ଏକ ଅଭୂତପୂର୍ବ ଘଟଣାକ୍ରମରେ, ଗତ ରବିବାର ଦିନ (ମେ 31) ନେପାଳ ସରକାର ସଂସଦରେ ଏଭଳି ଏକ ସମ୍ବିଧାନ ସଂଶୋଧନ ବିଲ୍ ଉପସ୍ଥାପନ କରିଛନ୍ତି, ଯେଉଁଥିରେ ଦେଶର ସରକାରୀ ମାନଚିତ୍ରରେ ପରିବର୍ତ୍ତନ କରାଯାଇ ଭାରତର କେତେକ ଅଞ୍ଚଳକୁ ନେପାଳର ସୀମା ପରିସରଭୁକ୍ତ ବୋଲି ଦର୍ଶାଯାଇଛି । ବାର୍ଷିକ କୈଳାସ ମାନସରୋବର ଯାତ୍ରା ସକାଶେ ଲିପୁଲେଖ ପାର୍ବତ୍ୟ ଘାଟି ବାଟ ଦେଇ ଉତ୍ତରାଖଣ୍ଡରେ ଏକ ନୂତନ ରାସ୍ତା ଉଦ୍ଘାଟନ କରିବା ପାଇଁ ଭାରତ ନିଷ୍ପତ୍ତି ନେବା ପରେ ହିଁ ଆପେକ୍ଷିକ ଭାବରେ ନିଷ୍ପ୍ରଭ ମନେ ହେଉଥିବା ଏହି ଜଟିଳ ସୀମା ବିବାଦ ପ୍ରସଙ୍ଗ ସାମ୍ନାକୁ ଆସିଛି ।
କାଳାପାଣି ଏବଂ ଲିପୁଲେଖ ଅଞ୍ଚଳକୁ ସେମାନଙ୍କର ନିଜର ବୋଲି ନେପାଳ ଦାବି କରିଆସୁଥିବା ବେଳେ ତତ୍କାଳୀନ ଜାମ୍ମୁ ଓ କାଶ୍ମୀର ରାଜ୍ୟର ପୁନର୍ଗଠନ ପରବର୍ତ୍ତୀ ସମୟରେ ଭାରତ ପକ୍ଷରୁ ଜାରି ଏକ ସରକାରୀ ମାନଚିତ୍ରରେ କାଳାପାଣି ଏବଂ ଲିପୁଲେଖ ଭଳି କେତେକ ଅଞ୍ଚଳକୁ ଭାରତ ସୀମା ପରିସରଭୁକ୍ତ ଅଞ୍ଚଳ ରୂପରେ ଉପସ୍ଥାପିତ କରାଯିବା ଦିନରୁ ଏହି ବିବାଦ କୁହୁଳିବାରେ ଲାଗିଛି । । ଏଭଳି କାର୍ଯ୍ୟ ଦ୍ବାରା ଦିଲ୍ଲୀ, ଏହି ବିବାଦୀୟ ଏବଂ ସମ୍ବେଦନଶୀଳ ପ୍ରସଙ୍ଗରେ ପୂର୍ବରୁ ହୋଇଥିବା ବୁଝାମଣାର ଉଲ୍ଲଂଘନ କରୁଛି ବୋଲି ନେପାଳ ଦାବି କରୁଥିବା ବେଳେ ଭାରତ ଏହାକୁ ଅସ୍ବୀକାର କରିଛି ଏବଂ କାଠମାଣ୍ଡୁ ‘ଅନ୍ୟ ଏକ’ ଦେଶର ଇଙ୍ଗିତରେ ଏଭଳି ପ୍ରତିବାଦ କରୁଛି ବୋଲି ଚୀନକୁ ଉପଲକ୍ଷ୍ୟ କରି ଭାରତୀୟ ସେନାମୁଖ୍ୟ ଜେନେରାଲ ନାର୍ବାନେ ଦେଇଥିବା ମନ୍ତବ୍ୟ ପରିସ୍ଥିତିକୁ ଆହୁରି ଜଟିଳ କରିଛି ।
ସମୁଚିତ କାରଣରୁ, ପ୍ରାୟତଃ ଭାରତ ଏବଂ ଭୂଭାଗ ପରିବେଷ୍ଟିତ ରାଷ୍ଟ୍ର ନେପାଳ ମଧ୍ୟରେ ଥିବା ଦ୍ବିପାକ୍ଷିକ ସମ୍ବନ୍ଧକୁ ‘ସ୍ବତନ୍ତ୍ର’ ବୋଲି ବର୍ଣ୍ଣନା କରାଯାଇଥାଏ । 1950 ମସିହାର ଶାନ୍ତି ଓ ମୈତ୍ରୀ ଚୁକ୍ତିନାମା ଅନୁସାରେ ନେପାଳର ନାଗରିକମାନଙ୍କୁ ଭାରତରେ ଭାରତୀୟ ନାଗରିକମାନଙ୍କ ଅନୁରୂପ କାର୍ଯ୍ୟ କରିବାର ସୁଯୋଗ ଉପଲବ୍ଧ ହେଉଛି ଏବଂ ଉଭୟ ଦେଶର ସୀମା ଉନ୍ମକ୍ତ ରହିଛି । ନେପାଳର ନାଗରିକମାନେ ଭାରତୀୟ ସାମରିକ ବାହିନୀର ଏକ ଅଂଶ (ଅତ୍ୟନ୍ତ ସମ୍ମାନଜନକ ଗୋର୍ଖା ରେଜିମେଣ୍ଟ) ଏବଂ ସେମାନଙ୍କ ମଧ୍ୟରୁ କେତେକ ଜେନେରାଲ ସ୍ତରର ଅଧିକାରୀ ପାହ୍ୟାକୁ ଉନ୍ନିତ ହେବାର ଦୃଷ୍ଟାନ୍ତ ଅଭୂତପୂର୍ବ ଏବଂ ଅପେକ୍ଷଣୀୟ ମଧ୍ୟ । ଅନ୍ୟ କୌଣସି ଦୁଇଟି ଦେଶ ମଧ୍ୟରେ ଏଭଳି ସମ୍ପର୍କ ନାହିଁ ।
ଏସିଆର ଦୁଇ ବୃହତ୍ ଶକ୍ତି ଭାରତ ଓ ଚୀନ ମଧ୍ୟରେ ଅବସ୍ଥିତ ଅପେକ୍ଷାକୃତ କ୍ଷୁଦ୍ର ରାଷ୍ଟ୍ର ନେପାଳ, 2006 ମସିହାରୁ ରାଜତନ୍ତ୍ରରୁ ଗଣତନ୍ତ୍ର ଅଭିମୁଖେ ଏହାର କଷ୍ଟସାଧ୍ୟ ତଥା ସଂକଳ୍ପବଦ୍ଧ ଯାତ୍ରା ଆରମ୍ଭ କରିଥିଲା ଏବଂ ଏହି ସମୟ ମଧ୍ୟରେ ଭାରତ ସହ ଏହାର ‘ସ୍ବତନ୍ତ୍ର’ ସମ୍ବନ୍ଧର ସ୍ଥିତିସ୍ଥାପକତା ମଧ୍ୟ ପ୍ରମାଣିତ ହୋଇସାରିଛି । ନେପାଳର ଜନସଂଖ୍ୟାରେ ବିଭିନ୍ନତା ଏବଂ ଭାରତ ସହିତ 1750 କିଲୋମିଟର ଯାଏଁ ପରିବ୍ୟାପ୍ତ ସୀମାରେଖା ତଥା ଶହ ଶହ ବର୍ଷ ପୁରୁଣା ସଂପର୍କକୁ ବିଚାରକୁ ନେଲେ ଭାରତ ଓ ନେପାଳର ବହୁସ୍ତରୀୟ ସଂପର୍କ ରହିଥିବା ଦୃଷ୍ଟିଗୋଚର ହୁଏ । ବୁଦ୍ଧଦେବଙ୍କ ଜନ୍ମସ୍ଥାନ ରୂପେ ସୁପରିଚିତ ଏହି ପୂର୍ବତନ ସାମ୍ରାଜ୍ୟର ହିନ୍ଦୁ ଚରିତ୍ର, ନିକଟ ଅତୀତରେ ମାଓବାଦୀଙ୍କ ବିଦ୍ରୋହ ପର୍ଯ୍ୟାୟ ଏବଂ ନବୋଦିତ ନିର୍ବାଚନ ବାଧ୍ୟବାଧ୍ୟକତା କାରଣରୁ, ଗୌରବଦୀପ୍ତ ହେଲେ ହେଁ ତୁଳନାତ୍ମକ ଭାବେ ଦାରିଦ୍ର୍ୟ ଅବସ୍ଥାରେ ରହିଥିବା ଏହି ପାର୍ବତ୍ୟ ରାଷ୍ଟ୍ରର ସାମାଜିକ ଓ ରାଜନୈତିକ କ୍ଷେତ୍ରରେ ଏକ ନୂତନ ଧାରାର ଗତିଶୀଳତା ପରିଲକ୍ଷିତ ହୋଇଛି ।
ଭାରତ ସହିତ ନେପାଳର ସ୍ବତନ୍ତ୍ର ସମ୍ବନ୍ଧରେ ଭଟ୍ଟା ସୃଷ୍ଟି ହୋଇଥିବାରୁ ଏବଂ କାଠମାଣ୍ଡୁରେ ନେପାଳ କମ୍ୟୁନିଷ୍ଟ ପାର୍ଟି କ୍ଷମତାରେ ଥିବା ଯୋଗୁଁ ଚୀନ ପାଇଁ ରାଜନୈତିକ ଏବଂ ବିଚାରଧାରା ଭିତ୍ତିକ ଏଭଳି ଏକ ସୁଯୋଗର ଅବସର ସୃଷ୍ଟି ହୋଇଛି ଯାହାକି ପୂର୍ବବର୍ତ୍ତୀ ବହୁ ଦଶନ୍ଧି ଧରି ଦୃଶ୍ୟପଟ୍ଟରେ ସ୍ଥାନ ପାଉନଥିଲା । ଦକ୍ଷିଣ ଏସିଆରେ ଅବସ୍ଥିତ କୌଣସି ରାଷ୍ଟ୍ରର (ପାକିସ୍ତାନ, ବାଂଲାଦେଶ, ନେପାଳ, ଭୁଟାନ ଏବଂ ଶ୍ରୀଲଙ୍କା) ଅନ୍ୟ ରାଷ୍ଟ୍ର ସହ ଭୂଭାଗରେ ସ୍ବତନ୍ତ୍ର ସୀମା ନାହିଁ ଏବଂ ଏମାନେ କେବଳ ଭାରତ ସଂଲଗ୍ନ ସୀମା ମାଧ୍ୟମରେ ପରସ୍ପର ସହ ମିଶି ଏକ ବୃହତ୍ ଅଞ୍ଚଳ ଗଠନ କରିବାରେ ଦକ୍ଷିଣ ଏସିଆର ରାଜନୈତିକ ଭୂଗୋଳର ଏକ ସ୍ବତନ୍ତ୍ର ବୈଶିଷ୍ଟ୍ୟ ପ୍ରତିଫଳିତ । କେତେକ ତ୍ରିରାଷ୍ଟ୍ରୀୟ ସଂଯୋଗ ସ୍ଥଳୀ ଚୀନର ସୀମା ସଂଲଗ୍ନ ହୋଇଥିବାରୁ ଭୂଭାଗ ସଂପର୍କିତ ଭାରତର ଅନେକ ଅସମାହିତ ବିବାଦର ମାନଚିତ୍ର ଭିତ୍ତିକ ଜଟିଳତାରେ ଚୀନ ଅପରିହାର୍ଯ୍ୟ ଭାବେ ସମ୍ମିଳିତ ହୋଇ ରହିଛି ।
ବ୍ରିଟିଶ ସାମ୍ରାଜ୍ୟର ଅପସାରଣ ପରେ ଏହି ସମଗ୍ର ଅଞ୍ଚଳ ବିଭିନ୍ନ ସ୍ବାଧୀନ ରାଷ୍ଟ୍ରର ରୂପ ନେଇଥିଲା ଏବଂ ସେମାନଙ୍କର ନିଜସ୍ବ କ୍ଷେତ୍ର ଉପରେ ଅଧିକାର ନିର୍ଦ୍ଧାରିତ ହେବା ସହିତ କେତେକ କ୍ଷେତ୍ରରେ ବିବାଦ ଲାଗି ରହିଥିଲା । ଭୌଗୋଳିକ ଆକାର ଏବଂ ଲୋକସଂଖ୍ୟା ଦୃ୍ଷ୍ଟିରୁ ସବୁଠାରୁ ବଡ଼ ରାଷ୍ଟ୍ର ଭାରତ ଏହାର କ୍ଷୁଦ୍ର ପଡ଼ୋଶୀମାନଙ୍କୁ ଅଭିଭୂତ କରି ରଖିଛି । ସେଇ ଏକା ସମୟରେ, ଦକ୍ଷିଣ ଏସିଆ କ୍ଷେତ୍ରରେ ଏହାର ଆଧିପତ୍ୟ ବିସ୍ତାର କରିବାକୁ ଚାହୁଁଥିବା ଚୀନର ଆଭିମୁଖ୍ୟ, ଦିଲ୍ଲୀ ସହ ପ୍ରତିଯୋଗିତାମୂଳକ ହେଉଥିଲା କିମ୍ବା ପ୍ରତିକୂଳ ପରିସ୍ଥିତି ସୃଷ୍ଟି କରୁଥିଲା ।
ବ୍ରିଟିଶ ସାମ୍ରାଜ୍ୟର ଅପସାରଣ ପରେ ଏହି ସମଗ୍ର ଅଞ୍ଚଳ ବିଭିନ୍ନ ସ୍ବାଧୀନ ରାଷ୍ଟ୍ରର ରୂପ ନେଇଥିଲା ଏବଂ ସେମାନଙ୍କର ନିଜସ୍ବ କ୍ଷେତ୍ର ଉପରେ ଅଧିକାର ନିର୍ଦ୍ଧାରିତ ହେବା ସହିତ କେତେକ କ୍ଷେତ୍ରରେ ବିବାଦ ଲାଗି ରହିଥିଲା । ଭୌଗୋଳିକ ଆକାର ଏବଂ ଲୋକସଂଖ୍ୟା ଦୃ୍ଷ୍ଟିରୁ ସବୁଠାରୁ ବଡ଼ ରାଷ୍ଟ୍ର ଭାରତ ଏହାର କ୍ଷୁଦ୍ର ପଡ଼ୋଶୀମାନଙ୍କୁ ଅଭିଭୂତ କରି ରଖିଛି । ସେଇ ଏକା ସମୟରେ, ଦକ୍ଷିଣ ଏସିଆ କ୍ଷେତ୍ରରେ ଏହାର ଆଧିପତ୍ୟ ବିସ୍ତାର କରିବାକୁ ଚାହୁଁଥିବା ଚୀନର ଆଭିମୁଖ୍ୟ, ଦିଲ୍ଲୀ ସହ ପ୍ରତିଯୋଗିତାମୂଳକ ହେଉଥିଲା କିମ୍ବା ପ୍ରତିକୂଳ ପରିସ୍ଥିତି ସୃଷ୍ଟି କରୁଥିଲା ।
ଭୂଭାଗ ସୀମାକୁ କେନ୍ଦ୍ର କରି ବେଜିଂ ସହିତ ଲାଗି ରହିଥିବା ବିବାଦ ଯୋଗୁଁ 1962 ମସିହା ଅକ୍ଟୋବର ମାସରୁ ଦିଲ୍ଲୀର ନିଜସ୍ବ ଉଦବେଗ ଓ ସମ୍ବେଦନଶୀଳ ମନୋଭାବ (ଏବେ ବି ସୀମାର ବାସ୍ତବ ନିୟନ୍ତ୍ରଣ ରେଖାରେ ଚୀନ ଓ ଭାରତ ମୁହାଁମୁହିଁ ଅବସ୍ଥାରେ ରହିଛନ୍ତି ଏବଂ ଉତ୍ତେଜନା କୁହୁଳିବାରେ ଲାଗିଛି) ରହିଥିବା କଥା ବିଚାରକୁ ନେଇ ଏବଂ ସଂପ୍ରତି କାଠମାଣ୍ଡୁ ଓ ବେଜିଂ ମଧ୍ୟରେ ଗଢ଼ି ଉଠିଥିବା ରାଜନୈତିକ ସୁସଂପର୍କ ବିଷୟରେ ଅବଗତ ଥିବା ମୋଦି ସରକାର ନେପାଳ ସହିତ ଏହି ମାନଚିତ୍ର ବିବାଦକୁ ଅଧିକ ସହାନୁଭୂତିଶୀଳ ଢଙ୍ଗରେ ସମାଧାନ କରିବା ଆଶା କରାଯାଏ ।
ଗୋଟିଏ କଥା ବୁଝିହୁଏ ଯେ, ଲିପୁଲେଖ ପାର୍ବତ୍ୟ ଘାଟି ଦେଇ 80 କିଲୋମିଟର ରାସ୍ତାକୁ ମେ ମାସ 8 ତାରିଖ ଦିନ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଉଦ୍ଘାଟନ କରିବା ସଂପର୍କରେ କାଠମାଣ୍ଡୁକୁ ପୂର୍ବରୁ ସଂପୂର୍ଣ୍ଣ ସୂଚନା ଦିଆଯାଇ ନଥିଲା ଏବଂ ଏହାକୁ ଭାରତର ମନମୁଖୀ କାର୍ଯ୍ୟ ବୋଲି ବର୍ଣ୍ଣନା କରି ନେପାଳରେ ଥିବା ବିଭିନ୍ନ ଭାରତ ବିରୋଧୀ ଗୋଷ୍ଠୀ ଏହି ବିବାଦକୁ ଉସୁକାଇଥିଲେ । ଏସବୁ ଆକ୍ଷେପ ପଛରେ ଥିବା କାରଣର ସତ୍ୟତା ଯାହା ହେଉନା କାହିଁକି, ଯେତେବେଳେ ଦେଶର ଜାତୀୟତାବାଦ ଏବଂ ସାର୍ବଭୌମତ୍ବ ପ୍ରସଙ୍ଗ ବିଜଡ଼ିତ କୌଣସି ସମସ୍ୟାକୁ କ୍ଷୁଦ୍ର ପଡ଼ୋଶୀ ରାଷ୍ଟ୍ରମାନଙ୍କରେ ସହଜରେ ଉସୁକାଯାଇପାରେ ଏବଂ ନିୟନ୍ତ୍ରିତ କରାଯାଇପାରେ, ସେତେବେଳେ ଏହି ସମସ୍ୟା ଜନିତ ଉତ୍ତେଜନାକୁ ପ୍ରତିହତ କରିବା ଉଦ୍ଦେଶ୍ୟ ନେଇ ଅଧିକ ସକ୍ରିୟ ଭାବରେ, ମିଳାମିଶା ଏବଂ ପ୍ରବର୍ତ୍ତାଇବା ଢଙ୍ଗରେ ପ୍ରଚେଷ୍ଟା କରିବା ଭାରତ ପକ୍ଷରେ ଅନିବାର୍ଯ୍ୟ ହେବା କଥା ।
ନେପାଳରେ ଭାରତ ସଂପର୍କରେ ମିଶ୍ରିତ ଧାରଣା ରହିଛି । ରାଜୀବ ଗାନ୍ଧୀଙ୍କ ଶାସନ କାଳରେ ଲାଗୁ ହୋଇଥିବା ପ୍ରତିବନ୍ଧକ ଏବଂ ନିକଟ ଅତୀତରେ, ନେପାଳର ଚିଠା ସମ୍ବିଧାନ ଲେଖାଯିବା ସମୟରେ ସେଥିରେ କେତେକ ବ୍ୟବସ୍ଥା ସମ୍ମିଳିତ କରାଇବାକୁ ହୋଇଥିବା ଉଦ୍ୟମ ଯୋଗୁଁ ଭାରତର ନାଲିଆଖି ଦେଖାଉଥିବା ବଡ଼ଭାଇପଣିଆ ପ୍ରଦର୍ଶିତ ହୋଇଛି ।
ଅନେକ ଦ୍ବିପାକ୍ଷିକ ପ୍ରସଙ୍ଗ ସଂପର୍କିତ ବୁଝାମଣା ଲଟକି ରହିଛି ଏବଂ (ନେପାଳ କହିବା ଅନୁସାରେ) ଭାରତ ଦେଇଥିବା ଅନେକ ପ୍ରତିଶ୍ରୁତି ପାଳନ କରି ନଥିବାରୁ ଭାରତର କାର୍ଯ୍ୟନିଷ୍ଠାନକୁ ନେଇ ସନ୍ଦେହ ଉପୁଜିଛି ।
ସୁରକ୍ଷା ଦୃଷ୍ଟିକୋଣରୁ ସଂପ୍ରତି ଦ୍ବିପାକ୍ଷିକ ସଂପର୍କରେ ଦେଖାଦେଇଥିବା ସମସ୍ୟାର ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଦିଗ ହେଲା ଭାରତୀୟ ‘ଫୌଜ’କୁ- ନିର୍ଦ୍ଦିଷ୍ଟ ଭାବରେ ପଦାତିକ ବାହିନୀକୁ, ନେପାଳୀ ନାଗରିକମାନଙ୍କ ଅବଦାନର ଧାରା । ଭାରତୀୟ ସେନାରେ, ପ୍ରମୁଖ ଗୋର୍ଖା ବ୍ରିଗେଡ୍ର ସାତଟି ରେଜିମେଣ୍ଟ ସମେତ ପ୍ରାୟ 35,000 ନେପାଳୀ ସୈନ୍ୟ ଏବେ ସେବାରତ ଅଛନ୍ତି ଏବଂ 90,000 ଫୌଜି ପେନ୍ସନଧାରୀ ଅଛନ୍ତି । ଏବଂ ଭାରତ-ନେପାଳ ସଂପର୍କର ସେତୁ ନିର୍ମାଣରେ ସେମାନଙ୍କର ବିଶେଷ ଭୂମିକା ରହିଛି । ସାମଗ୍ରିକ ଭାବେ ଭାରତର ଜାତୀୟ ନିରାପତ୍ତା କ୍ଷେତ୍ରରେ ଏହି ନେପାଳୀ ମାନବ ସମ୍ବଳର ଅବଦାନ ବେଶ ଗୁରୁତ୍ବପୂର୍ଣ୍ଣ ଏବଂ ଏହାକୁ କାଏମ ରଖିବା ଲାଗି ଭାରତ ଯତ୍ନ ସହକାରେ ପ୍ରୟାସ କରିବା ଆବଶ୍ୟକ । ପଡ଼ୋଶୀ ରାଷ୍ଟ୍ର କ୍ଷେତ୍ରରେ ମୋଦି ସରକାରଙ୍କ ନୀତିର କାର୍ଯ୍ୟକାରିତା ଏବଂ ତତ୍ସଂଲଗ୍ନ ବିଚକ୍ଷଣତା ପ୍ରମାଣିତ କରିବା ଲାଗି ନେପାଳ ଏକ ପରୀକ୍ଷଣଯୋଗ୍ୟ ପ୍ରସଙ୍ଗ । କ୍ଷୁଦ୍ର ପଡ଼ୋଶୀ ଦେଶମାନଙ୍କର ଉଦ୍ବେଗ ପ୍ରତି ସମ୍ବେଦନଶୀଳ ମନୋଭାବ ପ୍ରଦର୍ଶନ କରୁଥିବା ଜଣେ ସହାନୁଭୂତିଶୀଳ ଏବଂ ବିଶ୍ବସନୀୟ ପଡ଼ୋଶୀ ଭାବରେ ଦିଲ୍ଲୀ ନିଜକୁ ପ୍ରତିପାଦନ କରିପାରିଲେ ପଡ଼ୋଶୀ ଅଞ୍ଚଳରେ ଚୀନର ଉଦ୍ଦେଶ୍ୟମୂଳକ ପ୍ରବେଶକୁ ରୋକିବା ସେତେଟା କଷ୍ଟଦାୟକ ହେବ ନାହିଁ ।
ବର୍ତ୍ତମାନର ଏହି ମାନଚିତ୍ର ବିଲ୍ ନେପାଳ ସଂସଦରେ ଖୁବ୍ ଶୀଘ୍ର ଗୃହୀତ ହୋଇଯିବ । ଏ ପର୍ଯ୍ୟନ୍ତ ଏହି ମାମଲାକୁ ନେଇ ଯେତେ ହଇଚଇ ହୋଇଛି, ଆଉ ସେଭଳି ନକରି ଏହି ଜରୁରୀ ସ୍ଥିତି ସମ୍ଭାଳିବାକୁ ଦିଲ୍ଲୀ ଧୀରସ୍ଥିର ଭାବରେ ଉଦ୍ୟମ କରିବା ଆବଶ୍ୟକ । ନେପାଳ ସହ ରହିଥିବା ସ୍ବତନ୍ତ୍ର ସମ୍ବନ୍ଧର ପ୍ରବାହ ଆଗକୁ ଆଉ ଦକ୍ଷିଣମୁହାଁ ହେବାକୁ ଛାଡ଼ିଦେବା ଉଚିତ ହେବନାହିଁ ।
ସି.ଉଦୟ ଭାସ୍କର