ଚେନ୍ନାଇ: ବେଆଇନ୍ ଭାବରେ ଭାରତରେ ଅନୁପ୍ରବେଶ କରିଥିବା 5 ଜଣ ବାଂଲାଦେଶୀଙ୍କୁ ଗିରଫ କରାଯାଇଛି । ତାମିଲନାଡୁର କୃଷ୍ଣାଗିରି ପୋଲିସ ସେମାନଙ୍କୁ ଗିରଫ କରିଛି ।
କେତେକ ବାଂଲାଦେଶୀ ଅନୁପ୍ରବେଶକାରୀ ବେଆଇନ ଭାବରେ ଭାରତ ଆସି ତାମିଲନାଡୁ କୃଷ୍ଣାଗିରି ଜିଲ୍ଲାର କୋତାପେଟା ଗ୍ରାମରେ ରହୁଥିବା ପୋଲିସକୁ ସୂଚନା ମିଳିଥିଲା । ସୂଚନା ପାଇ ପୋଲିସ ସେଠାରେ ଚଢାଉ କରି 5 ଜଣଙ୍କୁ ଗିରଫ କରିଥିଲା । ତେବେ ଏହି 5 ଜଣଙ୍କ ମଧ୍ୟରେ ଗୋଟିଏ ପରିବାରର 4ଜଣ ଥିବାବେଳେ ଆଉ ଜଣେ ତାଙ୍କ ନିକଟତର ବନ୍ଧୁ ବୋଲି ଜଣାପଡିଛି ।
ତେବେ ପରିବାରର ମୁଖିଆ ଇକବାଲ ମୁଲାହ ନିଜ ପତ୍ନୀ ତାସିଲମା ଓ ତାଙ୍କ ବନ୍ଧୁ ଲକି ଏବଂ ଇକବାଲଙ୍କ ଦୁଇ ଝିଅ ଥୋନି ମୁଲାହ ଏବଂ ମୁନ୍ନି ମୁଲାହଙ୍କୁ ନେଇ ଚିକିତ୍ସା ପାଇଁ ଭାରତ ଆସିଥିବା ପଚରାଉଚୁରାବେଳେ ପୋଲିସକୁ କହିଛନ୍ତି । ସେ କ୍ୟାନସର ଚିକିତ୍ସା ପାଇଁ ପ୍ରଥମେ ମୁମ୍ବାଇ ଯାଇଥିଲେ । ପରେ କୋଲକାତାରେ ରହୁଥିବା ତାଙ୍କ ବନ୍ଧୁ ଇମ୍ରାନ ଚିକିତ୍ସା ଲାଗି ତାଙ୍କୁ ଚେନ୍ନାଇ ଯିବାକୁ ପରାମର୍ଶ ଦେଇଥିଲେ । ତେଣୁ ସେ ଏଠାକୁ ଆସିଥିବା ପୋଲିସକୁ କହିଛନ୍ତି । ତେବେ ସେମାନଙ୍କ ପାଖରେ ପାସପୋର୍ଟ କିମ୍ବା ଭିସା ନଥିବାରୁ ପୋଲିସ ସେମାନଙ୍କୁ ଗିରଫ କରି ପୁଜହାର ଜେଲରେ ରଖିଥିବା ଜଣାପଡିଛି ।