମୀରରେ ନିୟନ୍ତ୍ରଣ ରେଖା ସଂଲଗ୍ନ ଅଞ୍ଚଳରେ ପ୍ରଚଣ୍ଡ ଭୂମିକମ୍ପ ପରେ କୌଣସି ଆର୍ଥିକ ସହାୟତା ନେବାକୁ ତତ୍କାଳୀନ ମନମୋହନ ସିଂହ ସରକାର ମଧ୍ୟ ମନା କରିଦେଇଥିଲେ ଏବଂ ଠିକ୍ ସେହିଭଳି, ବନ୍ୟା ପରବର୍ତ୍ତୀ ସମୟରେ ପୁନର୍ନିର୍ମାଣ ଏବଂ ଥଇଥାନ କାର୍ଯ୍ୟ ନିମନ୍ତେ ବିଦେଶରୁ କୌଣସି ସହାୟତା ନେବାକୁ ମନା କରିବା ଲାଗି ମୋଦି ସରକାର ସ୍ଥିର କରିଥିଲେ ।
ଅତୀତରେ 2004 ମସିହା ସୁନାମି ସମୟରେ ସହାୟତା କରିବାରେ ପଡ଼ୋଶୀ ଦେଶଗୁଡ଼ିକ ତୁଳନାରେ ଭାରତ ଆଗରେ ଥିଲା । ସେହି ସମୟରେ ହିଁ, ‘ଦରିଦ୍ର ଦେଶ’ ରୂପେ ପରିଚିତ ହେବାରୁ ମୁକ୍ତି ପାଇବା ଲାଗି ପ୍ରାକୃତିକ ବିପର୍ଯ୍ୟୟ ପରବର୍ତ୍ତୀ ସମୟରେ ବିଦେଶୀ ସହାୟତା ଗ୍ରହଣ କ୍ଷେତ୍ରରେ ତତ୍କାଳୀନ ୟୁପିଏ ସରକାର ଭାରତର ଆଭିମୁଖ୍ୟ ପରିବର୍ତ୍ତନ କରିଥିଲେ । ବିଦେଶୀ ଅନୁଦାନ ନେବାକୁ ମନମୋହନ ସିଂହ ସରକାର ମନା କରିଦେବା ସହିତ ଅଧିକ କ୍ଷତିଗ୍ରସ୍ତ ଦେଶଗୁଡ଼ିକ ପାଇଁ ଏହି ସହାୟତାର ଆବଶ୍ୟକତା ବେଶୀ ବୋଲି ଦର୍ଶାଇ ସେମାନଙ୍କୁ ଏହା ଦେବା ଲାଗି ପ୍ରସ୍ତାବ ଦେଇଥିଲେ । କିନ୍ତୁ ଏହି ସର୍ବବ୍ୟାପୀ ମହାମାରୀର ପ୍ରଚଣ୍ଡ ପ୍ରକୋପ ହିଁ ନୂଆଦିଲ୍ଲୀର ଆଭିମୁଖ୍ୟ ପରିବର୍ତ୍ତନ ଦିଗରେ ପୁନର୍ବିଚାର ସକାଶେ ଗୁରୁତ୍ବପୂର୍ଣ୍ଣ ସାବ୍ୟସ୍ତ ହୋଇଛି । ତାହା ବି ଏଭଳି ଏକ ସମୟରେ, ଯେତେବେଳେ ଦକ୍ଷିଣ ଏସିଆ କ୍ଷେତ୍ରୀୟସହଯୋଗିତା ସଂଗଠନ ବା ‘ସାର୍କ’ ଜରିଆରେ କୋଭିଡ୍-19 ସଂକଟର ମୁକାବିଲା ଦିଗରେ ଆଞ୍ଚଳିକ ସ୍ତରରେ ସମନ୍ବିତ ପ୍ରୟାସ ଲାଗି ପ୍ରଧାନ ମନ୍ତ୍ରୀ ମୋଦି ଉଦ୍ୟମ ଆରମ୍ଭ କରିଛନ୍ତି ଏବଂ ଜି20 ରାଷ୍ଟ୍ର ସମୂହ ଦ୍ବାରା ବହୁପାକ୍ଷିକ ଆଲୋଚନାରେ ସକ୍ରିୟ ଭୂମିକା ନେଇଛନ୍ତି ।
ଗତ କିଛି ସପ୍ତାହ ମଧ୍ୟରେ, ପ୍ରଧାନ ମନ୍ତ୍ରୀ ମୋଦି ବ୍ୟକ୍ତିଗତ ଭାବେ ଅନ୍ୟ ଦେଶର ପ୍ରଧାନ ମନ୍ତ୍ରୀଙ୍କ ସହିତ ଏବଂ ଫ୍ରାନ୍ସ, କାତାର, ୟୁଏଇ, ରୁଷ, ଆଫଗାନିସ୍ତାନ, ସାଉଦି ଆରବ, ୟୁକେ, ଇସ୍ରାଏଲର ରାଷ୍ଟ୍ରପତି ଏବଂ ୟୁରୋପୀୟ କମିସନ ଅଧ୍ୟକ୍ଷଙ୍କ ସହିତ କଥାବାର୍ତ୍ତା କରିଛନ୍ତି । ଏହା ସହିତ ସେ ଏକ ଭର୍ଚୁଆଲ ବା ଭିଡିଓ କନ୍ଫରେନ୍ସ ଜରିଆରେ ‘ସାର୍କ’ସମ୍ମିଳନୀର ନେତୃତ୍ବ ନେଇଥିଲେ ଏବଂ ଜି20 ରାଷ୍ଚ୍ର ସମୂହର ଅସାଧାରଣ ଅନ୍ଲାଇନ୍ ସମ୍ମିଳନୀ ଲାଗି ଆହ୍ବାନ ଦେଇଥିଲେ । ଏ ପର୍ଯ୍ୟନ୍ତ ପାକିସ୍ତାନକୁ ବାଦ୍ ଦେଇ ଅନ୍ୟ ସମସ୍ତ ସଦସ୍ୟ ରାଷ୍ଟ୍ରର ଅବଦାନରେ ସାର୍କ ଜରୁରୀକାଳୀନ କୋଭିଡ୍ ପାଣ୍ଠି କାର୍ଯ୍ୟକାରୀ ହୋଇଛି । କିଛି ଦିନ ତଳେ ଏହି ସଂକଟର ମୁକାବିଲା ଦିଗରେ ସାର୍କ ସଦସ୍ୟ ରାଷ୍ଟ୍ରଗୁଡ଼ିକ ପକ୍ଷରୁ ସମନ୍ବିତ କାର୍ଯ୍ୟପନ୍ଥା ଲାଗି ବରିଷ୍ଠ ସ୍ବାସ୍ଥ୍ୟ ଅଧିକାରୀମାନଙ୍କ ମଧ୍ୟରେ ଆଲୋଚନା ହୋଇଥିଲା ଏବଂ ଏସପ୍ତାହରେ ଦକ୍ଷିଣ ଏସିଆ କ୍ଷେତ୍ରର ସବୁ ଦେଶର ସ୍ବାସ୍ଥ୍ୟ ସେବା ମହା ନିର୍ଦ୍ଦେଶକମାନଙ୍କ ମଧ୍ୟର ଅନ୍ଲାଇନ୍ ବୈଠକ ବସିବ ବୋଲି ଆଶା କରାଯାଉଛି ।
କୋଭିଡ୍-19ର ମୁକାବିଲା ଦିଗରେ ବିଶ୍ବ ସ୍ତରରେ ଏବଂ କ୍ଷେତ୍ରୀୟ ସ୍ତରରେ ସମ୍ମିଳିତ ପ୍ରୟାସର ସଂଯୋଜନା ଲାଗି ବୈଦେଶିକ ବ୍ୟାପାର ମନ୍ତ୍ରୀ ଡାକ୍ତର ଜୟଶଙ୍କର, ଯୁକ୍ତରାଷ୍ଟ୍ର ଆମେରିକା, ୟୁରୋପୀୟ ସଂଘ, ଚୀନ୍, ଶ୍ରୀଲଙ୍କା, ନେପାଳ ଏବଂ ଅନ୍ୟାନ୍ୟ ଦେଶର ବୈଦେଶିକ ବ୍ୟାପାର ମନ୍ତ୍ରୀମାନଙ୍କ ସହ କଥାବାର୍ତ୍ତା କରିଛନ୍ତି । ବିଭିନ୍ନ ସୂତ୍ରରୁ ପ୍ରକାଶ ଯେ, ମଙ୍ଗଳବାର ରାତିରେ ଯୁକ୍ତରାଷ୍ଟ୍ର ଆମେରିକାର ପରରାଷ୍ଟ୍ର ସଚିବ ପମ୍ପିଓଙ୍କ ସହ ଜୟଶଙ୍କରଙ୍କ କଥାବାର୍ତ୍ତାରେ, ଆମେରିକାରେ ଫସି ରହିଥିବା ଛାତ୍ରଛାତ୍ରୀ ଏବଂ ବୃତ୍ତିଧାରୀମାନଙ୍କ ଭିସା ପ୍ରସଙ୍ଗ ମଧ୍ୟ ଉଠିଥିଲା । ଆଫଗାନିସ୍ତାନ ପରିସ୍ଥିତି ସଂପର୍କରେ ମଧ୍ୟ ଆଲୋଚନା ହୋଇଥିଲା ଏବଂ ସଂଖ୍ୟାଲଘୁ ଶିଖ୍ମାନଙ୍କୁ ଲକ୍ଷ୍ୟ କରି କାବୁଲର ଏକ ଗୁରୁଦ୍ବାରାରେ ସଂଘଟିତ ଜଘନ୍ୟ ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପ୍ରତି ପମ୍ପିଓ ସମବେଦନା ବ୍ୟକ୍ତ କରିଥିଲେ ।
ଭାରତକୁ ସହାୟତା ଦେବା ଲାଗି ଚୀନ୍ର ପ୍ରସ୍ତାବକୁ ସରକାର ଦୁଇଟି ଦିଗରୁ ଦେଖୁଛନ୍ତି । ସ୍ବାଧୀନ ଭାବେ କେତେକ ସ୍ରୋତରୁ ଅବଦାନ ମିଳିବାରେ ଲାଗିଛି ଏବଂ ବାଣିଜ୍ୟିକ ଭିତ୍ତିରେ ଗ୍ରହଣ କରିବା ଲାଗି କେତେକ ସାମଗ୍ରୀ ମଧ୍ୟ ଉପଲବ୍ଧ ହେଉଛି । କେତେକ ସୂତ୍ର କହିଛନ୍ତି ଯେ, ବେଜିଂରେ ଅବସ୍ଥାପିତ ଭାରତର ରାଷ୍ଟ୍ରଦୂତ ବିକ୍ରମ ମିସ୍ରିଙ୍କ ଜରିଆରେ ବିଭିନ୍ନ ସୂତ୍ରରୁ ଉପଲବ୍ଧ କେତେକ ସାମଗ୍ରୀ କିଣିବା ଲାଗି ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ବିଚାର କରୁଛି ଏବଂ ଚିକିତ୍ସା କ୍ଷେତ୍ରରେ ସୁରକ୍ଷା ଉପକରଣକୁ ଏଥିରେ ଗୁରୁତ୍ବ ଦିଆଯାଇଛି ।
ଜଣେ ଭାରତୀୟ ଅଧିକାରୀ କହିଲେ, “ଆମେ ବ୍ୟକ୍ତିଗତ ସୁରକ୍ଷା ଉପକରଣ ବା PPE କିଟ୍, ଭେଣ୍ଟିଲେଟର, N95 ଏବଂ ସର୍ଜିକାଲ ମାସ୍କ ଇତ୍ୟାଦି ସାମଗ୍ରୀ କିଣିବାକୁ ଆଗ୍ରହୀ । ଏଠାରେ ଏଗୁଡ଼ିକର ଘୋର ଅଭାବ ଓ ଆବଶ୍ୟକତା ରହିଛି ଏବଂ ଯେ କୌଣସି ସୂତ୍ରରୁ ମିଳିଲେ ବି ଆମେ ଏହାକୁ କିଣିବା ଜାରି ରଖିବୁ । ଅଥଚ, ଦେଶରେ ଏ ସବୁ ସାମଗ୍ରୀର ଚାହିଦା ପୂରଣ ପାଇଁ ନିକଟରେ ସରକାର ଏଗୁଡ଼ିକର ଉତ୍ପାଦନ ବଢ଼ାଇବା ଲାଗି ବିଭିନ୍ନ ଘରୋଇ କମ୍ପାନିକୁ ମଧ୍ୟ ପ୍ରୋତ୍ସାହନ ଦେଉଛନ୍ତି ।” ସର୍ବବ୍ୟାପୀ ମହାମାରୀ ସଂପର୍କିତ ଗୁରୁତ୍ବପୂର୍ଣ୍ଣ ତଥ୍ୟ, କୋଭିଡ୍ ଚିକିତ୍ସା ନିମନ୍ତେ ଔଷଧର ସନ୍ଧାନ ଏବଂ ଏ ସଂପର୍କିତ ଉପଲବ୍ଧି ବିନିମୟ ଦିଗରେ ବିଭିନ୍ନ ଦେଶରେ ଥିବା ଦୂତାବାସ ଓ ମିଶନ ଜରିଆରେ ସରକାର ବିଭିନ୍ନ ବିଦେଶୀ ସରକାରଙ୍କ ସହ ନିବିଡ଼ତାର ସହ କାମ କରୁଛନ୍ତି ।
ଦିଲ୍ଲୀର ନିଜାମୁଦ୍ଦିନରେ ତାବଲିଗୀ ଜମାତର ବିବାଦୀୟ ମରକଜ୍ରେ ବିଦେଶୀ ନାଗରିକମାନଙ୍କ ଅଂଶଗ୍ରହଣ ଯୋଗୁଁ ଭାରତରେ କୋଭିଡ୍ ସଂକ୍ରମଣ ମାମଲା ବୃଦ୍ଧି ପାଇବା ସଂପର୍କିତ ପ୍ରଶ୍ନର ଉତ୍ତରରେ ବିଭିନ୍ନ ସୂତ୍ର କହିଛନ୍ତି ଯେ, ଦିଲ୍ଲୀରେ ସେମାନଙ୍କ ଦେଶର ନାଗରିକମାନଙ୍କ ସ୍ଥିତି ସଂପର୍କରେ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ବିଭିନ୍ନ ଦୂତାବାସ ଓ ମିସନକୁ ଜଣାଇ ଦେଇଛନ୍ତି । ଜଣେ ସୂତ୍ର ଜୋର ଦେଇ କହିଲେ ଯେ “ତାବଲିଗୀ ମାମଲାରେ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ସମସ୍ତ ରାଷ୍ଟ୍ରଦୂତଙ୍କ ସହ ଯୋଗାଯୋଗ କରି ସେମାନଙ୍କ ଦେଶର ନାଗରିକମାନଙ୍କ ସ୍ଥିତି ସଂପର୍କରେ ଅବଗତ କରାଇଥିଲା । ଆଇନର ଉଲ୍ଲଂଘନ ହୋଇଥିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ।”
ଏପଟେ ଭାରତରେ ସୁରକ୍ଷା ଉପକରଣର ଅଭାବ ରହିଥିବା ସମୟରେ ସର୍ବିଆକୁ ଡାକ୍ତରୀ ଚିକିତ୍ସା ଉପକରଣ ରପ୍ତାନୀକୁ ନେଇ ଉପୁଜିଥିବା ବିବାଦ ସଂପର୍କରେ ସ୍ପଷ୍ଟୀକରଣ ଦେଇ ବିଭିନ୍ନ ସୂତ୍ର ଆଜି ସ୍ପଷ୍ଟ କରିଦେଇଛନ୍ତି ଯେ ସର୍ବିଆକୁ ରପ୍ତାନୀ କରାଯାଇଥିବା ସାମଗ୍ରୀ ପ୍ରତିବନ୍ଧକ ତାଲିକାରେ ସ୍ଥାନ ପାଇ ନଥିଲା । ସୂତ୍ରମାନେ ଆହୁରି କହିଛନ୍ତି ଯେ,ଉପଯୁକ୍ତ କର୍ତ୍ତୃପକ୍ଷଙ୍କ ଅନୁମୋଦନକ୍ରମେ ସ୍ଥଳବିଶେଷରେ କେତେକ ପ୍ରତିବନ୍ଧିତ ସାମଗ୍ରୀକୁ ବି ରପ୍ତାନୀ କରାଯାଇପାରିବ ।
ସଂକ୍ରମିତ ଭାରତୀୟମାନଙ୍କୁ ଇରାନ୍ରୁ ଫେରାଇ ଆଣିବା ସଂପର୍କିତ ରିପୋର୍ଟ ସଂପର୍କରେ ବିଭିନ୍ନ ସୂତ୍ର କହିଛନ୍ତି ଯେ, ସ୍ବଦେଶ ଆସିବା ପୂର୍ବରୁ ଇରାନ୍ରେ ଥିବା ସମସ୍ତ ଭାରତୀୟମାନଙ୍କର ଡାକ୍ତରୀ ପରକ୍ଷା କରାଯାଇଥିଲା । ଜଣେ ଅଧିକାରୀ କହିଲେ , “ଭାରତୀୟ ଭେଷଜ ଗବେଷଣା ପରିଷଦ-ICMRର ଏକ ଟିମ୍ କିଛି ସମୟ ପାଇଁ ସେଠାରେ ଅବସ୍ଥାପିତ ହୋଇଥିଲେ ଏବଂ ଭାରତୀୟମାନଙ୍କୁ ନିଜ ଦେଶକୁ ଫେରାଇ ଆଣିବା ଲାଗି ସେମାନେ ସୁପାରିସ କରିଥିଲେ । ପରବର୍ତ୍ତୀ ସମୟରେ ପୃଥକୀକରଣ କେନ୍ଦ୍ରରେ ମଧ୍ୟ ସେମାନଙ୍କୁ ପରୀକ୍ଷା କରାଯାଇଥିଲା । ଯେଉଁମାନେ ସଂକ୍ରମିତ ହୋଇ ନଥିବାବା ନେଗେଟିଭ୍ ଜଣାପଡ଼ିଥିଲେ ସେମାନଙ୍କୁ ଘରକୁ ପଠାଇବାର ବନ୍ଦୋବସ୍ତ କରାଯାଇଥିଲା । ଯେଉଁମାନେ ପଜିଟିଭ୍ ବା ସଂକ୍ରମିତ ହୋଇଥିବା ଜଣାପଡ଼ିଥିଲା ସେମାନେ ଏବେ ଚିକିତ୍ସାଧୀନ ଅଛନ୍ତି ।”
ଇତ୍ୟବସରରେ, ସାରା ବିଶ୍ବର ବିଭିନ୍ନ ସ୍ଥାନରେ ପ୍ରଭାବିତ ହୋଇଥିବା ବା ଅଟକି ରହିଥିବା ଭାରତୀୟମାନଙ୍କ ଦୁର୍ଦ୍ଦଶା ସଂପର୍କିତ ଫୋନ୍ କଲ୍ର ଉତ୍ତର ଦେବା ଲାଗି ବୈଦେଶିକ ବ୍ୟାପାର ମନ୍ତ୍ରାଳୟର ଅତିରିକ୍ତ ସଚିବ ଦାମ୍ମୁଙ୍କୁ ସଂଯୋଜକ ଭାବେ ଅବସ୍ଥାପିତ କରି ମାର୍ଚ୍ଚ 16 ତାରିଖରେ ମନ୍ତ୍ରାଳୟ ଭିତରେ ସ୍ଥାପିତ ଚବିଶ ଘଣ୍ଟିଆ ସଂଯୋଜନା ସେଲ୍ ଏହାର କାର୍ଯ୍ୟ ଜାରି ରଖିଛି । ଦିନରାତି 24 ଘଣ୍ଟା ଏବଂ ସପ୍ତାହର ସବୁଦିନ କାମ କରିବା ଲାଗି ମାର୍ଚ୍ଚ 16ରେ ଏହି ସେଲ୍ ଆରମ୍ଭ ହୋଇଥିଲା । ଏଥିର ବହୁ ଯୁବ ପ୍ରଶିକ୍ଷାର୍ଥୀଙ୍କ ସମେତ 75 ଜଣ ଅଧିକାରୀ ରହିଛନ୍ତି ଏବଂ ଏ ପର୍ଯ୍ୟନ୍ତ ସେମାନେ ସହାୟତା ଆବଶ୍ୟକ କରୁଥିବା 3300 ଫୋନ୍ କଲ୍ ସହିତ 220 ଇମେଲ୍ର ଉତ୍ତର ଦେଇସାରିଛନ୍ତି ।
ସର୍ବବ୍ୟାପୀ ମହାମାରୀର ବ୍ୟାପ୍ତି ଏବଂ ଏହାର ନିରାକରଣର ସର୍ବୋତ୍ତମ ଉପାୟ ସଂପର୍କରେ ବୁଝିବା ପାଇଁ ଏହି ସେଲ୍ ସାରା ବିଶ୍ବରୁ ତଥ୍ୟ ସଂଗ୍ରହ କରୁଛନ୍ତି ଏବଂ ଏହି ସଂକଟର ସମ୍ମୁଖୀନ ହେଉଥିବା ଭାରତୀୟ ଦୂତାବାସଗୁଡ଼ିକୁ ମୁକାବିଲା ଲାଗି ପରାମର୍ଶ ଦେଉଛନ୍ତି । ବିଭିନ୍ନ ସୂତ୍ରରୁ ପ୍ରକାଶ ଯେ, ଭାରତରେ ଥିବା ପ୍ରଭାବିତ ବିଦେଶୀ ନାଗରିକମାନଙ୍କ ସହାୟତା ନିମନ୍ତେ ବିଭିନ୍ନ ରାଜ୍ୟ ସରକାରଙ୍କ ସହ ସଂପର୍କ ରଖିବା କ୍ଷେତ୍ରରେ ଏହି ସେଲ୍ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରୁଛି । ଏ ପର୍ଯ୍ୟନ୍ତ ଭାରତ ବିଭିନ୍ନ ଦେଶରେ ଫସି ରହିଥିବା 2500 ଭାରତୀୟ ନାଗରିକଙ୍କୁ ସ୍ବଦେଶ ଫେରାଇ ଆଣିଛି ଏବଂ ଏଥିରୁ 1600 ଜଣ ବିମାନ ଯାତ୍ରା ସମୟରେ ବିଭିନ୍ନ ବିମାନ ବନ୍ଦରରେ ଅଟକି ରହିଥିଲେ । ସେହିଭଳି ଏ ପର୍ଯ୍ୟନ୍ତ ପ୍ରାୟ 10,000 ବିଦେଶୀ ନାଗରିକଙ୍କୁ ସେମାନଙ୍କ ନିଜ ନିଜ ଦେଶକୁ ଫେରି ଯିବାରେ ଭାରତ ବିଭିନ୍ନ ବିଦେଶୀ ଦୂତାବାସର ସହାୟତା କରିଛି ।