ନୂଆଦିଲ୍ଲୀ: ପ୍ରାୟ ପାଞ୍ଚ ମାସ ଧରି ପୂର୍ବ ଲଦାଖରେ ଚାଲିଥିବା ସୀମା ବିବାଦର ସମାଧାନ ପାଇଁ ଦୁଇ ଦେଶ ମଧ୍ୟରେ 5 ସୁତ୍ରୀୟ ବିଶିଷ୍ଟ ଚୁକ୍ତିନାମାକୁ କାର୍ଯ୍ୟକାରୀ କରିବା ଉପରେ ଭାରତ ଏବଂ ଚୀନ ମଧ୍ୟରେ ବୁଧବାର ଆଉ ଗୋଇଟି ପର୍ଯ୍ୟାୟ ଆଲୋଚନା ହୋଇଛି । ସୀମା ପ୍ରସଙ୍ଗରେ ପରାମର୍ଶ ଏବଂ ସମନ୍ବୟ ପାଇଁ କାର୍ଯ୍ୟନିର୍ବାହୀ ମେକାନିଜିମ (WMCC) ଢାଞ୍ଚାରେ ଏହି ଡିଜିଟାଲ ଆଲୋଚନା ହୋଇଛି ।
ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ଯେ ଭାରତ ଏବଂ ଚୀନ ବାସ୍ତବ ନିୟନ୍ତ୍ରଣ ରେଖା(ଏଲଏସି)ର ସାମ୍ପ୍ରତିକ ସ୍ଥିତିର ସମୀକ୍ଷା କରିଛନ୍ତି । 20 ଅଗଷ୍ଟରେ ପରାମର୍ଶ ଏବଂ ସମନ୍ବୟ ପାଇଁ ୱାର୍କିଂ ମେକାନିଜିମର ଶେଷ ବୈଠକ ପରଠାରୁ ଏହା ଉପରେ ବିସ୍ତୃତ ଆଲୋଚନା କରିଛନ୍ତି। ଏହି ମାସ ଆରମ୍ଭରେ ଦୁଇ ଦେଶର ପ୍ରତିରକ୍ଷା ମନ୍ତ୍ରୀ ଏବଂ ବୈଦେଶିକ ମନ୍ତ୍ରୀଙ୍କ ମଧ୍ୟରେ ହୋଇଥିବା ବୈଠକକୁ ଉଭୟ ପକ୍ଷ ଗୁରୁତ୍ବ ଦେଇଥିଲେ।
କୂଟନୈତିକ ଏବଂ ସାମରିକ ସ୍ତରରେ ପରାମର୍ଶ ଜାରି ରଖିବାକୁ ଭାରତ ଏବଂ ଚୀନ ସହମତି ପ୍ରକଟ କରିଛନ୍ତି ବୋଲି ବୈଦେଶିକ ମନ୍ତ୍ରଣାଳୟ କହିଛି। ପରବର୍ତ୍ତୀ ସପ୍ତମ ପର୍ଯ୍ୟାୟ ବରିଷ୍ଠ କମାଣ୍ଡର ସ୍ତରୀୟ ବୈଠକ ଶୀଘ୍ର ଆରମ୍ଭ ହେବା ଉଚିତ ବୋଲି କୁହାଯାଇଛି ।
ସୂତ୍ରରୁ ପ୍ରକାଶ ଯେ ଉତ୍ତେଜାନାକୁ କମ କରିବା ଏହି ଆଲୋଚନାର କେନ୍ଦ୍ର ବିନ୍ଦୁ ରହିଥିଲା । 10 ସେପ୍ଟେମ୍ବରରେ ମସ୍କୋରେ ଦୁଇ ଦେଶର ବୈଦେଶିକ ମନ୍ତ୍ରୀଙ୍କ ମଧ୍ୟରେ ପାଞ୍ଚ ସୁତ୍ରୀୟ ଚୁକ୍ତି କାର୍ଯ୍ୟକାରୀ କରିବାର ଉପାୟ ଉପରେ ଭାରତ ଏବଂ ଚୀନ ଆଲୋଚନା କରିଥିଲେ। ବେଜିଂରେ ଚୀନ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ୱାଙ୍ଗ ୱେନବିନ ଗଣମାଧ୍ୟମକୁ କହିଛନ୍ତି ଯେ ଚୀନ-ଭାରତ ସୀମା ପ୍ରସଙ୍ଗରେ ଦୁଇ ଦେଶ ଡବ୍ଲ୍ୟୁଏମସିସିର 19 ତମ ବୈଠକ ଆୟୋଜନ କରୁଛନ୍ତି ।