ନୂଆଦିଲ୍ଲୀ: ପାକିସ୍ତାନର ପଞ୍ଜାବ ପ୍ରଦେଶରେ ଅବସ୍ଥିତ ନନକାନା ସାହିବ ଗୁରୁଦ୍ବାରରେ ପଥର ମାଡ ଘଟଣାକୁ ନେଇ ସବୁଠି ଆକ୍ରୋଶର ନିଆଁ ଜଳୁଥିବାବେଳେ ଏଥିରେ ଘିଅ ଢାଳିବାର କାମ କରୁଥିବା ଜଣେ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ। ଗିରଫ ଅଭିଯୁକ୍ତର ନାଁ ଇମରାନ ଚିସ୍ତି ବୋଲି ଜଣାପଡିଛି। ଏଥିସହ ପାକିସ୍ତାନରେ ଗୁରୁଦ୍ବାର ଉପରେ ଆକ୍ରମଣ ଘଟଣା ନେଇ ପାକିସ୍ତାନକୁ ତାଗିଦ କରିଛି ଭାରତ।
ଗତ 3 ତାରିଖରେ ପାକିସ୍ତାନରେ ଶିଖଙ୍କ ପବିତ୍ର ଧର୍ମପୀଠ ନନକାନା ସାହିବ ଗୁରୁଦ୍ବାରକୁ ଘେରି ଯାଇ ଶହଶହ ସ୍ଥାନୀୟ ମୁସଲିମ ଲୋକେ ପଥରମାଡ କରିଥିଲେ। ଉକ୍ତ ସ୍ଥାନରେ ଗୁରୁଦ୍ବାରର ଉପସ୍ଥିତିକୁ ବିରୋଧ କରିଥିଲେ । ଏହାସହ ଆକ୍ରମଣକାରୀ ଗୁରୁଦ୍ବାରକୁ ଭାଙ୍ଗି ଦେବାକୁ ଧମକ ଦେବା ସହ ଏହାର ନାମ ବଦଳାଇ ଗୁଲାମ-ଏ-ମୁସ୍ତଫା କରିବାକୁ ଧମକ ଦେଇଥିଲେ । ନନକାନା ସାହିବରେ ଶିଖ୍ ଧର୍ମର ସଂସ୍ଥାପକ ଗୁରୁ ନାନକଙ୍କ ଜନ୍ମ ହୋଇଥିବାବେଳେ ଏହା ଶିଖ୍ ଧର୍ମାବଲମ୍ବୀଙ୍କ ଏକ ପବିତ୍ରସ୍ଥଳ।