ନୂଆଦିଲ୍ଲୀ: ପୂର୍ବ ଲଦାଖର ଗଲୱାନ ଘାଟିରେ ଭାରତ-ଚୀନ ସୈନିକଙ୍କ ମଧ୍ୟରେ ହୋଇଥିବା ସଙ୍ଘର୍ଷ ପରେ ଉଭୟ ଦେଶ ମଧ୍ୟରେ ଉତ୍ତେଜନାମୂଳକ ପରିସ୍ଥିତି ଲାଗିରହିଛି । ଭାରତୀୟ ସେନା ପକ୍ଷରୁ ଚୀନ ସହ ଲାଗିଥିବା ସୀମାରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଉଛି । ଏହି କ୍ରମରେ ଭାରତ ପ୍ରକୃତ ନିୟନ୍ତ୍ରଣ ରେଖାରେ ସ୍ବତନ୍ତ୍ର ପର୍ବତୀୟ ବାହିନୀଙ୍କୁ ନିୟୋଜିତ କରିଛି ।

ଏକ ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, 3488 କିମି ଲମ୍ବ ବିଶିଷ୍ଟ ଏଲଏସିରେ ସ୍ବତନ୍ତ୍ର ପର୍ବତୀୟ ବାହିନୀର ଯବାନଙ୍କୁ ନିୟୋଜିତ କରାଯାଇଛି । ଏହି ଯବାନ ଚୀନର ପିପୁଲ୍ସ ଲିବରେସନ ଆର୍ମିର ଯବାନଙ୍କ ପକ୍ଷରୁ ପଶ୍ଚିମ ମଧ୍ୟ କିମ୍ବା ପୂର୍ବରେ କରାଯାଉଥିବା ଯେକୌଣସି କାର୍ଯ୍ୟକଳାପ ଉପରେ ନଜର ରଖିବେ । ତେବେ ଏଲଏସିରେ ଚୀନ ଯବାନଙ୍କ ପକ୍ଷରୁ କରାଯାଉଥିବା ଯେକୌଣସି ଆକ୍ରମଣର ଜବାବ ଦେବାକୁ ନିର୍ଦ୍ଦେଶ ମିଳିଥିବା କୁହାଯାଉଛି ।
ତେବେ ଭାରତୀୟ ସେନାର ସ୍ବତନ୍ତ୍ର ପର୍ବତୀୟ ବାହିନୀଙ୍କୁ ଗତ କିଛି ଦଶକରୁ ପ୍ରସ୍ତୁତ କରାଯାଇଛି । ଏହି ଯବାନଙ୍କୁ ଗରିଲା ଯୁଦ୍ଧ ଏବଂ ଉଚ୍ଚତାରେ ଲଢିବାର ସ୍ବତନ୍ତ୍ର ପ୍ରଶିକ୍ଷଣ ଦିଆଯାଇଛି । ଏହି ବାହିନୀ କାରଗିଲ ଯୁଦ୍ଧରେ ନିଜ ଶକ୍ତି ପ୍ରଦର୍ଶନ କରିସାରିଛନ୍ତି ।
ସୂଚନାଯୋଗ୍ୟ ଯେ, ଜୁନ 15 ତାରିଖରେ ପୂର୍ବ ଲଦାଖ ଗଲୱାନ ଘାଟିରେ ଭାରତ ଏବଂ ଚୀନ ସୈନିକଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା । ଏଥିରେ ଭାରତୀୟ ସେନାର 20 ଜଣ ଯବାନ ଶହୀଦ ହୋଇଥିଲେ । ସଂଘର୍ଷରେ ଚୀନର ମଧ୍ୟ 43 ଜଣ ଯବାନ ମୃତାହତ ହୋଇଥିବା ସୂଚନା ରହିଛି ।