- ଭାରତ ବର୍ଷକୁ ପ୍ରାୟ 75 ହଜାର କୋଟି ଟଙ୍କାର ଖାଇବା ତେଲ ଆମଦାନୀ କରିଥାଏ
- ବିଦେଶୀ ଚାଷୀଙ୍କୁ ମିଳୁଛି ଦେଶୀ ପାଣ୍ଠି, ଦେଶରେ କମୁଛି ତୈଳ ବୀଜ ଚାଷ
ବିଦେଶରେ ନିଆଯାଉଥିବା ଛୋଟ ମୋଟ କଟକଣା ଏବେ ଆମ ରୋଷେଇ ଘରେ ପ୍ରଭାବ ପକାଇବାକୁ ଯାଉଛି। ଏହାର ଏକ ଉଦାହରଣ ହେଉଛି- ଗଲା କିଛି ଦିନ ହେଲା ମାଲେସିଆ ଓ ଇଣ୍ଡୋନେସିଆ ଭଳି ଦେଶରେ ପାରମ୍ପରିକ ଶକ୍ତି ବଦଳରେ ବାୟୋଫ୍ୟୁଏଲ୍ ବ୍ୟବହାର ପାଇଁ ନିଆଯାଇଥିବା ନିଷ୍ପତ୍ତି। ସେ ଦେଶଗୁଡ଼ିକର ଏହି ନିଷ୍ପତ୍ତି ଆମ ଦେଶରେ ତାଳ ତୈଳ (ପାମ୍ ଅଏଲ) ଦରକୁ 10 ପ୍ରତିଶତ ବଢ଼ାଇ ଦେଇଛି। ଏହି ଦେଶଗୁଡ଼ିକ ସାଧାରଣତଃ ପାମ୍ ଅଏଲ୍ ପ୍ରସ୍ତୁତି ଲାଗି ପାରମ୍ପରିକ ଶକ୍ତି ଉତ୍ସକୁ ବ୍ୟବହାର କରୁଥିଲେ। କିନ୍ତୁ ପରିବେଶ ପ୍ରଦୂଷଣକୁ କମାଇବା ତଥା ଆନ୍ତର୍ଜାତୀୟ ଚାପକୁ ଆଖିରେ ରଖି ଜୈବିକ ଶକ୍ତି ଉତ୍ସବକୁ ବ୍ୟବହାର କରିବା ଲାଗି ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଫଳରେ ତାଳ ତେଲ ଗଲା 4 ମାସ ଭିତରେ କ୍ୟୁଣ୍ଟାଲ୍ ପିଛା 5444ଟଙ୍କାରୁ 6914ଟଙ୍କାରେ ପହଞ୍ଚିଛି। ଅର୍ଥାତ ଏକ ଲିଟର ତାଳ ତେଲର ଦାମ୍ ସର୍ବନିମ୍ନ ୮୫ ଟଙ୍କାରେ ପହଞ୍ଚିଛି। ତେବେ ସେ ଦେଶର କଟକଣାର ପ୍ରଭାବ ଆମ ଦେଶ ଉପରେ କାହିଁକି? ଏହାର କାରଣ ହେଉଛି ଆମ ଦେଶର ରୋଷେଇ ଘରଗୁଡ଼ିକରେ ବ୍ୟବହାର ହେଉଥିବା ପାମ୍ ଅଏଲ୍ ମୁଖ୍ୟତଃ ଏହି ଦେଶଗୁଡ଼ିକରୁ ଆମଦାନୀ ହୋଇଥାଏ। ଏଣୁ ସେ ଦେଶରେ ଦର ବଢ଼ିଲେ ଆମ ଦେଶରେ ତାହାର ପ୍ରଭାବ ପଡ଼ିବା ନିଶ୍ଚିତ।
ଆମ ଦେଶରେ ତାଳ ତେଲ ମୁଖ୍ୟତଃ ଗରିବ ଲୋକଙ୍କ ରୋଷଇ ଘରର ଏକ ପ୍ରମୁଖ ଅଙ୍ଗ। ଖାଲି ସେତିକି ନୁହେଁ, ବାଦାମ, ସୋୟାବିନ୍, ଶୋରିଷ ଏବଂ ସୂର୍ଯ୍ୟମୂଖୀ ତେଲ ଦର ମଧ୍ୟ ଏବେ ଆକାଶ ଛୁଆଁ ହୋଇଛି। କପା ମଞ୍ଜି ତେଲ ଦର ବି ସେହିଭଳି ବଢ଼ି ଚାଲିଛି। ଯେଉଁ ସରକାର ଦେଶ ଭିତରେ ଥିବା ଚାଷୀଙ୍କୁ ତୈଳ ବୀଜ ଚାଷ ପାଇଁ ପ୍ରୋତ୍ସାହନ ଦେବାଲାଗି ଅକ୍ଷମତା ପ୍ରକାଶ କରୁଛନ୍ତି ସେହି ସରକାର ବିଦେଶରୁ ତୈଳ ଆମଦାନୀ ପାଇଁ ବର୍ଷକୁ ପାଖାପାଖି 75 ହଜାର କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ଏଣୁ ଏହା ଯଦି 80 ହଜାର କୋଟି ଟଙ୍କାକୁ ପହଞ୍ଚେ ତେବେ ଆଶ୍ଚର୍ଯ୍ୟର ବିଷୟ ବୋଲି କିଛି ରହିବ ନାହିଁ! ଚଳିତ ଆର୍ଥିକ ବର୍ଷ ସରକାର କୃଷକଙ୍କ ଲାଗି ଘୋଷଣା କରିଥିବା ସ୍ଵତନ୍ତ୍ର ପ୍ରଧାନମନ୍ତ୍ରୀ କିଶାନ ନିଧି ଯୋଜନାରେ ଚାଷୀଙ୍କୁ ପ୍ରତିବର୍ଷ 6ହଜାର ଟଙ୍କା ପ୍ରଦାନ କରିବା ଲାଗି ବଜେଟ୍ରେ 75 ହଜାର କୋଟି ଟଙ୍କା ବନ୍ଦୋବସ୍ତ ହୋଇଛି। ଗତ ନଭେମ୍ବରରେ ଭାରତ 10.96 ଟନ ଖାଇବା ତେଲ ମାଲେସିଆ, ଆର୍ଜେଣ୍ଟିନା, ବ୍ରାଜିଲ୍, ଋଷ, ୟୁକ୍ରାଏନ୍, ରୋମାନିଆ ପ୍ରଭୃତି ରାଷ୍ଟ୍ରରୁ ଆମଦାନୀ କରିଛି। କେବଳ ଚଳିତ ମାସରେ ଭାରତର ସୋୟା ତେଲ ଆମଦାନୀ ପରିମାଣ ହେଉଛି ୧୧ ହଜାର ଟନ୍ । ତାହା ପୁଣି ମରୁଭୂମି ଦେଶ ସାଉଦି ଆରବରୁ।
ଦେଶୀ ତେଲକୁ ନେଇ ଅପପ୍ରଚାର
ବିଗତ ତିନି ଦଶନ୍ଧି ହେଲା ବହୁଦେଶୀୟ କମ୍ପାନୀମାନେ ଆମ ଦେଶରେ ପାରମ୍ପରିକ ଭାବେ ବ୍ୟବହାର ହୋଇ ଆସୁଥିବା ବିଭିନ୍ନ ପ୍ରକାର ଖାଇବା ତେଲକୁ ହୃଦ୍ରୋଗର କାରଣ ବୋଲି ଦର୍ଶାଇ ସେଥି ନେଇ ଅପପ୍ରଚାର କରିଲେ। ଏହାଫଳରେ ବିଦେଶରୁ ଆସୁଥିବା ସୂର୍ଯ୍ୟମୁଖୀ, ରିଫାଇନ୍, ତାଳ ତେଲ ଏବଂ ସୋୟାବିନ୍ ତେଲକୁ ଲୋକେ ଅଧିକ ମାତ୍ରାରେ ବ୍ୟବହାର କଲେ। ଆଉ ଆମ ରୋଷେଇଘରୁ ଗୁଆ ଘିଅ, ବାଦାମ, ରାଶି, ନଡ଼ିଆ ତେଲ ପ୍ରଭୃତି ଗାଏବ ହୋଇଗଲା। ସମୟ କ୍ରମେ ଆମେ ବିଦେଶୀ ତେଲ ଉପରେ ଏତେ ନିର୍ଭରଶୀଳ ହୋଇଗଲୁ ଯେ, ଦିନକୁ ଦିନ ଆମର ତୈଳ ଆମଦାନୀ ବଢ଼ି ଚାଲିଲା। ନଭେମ୍ବର ୨୦୧୮ରୁ ଅକ୍ଟୋବର ୨୦୧୯ ମସିହା ଭିତରେ ଆମ ଦେଶର ଚାହିଦାକୁ ପୂରଣ କରିବା ଲାଗି ବିଭିନ୍ନ କମ୍ପାନୀ ପ୍ରାୟ ୧କୋଟି ୪୯ ଲକ୍ଷ ଟନ୍ ଖାଇବା ତେଲ ଆମଦାନୀ କରିଛନ୍ତି। ପୂର୍ବବର୍ଷ ଅପେକ୍ଷା ଏହା ୪ ଲକ୍ଷ ଟନ୍ ଅଧିକ। ଏହି ସମୁଦାୟ ଆମଦାନୀରେ ସର୍ବାଧିକ ଆମଦାନୀ ହେଉଥିବା ତେଲ ଭିତରେ ରହିଛି- ତାଳ, ସୂର୍ଯ୍ୟମୁଖୀ ଏବଂ ସୋୟା ତେଲ। ଏହାର ପରିମାଣ ହେଉଛି ୧କୋଟି ୪୭ ଲକ୍ଷ ଟନ୍। ସମୁଦାୟ ତୈଳ ଆମଦାନୀରେ ଏହା ହେଉଛି ୯୮ ପ୍ରତିଶତ। ଆମ ଦେଶରେ ଖାଇବା ତେଲର ଅଭାବ ଏବେ ଏତେ ଉତ୍କଟ ହୋଇଛି ଯେ, ଲୋକେ କମ୍ ଗୁଣାତ୍ମକ ତେଲକୁ ମଧ୍ୟ ଖାଦ୍ୟରେ ବ୍ୟବହାର କରିବାକୁ ପଛାଉ ନାହାନ୍ତି। ଉଦାହରଣ ସ୍ଵରୂପ କପା ତେଲ। ବଡ଼ ବଡ଼ ବହୁ ରାଷ୍ଟ୍ରୀୟ କମ୍ପାନୀମାନେ ଭାରତରେ ବିଟି କପାଚାଷକୁ ବ୍ୟାପ୍ତ କରିବା ଉଦ୍ଦେଶ୍ୟରେ ଏହିପରି କପା ତେଲକୁ ବଜାରକୁ ଛାଡ଼ୁଛନ୍ତି। ଖାଲି ସେତିକି ନୁହେଁ ଏହି ତେଲର ଚାହିଦା ମଧ୍ୟ ଦିନକୁ ଦିନ ବଢ଼ାଉଛନ୍ତି। ଯେଉଁ କପାରୁ ତିଆରି ସୂତା ଖରାପ ମାନର ହେଉଥିବା ଯୋଗୁ ତାହାକୁ ୟୁରୋପୀୟ ଦେଶରେ ଚାଷ କରିବା ଲାଗି ପ୍ରତିବନ୍ଧକ ଲଗାଯାଇଛି,ସେଠାରେ ଭାରତ ଭଳି ରାଷ୍ଟ୍ର ଏହାକୁ ଅଧିକ ପ୍ରୋତ୍ସାହନ ଦେଉଛନ୍ତି। ଏପରିକି ଏହି ପ୍ରକାର ମଞ୍ଜି ବିକ୍ରି କରୁଥିବା କମ୍ପାନୀମାନେ ବିଭିନ୍ନ ରାଜ୍ୟରେ ଦିଆଯାଉଥିବା ଖାଇବା ତେଲ କାରଖାନା ସ୍ଥାପନ ଲାଗି ପ୍ରଚଳିତ ରିହାତି ବ୍ୟବସ୍ଥାରେ ନିଜକୁ ଅନ୍ତର୍ଭୁକ୍ତ କରିବା ପାଇଁ ଲବି ଚଳାଉଛନ୍ତି। ଭାରତରେ ଏବେ ଏହି ପ୍ରକାର ବିଟି କପା ମଞ୍ଜି ଉତ୍ପାଦନ ବର୍ଷକୁ ୧୨ ଲକ୍ଷ ଟନକୁ ଛୁଇଁଛି। ଗୁଜରାଟ୍ରେ ବିଟି କପା ମଞ୍ଜିରୁ ତେଲ ଉତ୍ପାଦନକାରୀ କାରଖାନା ସଂଖ୍ୟା ଯଥେଷ୍ଟ ଅଧିକ । ତେଲଙ୍ଗାନାରେ ଏବେ ଏହା ବ୍ୟାପିବା ଆରମ୍ଭ କରିଛି। କିଛିଦିନ ତଳେ ବିଟି କପା ଓ ସୋରିଷ ଚାଷର ପ୍ରୋତ୍ସାହନ ଲାଗି ଭାରତ ସରକାର କରିଥିବା ଉଦ୍ୟମକୁ ବିରୋଧ କରାଯାଇଥିଲେ ମଧ୍ୟ ତାହା ଏକ ପ୍ରହସନରେ ପରିଣତ ହୋଇଥିଲା। ଅନ୍ୟପକ୍ଷରେ ବିଟି କପା ତେଲର ଚାହିଦା ଦିନକୁ ଦିନ ବଢ଼ିବା ପ୍ରମାଣିତ କୁଛି ଯେ ଦେଶରେ ଖାଇବା ତେଲର ଯଥେଷ୍ଟ ଅଭାବ ରହିଛି। ହୃତ୍ପିଣ୍ଡର ସ୍ଵାସ୍ଥ୍ୟ ଭଲ ରହିବ ବୋଲି ବିଜ୍ଞାପନକୁ ଦେଖି ଦିନକୁ ଦିନ ଲୋକେ ରିଫାଇନ୍ ତେଲ କିଣୁଛନ୍ତି। ଗତବର୍ଷ 27.30 ଲକ୍ଷ ଟନ୍ ରିଫାଇନ୍ ତେଲ ବିଦେଶରୁ ଆମଦାନୀ ହୋଇଛି। ଅପରପକ୍ଷରେ ପାରମ୍ପରିକ ଭାବେ ଭାରତରେ ଚଳୁଥିବା ଚିନାବାଦାମ ତେଲ ସ୍ଵାସ୍ଥ୍ୟ ପକ୍ଷେ ହାନୀକାରକ ବୋଲି ଅପପ୍ରଚାର ଚଳାଯିବା ହେତୁ ଦେଶରେ ଅମଳ ହୋଇଥିବା ବାଦାମରୁ ଅଧିକାଂଶ ଭାଗ ବିଦେଶକୁ ରପ୍ତାନୀ ହୋଇଥିଲା। ଦେଶର ସମୁଦାୟ 10 ଲକ୍ଷ ଏକର ଜମିରୁ 27.33 ଲକ୍ଷ ଟନ୍ ତୈଳବୀଜ ଗତବର୍ଷ ଅମଳ ହୋଇଥିଲା। ଏଥିରୁ 13.46% ଅର୍ଥାତ୍ 3.68 ଲକ୍ଷ ତୈଳବୀଜ ହେଉଛି ଚିନା ବାଦାମ। ଏଥିରୁ 3.15 ଲକ୍ଷ ଟନ୍ ଚିନା ବାଦାମ ବିଦେଶକୁ ରପ୍ତାନୀ କରାଯାଇଛି। ଯେଉଁ ଚିନା ବାଦାମକୁ ଆମେ ଖାଇବା ଯୋଗ୍ୟ ତୈଳବୀଜରୁ ଅମଳ ହେଉଥିବା ତୈଳକ ଆମେ ଅଖାଦ୍ୟ ବୋଲି ଅପପ୍ରଚାର କରିଲୁ ସେଥିରୁ ସବୁଠାରୁ ଅଧିକ ତୈଳ ଅମଳ ହେଉଛି ବୋଲି ଆନ୍ତର୍ଜାତୀୟ ବଜାରରେ ତାହାର ଚାହିଦା ଦେଖିବାକୁ ମିଳୁଛି। ଆମ ଦେଶରେ ଆଉ ଏକ ଚାହିଦା ଥିବା ତୈଳ ହେଉଛି ସୋୟାବିନ୍ ତେଲ। ହେଲେ ଆମ ଦେଶରେ ମାତ୍ର 12ଲକ୍ଷ ଟନ ସୋରା ମଞ୍ଜି ଅମଳ ହୁଏ। ଏଥିରୁ ମାତ୍ର 86.60 ଲକ୍ଷ ଟନ ତେଲ ଅମଳ ହୁଏ। ଚାହିଦାକୁ ମେଣ୍ଟାଇବା ଲାଗି ଆର୍ଜେଣ୍ଟିନା ଓ ବ୍ରାଜିଲ ପରି ଦେଶରୁ ସରକାର 31 ମିଲିୟନ ଟନ ସୋୟା ମଞ୍ଜି ତେଲ ଆମଦାନୀ କରିଛନ୍ତି।
ନିମ୍ନରେ ଆମ ଦେଶରେ ତେଲର ଚାହିଦା ଓ ସେଥିଲାଗି ହେଉଥିବା ଆମଦାନୀ ପରିମାଣ ଉଲ୍ଲେଖ କରାଗଲା।
ବର୍ଷ | ଚାହିଦା (ମିଲିୟନ୍ ଟନ୍ରେ) | ଆମଦାନୀ (ମିଲିୟନ୍ ଟନ୍ରେ) | ଖର୍ଚ୍ଚ (କୋଟିରେ) | ମୁଣ୍ଡ ପିଛା ଉପଲବ୍ଧି (କିଲୋରେ) |
---|---|---|---|---|
୨୦୧୨-୧୩ | ୧୯.୮୨ | ୧୦.୮୧ | ୫୩୫୬୨ | ୧୫.୮୦ |
୨୦୧୩-୧୪ | ୨୧.୦୬ | ୧୦.୯୮ | ୪୪,୦୩୮ | ୧୬.୮୦ |
୨୦୧୪-୧୫ | ୨୧.୭୧ | ୧୨.୭୧ | ୬୪୮୯୪ | ୧୮.୩୦ |
୨୦୧୫-୧୬ | ୨୪.୦୪ | ୧୪.୮୫ | ୬୮୬୭୭ | ୧୯.୧୦ |
୨୦୧୬-୧୭ | ୨୪.୭୫ | ୧୪.୦୦ | ୭୩୦୪୮ | ୧୮.୭୫ |
୨୦୧୭-୧୮ | ୨୫.୮୮ | ୧୫.୩୫ | ୭୪୯୯୬ | ୧୯.୩୦ |
ଅକ୍ଟୋବରରୁ ଆରମ୍ଭ ହୋଇଥିବା ରବି ଋତୁରେ ଗଲା ଡିସେମ୍ବରରେ ଶେଷ ହୋଇଛି। ଏହି ସମୟ ଭିତରେ 1.85 କୋଟି ଏକର ପରିମିତ ଜମିରେ ତୈଳ ବୀଜ ଚାଷ କରାଯାଇଛି। ଗଲା ବର୍ଷ ରବି ଋତୁକୁ ତୁଳନା କଲେ ସେ ବର୍ଷ 1.5 ଲକ୍ଷ ଏକର ଜମିରେ ତୈଳବୀଜ ଚାଷ କରାଯାଇଥିଲା। ତେଲେଙ୍ଗାନା ଏବଂ ଆନ୍ଧ୍ର ପ୍ରଦେଶ ଭଳି ରାଜ୍ୟରେ ରବିଋତୁ ଶେଷ ହୋଇଛି। ଯଦି ଆମେ ସାରା ଦେଶକୁ ତୁଳନା କରିବା ତେବେ ନୀତିଗତ ଭାବେ ଭାରତ ସରକାର 2018ରେ ଏକ ସଂକଳ୍ପ ପାରିତ କରାଇଲେ ଯେ, 2022 ସୁଦ୍ଧା ଦେଶରେ ତୈଳ ବୀଜ ଉତ୍ପାଦନକୁ ଦ୍ବିଗୁଣିତ କରିବେ। କିନ୍ତୁ ଦୁର୍ଭାଗ୍ୟର ବିଷୟ କି 2019 ବର୍ଷ ଶେଷ ବେଳକୁ ଆମେ ଯେତେବେଳେ ଏ ବିଷୟକୁ ଅନୁଧ୍ୟାନ କରିବା ଆରମ୍ଭ କଲୁ ସେତେବେଳେ ଜଣାପଡ଼ିଲା ଯେ, ଦେଶରେ ତୈଳବୀଜ ଅମଳ ଯଥେଷ୍ଟ କମିଛି। ଏଥିରୁ ଜଣାପଡ଼ୁଛି ଯେ ଆମ ଦେଶରେ ତୈଳବୀଜ ଅମଳରେ ଧାର୍ଯ୍ୟ କରାଯାଉଥିବା ଲକ୍ଷ୍ୟ ଓ ଅମଳର ରଣନୀତିରେ କିଛି ଭୁଲ୍ ରହୁଛି। ଆମ ଦେଶରେ ସମୁଦାୟ ଚାଷ ଜମି ପରିମାଣ ହେଉଛି 2.60 କୋଟି ହେକ୍ଟର।
ସେଥିରୁ 72 ପ୍ରତିଶତ ଜମିରେ ଚାଷ ପାଇଁ ଆମେ ବର୍ଷାଜଳ ଉପରେ ନିର୍ଭର କରିଥାଉ। ସବୁଠାରୁ ବଡ ସମସ୍ୟା ହେଉଛି ଆମେ ସ୍ଥାନୀୟ ଅଞ୍ଚଳର ଆବଶ୍ୟକତା ମେଣ୍ଟାଇବା ପାଇଁ ଆବଶ୍ୟକ ଚାଷ କାର୍ଯ୍ୟ କରିପାରୁ ନାହୁଁ। ନିକଟରେ ଉଦ୍ୟାନକୃଷି ବିଭାଗ ଲକ୍ଷ୍ୟ ରଖିଲେ ,ଯେ ତେଲେଙ୍ଗାନାର 7 ଲକ୍ଷ ଏକର ଜମିରେ ତାଳ ଗଛ ଚାଷ ହେବ। ଏଥିଲାଗି ଚାଷୀଙ୍କୁ ଆକୃଷ୍ଟ କରିବା ଲାଗି ପଦକ୍ଷେପ ନିଆଗଲା। ଏ ସମସ୍ତ ମିଶନ ପଛାରେ ମୁଖ୍ୟ ଲକ୍ଷ୍ୟ ରହିଲା ଯେ ତାଳ ତେଲ ଅମଳ କରିବା। ଏହି ଅମଳ ହେଲେ ଆମେ ଆଉ ବିଶେଷ ଭାବେ ତେଲ ଆମଦାନୀ ଉପରେ ନିର୍ଭର କରିବା ନାହିଁ। କିନ୍ତୁ ଆମର ପ୍ରଶାସନିକ ସମସ୍ୟା ଏତେ ଅଧିକ ଯେ ଆମେ ଦୁଇ ବର୍ଷ ବିତିଯାଇଥିଲେ ମଧ୍ୟ କାରଖାନା ପ୍ରତିଷ୍ଠା ଲାଗି ଆବଶ୍ୟକ ସରକାରୀ ଅନୁମୋଦନ ପାଇପାରିଲୁ ନାହିଁ। ସେପଟେ କିନ୍ତୁ ଆମର ଆବଶ୍ୟକକୁ ମେଣ୍ଟାଇବା ଲାଗି ବିଦେଶରୁ ଆମଦାନୀ ପରିମାଣ ବଢ଼ିବାରରେ ଲାଗିଲୁ। ଫଳରେ ବିଗତ 10 ବର୍ଷ ଭିତରେ ଆମର ଖାଇବା ତେଲ ଆମଦାନୀ ପରିମାଣରେ 174 ପ୍ରତିଶତ ବୃଦ୍ଧି ହୋଇଛି।
ଏବେ ଆମ ଦେଶରେ ମୁଣ୍ଡପିଛା ବାର୍ଷିକ ଖାଇବା ତେଲ ଖର୍ଚ୍ଚ ହେଉଛି 19 କିଲୋ। ଆଶା କରାଯାଉଛି 2022-23 ବର୍ଷ ବେଳକୁ ଏହା 22 କିଲୋରେ ପହଞ୍ଚିବ। ଏଭଳି ଏକ ସ୍ଥିତିର ସମ୍ମୁଖୀନ ହେବା ଲାଗି ଆମକୁ 3.10 କୋଟି ଟନ ତୈଳ ଆବଶ୍ୟକ ହେବ। ସେଥିପାଇଁ 3.10 କୋଟି ହେକ୍ଟର ଚାଷ ଜମିରେ ତୈଳବୀଜ ଚାଷ କରିବାକୁ ହେବ।
ଆମର ତୈଳବୀଜ ଚାଷ ଓ ଅମଳ ପରିମାଣ ବଢ଼ାଇବା ଲକ୍ଷ୍ୟ ନେଇ କେନ୍ଦ୍ର ସରକାର ଏକ ସ୍ଵତନ୍ତ୍ର ତୈଳବୀଜ ମିଶନ ଆରମ୍ଭ କରିଛନ୍ତି। ଲକ୍ଷ୍ୟ ରଖାଯାଇଛି ଆମର ତୈଳ ବୀଜ ଅମଳକୁ 2022-23 ବର୍ଷ ସୁଦ୍ଧା 1.36 କୋଟିରେ ପହଞ୍ଚାଇବା। ଏବେ ଆମେ ପ୍ରାୟ 73.10 ଲକ୍ଷ ଟନ୍ ତୈଳବୀଜ ଅମଳ କରିପାରୁଛୁ। ଅର୍ଥାତ୍ ଆମେ ଯେଉଁ ଲକ୍ଷ୍ୟ ରଖିଛୁ ତାହା ଦ୍ଵିଗୁଣିତ ଅମଳ ଆଶା କରୁଛି। ହେଲେ ଏହି ଶନର ଠିକଣା ପ୍ରଣୟନ ତଥା ପାରମ୍ପରିକ ଚାଷୀଙ୍କୁ ତୈଳବୀଜ ଚାଷ ଆଡ଼କୁ ମୁହାଁଇବା ଲାଗି ନିଆଯାଉଥିବା କ୍ଷେତ୍ରସ୍ତରୀୟ ପଦକ୍ଷେପରେ ଆମେ ବିଫଳ ହୋଇଛୁ। ଅର୍ଥାତ୍ ଆମର ଅମଳ ଲକ୍ଷ୍ୟ ପୂରଣ ହେବା ପଥରୁ ଆମେ ହଟିଛୁ।
ଚାଷୀଙ୍କୁ ପ୍ରୋତ୍ସାହନ ଆବଶ୍ୟକ:
ପାରମ୍ପରିକ ଭାବେ ଆମେ ଖାଉଥିବା ତେଲ ମୁଖ୍ୟତଃ 9ଟି ତୈଳବୀଜରୁ ଅମଳ କରାଯାଇଥାଏ। କିନ୍ତୁ ଏହି ମଞ୍ଜି ଉପରେ ଆମେ ନିର୍ଭର କରିଲେ ଆମ ଲକ୍ଷ୍ୟ ପୂରଣ ହୋଇପାରିବ ନାହିଁ। ଏଣୁ ଆମକୁ ବିକଳ୍ପ ଚିନ୍ତା କରିବାକୁ ହେବ। ଏହାକୁ ଆଖିରେ ରଖି ଆମକୁ ରାଇସ୍ ବ୍ରାନ୍, ନଡ଼ିଆ, କପା ମଞ୍ଜିରୁ ତେଲ ବାହାର କରିବା ପ୍ରକ୍ରିୟାକୁ ଗୁରୁତ୍ଵ ଦେବାକୁ ହେବ। ଏଣୁ ଏସବୁ ମଞ୍ଜିା ଅମଳ ପରିମାଣ 2022 ସୁଦ୍ଧା 52.20 ଲକ୍ଷ ଟନରେ ପହଞ୍ଚାଇବାକୁ ହେବ। ଯଦି ଏହି ଲକ୍ଷ୍ୟ ପୂରଣ ହୁଏ ତେବେ ଆମର ଖାଇବା ତେଲ ଆମଦାନୀ ପରିମାଣ 64 ପ୍ରତିଶତରୁ 15 ପ୍ରତିଶତକୁ ଖସି ଆସିବ। ଏହା ହେଲେ ସରକାରୀ ତହବିଲ୍ରେ ପ୍ରତି ବର୍ଷ ୫୦ ମିଲିୟନ୍ ଟଙ୍କା ସଞ୍ଚୟ ହୋଇପାରିବ।
ଏଥିଲାଗି ପ୍ରଥମ ଆବଶ୍ୟକ ହେଉଛି ଚାଷୀମାନଙ୍କୁ ତୈଳବୀଜ ଚାଷ ପାଇଁ ଉତ୍ସାହିତ କରିବା। ଚାଷୀମାନେ ଅମଳ କରୁଥିବା ତୈଳବୀଜ କିଣିନେବା ପାଇଁ ସରକାର ଆଶ୍ଵାସନା ଦେବା ଆବଶ୍ୟକ। ତାହା ହେଲେ ଯାଇ ଚାଷୀ ଏଥିଲାଗି ନିଜ ଭିତରେ ଆତ୍ମ ବିଶ୍ଵାସ ଆଣିପାରିବେ। ଏହି ତୈଳବୀଜ କିଣିବା ଲାଗି ସରକାରଙ୍କ ପକ୍ଷରୁ ଏକ ସର୍ବନିମ୍ନ ସହାୟକ ମୂଲ୍ୟ ନିର୍ଦ୍ଧାରଣ କରିବାକୁ ହେବ। ଅନ୍ୟପକ୍ଷରେ ଦେଖିବାକୁ ଗଲେ ଆମର ୭୨ ପ୍ରତିଶତ ଜମିରେ ବର୍ଷା ଭିତ୍ତିକ ଚାଷ ହୋଇଥାଏ। ଯଦି ବର୍ଷା ନହୁଏ ତେବେ ଏସବୁ ଜମିରେ ମରୁଡ଼ି ହେବା ଆଶଙ୍କା ରହିଛି। ଏଣୁ ଏଭଳି ଜମିରେ ଅମଳ ହୋଇପାରୁଥିବା ତୈଳ ବୀଜ ବିହନ ବିକାଶ କରାଯିବା ଦରକାର। ଏ ବାବଦରେ ଗବେଷଣା ନିହାତି ଆବଶ୍ୟକ।
ଦେଶରେ ସର୍ବାଧିକ ପ୍ରକାରର ଚିନାବାଦାମ ତେଲୁଗୁ ଚାଷୀମାନେ ଅମଳ କରୁଛନ୍ତି। ଏଣୁ ଯେତେବେଳେ ଆମେ ତୈଳ ବୀଜ ଚାଷ ପାଇଁ ପ୍ରୋତ୍ସାହନ କଥା ଚିନ୍ତା କରୁଛୁ ସେତେବେଳେ ତେଲୁଗୁ ଚାଷୀଙ୍କ ସ୍ଵାର୍ଥକୁ ଧ୍ୟାନ ଦେବା ଆବଶ୍ୟକ। ଏକ ଆକଳନରୁ ଜଣାପଡ଼ିଛି ଯେ, ବିଶ୍ଵସ୍ତରରେ ତୈଳ ଖର୍ଚ୍ଚ ବଢ଼ିବାରେ ଲାଗିଛି। 2030 ସୁଦ୍ଧା ମୁଣ୍ଡ ପିଛା ତୈଳ ଖର୍ଚ୍ଚ ପରିମାଣ 45 ପ୍ରତିଶତ ବଢ଼ିବା ସମ୍ଭାବନା ରହିଛି। ଏହାଦ୍ଵାରା ବର୍ତ୍ତମାନ ଆମେ ଯେଉଁ 150 ମିଲିୟନ ଟନ ତେଲ ବିଦେଶରୁ ଆମଦାନୀ କରୁଛୁ ତାହାର ପରିମାଣ 2.50 କୋଟି ଟନରେ ପହଞ୍ଚିବ। ଯେତେବେଳେ ଲୋକଙ୍କ କିଣିବାର ଶକ୍ତି ବଢ଼ୁଛି ସେତେବଳେ ତେଲ ଖାଇବା ପରିମାଣ ବଢ଼ିବା ସ୍ଵାଭାବିକ। ତେଣୁ ସରକାର ଏ ଦିଗରେ ଚାଷୀଙ୍କ ସଚେତନତା ବୃଦ୍ଧି କରି ଆବଶ୍ୟକ ଚାଷ ପାଇଁ ପ୍ରୋତ୍ସାହନ ଦେବା ଜରୁରୀ। ଏହିକ୍ରମରେ ଚାଷୀମାନେ ଅମଳ କରୁଥିବା ତୈଳ ବୀଜକୁ ତେଲରେ ରୂପାନ୍ତର କରିବା ପାଇଁ ଅତ୍ୟାଧୁନିକ କଳ ବସାଇବା ଲାଗି ଉଦ୍ୟମ କରିବା ଦରକାର। ବିଦେଶରୁ ଶୋଧିତ ତୈଳ ବା ରିଫାଇନ୍ ତେଲ ଆମଦାନୀକୁ ସମ୍ପୂଣ୍ଣ ଭାବେ ବନ୍ଦ କରିବା ଆବଶ୍ୟକ। ଯେଉଁ ଜମିରେ ତୈଳ ବୀଜ ହୋଇପାରୁଛି ସେ ଜମିରେ ଅନ୍ୟ ଚାଷକୁ ବନ୍ଦ କରିବା ଦରକାର। ଏହି ଭଳି କିଛି ପଦକ୍ଷେପ ଗ୍ରହଣ ନକରିଲେ ଆମେ ଲକ୍ଷ୍ୟ ହାସଲ କରିପାରିବା ନାହିଁ। ଫଳରେ ଆମ ଭବିଷ୍ୟତ ଅନେକ ସମସ୍ୟା ଆଡ଼କୁ ଗତି କରିବ।