ହାଇଦ୍ରାବାଦ: କିଛି ବି ଜରୁରୀ କାମ ହେଲେ ମନେ ପଡେ ଏହି ଆପ୍ । ମାତ୍ର କେଇ ସେକେଣ୍ଡରେ ଫଟୋକୁ ପିଡିଏଫ୍ରେ କନଭର୍ଟ କରିପାରେ ଏହି ଆପ୍ । ପାଖରେ ଡକ୍ୟୁମେଣ୍ଟ ନଥିଲେ ବି ରହୁନଥିଲା ଚିନ୍ତା। ଏହି ଆପ୍ ସାହାଯ୍ୟରେ ଫୋନରେ ହିଁ ଷ୍ଟୋର କରି ହେଉଥିଲା ଫଟୋ, ସିଗ୍ନେଚର ଠାରୁ ଆରମ୍ଭ କରି ଅନ୍ୟାନ୍ୟ ଜରୁରୀ ତଥ୍ୟ । ଏ ହେଉଛି ‘କ୍ୟାମ୍ ସ୍କାନର’ ଆପ୍ । ଯାହା ଖୁବ କମ୍ ଦିନରେ ହିଁ ଲୋକପ୍ରିୟ ହେବା ସହ ସାଉଁଟି ପାରିଥିଲେ ସଫଳତା । କିନ୍ତୁ ଏବେ ଏହି ଆପ୍କୁ ଫୋନରୁ ଅନ-ଇନଷ୍ଟଲ କରିବା ପାଇଁ ଆସିଛି ଖବର।
ହଁ ଆଜ୍ଞା, ଏହି ଆପ୍କୁ ତୁରନ୍ତ ଫୋନରୁ ଅନଇନଷ୍ଟଲ କରିବା ପାଇଁ ଆସିଛି ଖବର । ଏହି ଆପ୍ରେ ନିକଟରେ ହିଁ କିଛି ମାନୱାର ଭାଇରସ ଡିଟେକ୍ଟ କରାଯାଇଛି । ଏହି ମାଲୱାରକୁ ଆଡଭର୍ଟାଇଜିଂ ଲାଇବ୍ରେରୀ ମାଲିସିୟସ ମଡ୍ୟୁଲ କୁହାଯାଉଥିବା ବେଳେ ଏହି ଭାଇରସ କ୍ୟାମସ୍କାନରରେ ଯେକୌଣସି ଫାଇଲକୁ ଭାଇରସରେ ପରିଣତ କରାଇବାର କ୍ଷମତା ରଖେ ।
ଏହି ଭାଇରସକୁ ପ୍ରଥମେ କ୍ୟାସପର୍ସ୍କାଏ ଗବେଷକ ଖୋଜି ବାହାର କରିଥିଲେ । ସେମାନଙ୍କ କହିବା ମୁତାବକ ଏହା ଏକ ଟ୍ରୋଜାନ ଡ୍ରପର । ଏହାର କାମ ହେଉଛି କ୍ୟାମସ୍କାନରରେ ଷ୍ଟୋର ଥିବା କିଛି ଏନକ୍ରିପ୍ଟେଡ ଫାଇଲକୁ ଭାଇରସରେ ପରିଣତ କରି ଅଟୋମେଟିକାଲି ନୂଆ ଭାଇରସ ଡାଉନଲୋଡ କରିବା।
ତେବେ କ୍ୟାମସ୍କାନର ଭାଇରସ ଆଟାକ ହୋଇଛି କି ନାହିଁ ଜାଣିବାର ଏକ ସହଜ ପ୍ରକ୍ରିୟା ରହିଛି । ଯଦି କ୍ୟାମସ୍କାନରରେ ମାତ୍ରାଧିକ ଆଡ୍ ଦେଖାଉଛି ଏବଂ ପେଡ ସବ୍ସ୍କ୍ରିପ୍ସନ ପାଇଁ ଅପ୍ସନ ଦେଖାଉଛି, ତେବେ ଜାଣନ୍ତୁ କି ଆପଣଙ୍କ ଫୋନରେ ଥିବା କ୍ୟାମ ସ୍କାନରଟି ମାଲୱାର ଆଫେକ୍ଟେଡ।
ତେଣୁ ଏହି ଆପ୍କୁ ତୁରନ୍ତ ଅନ-ଇନଷ୍ଟଲ କରିବା ପାଇଁ ନିର୍ଦ୍ଦେଶ ଦିଆଯିବା ସହ ଆବଶ୍ୟକସ୍ଥଳେ ‘କ୍ୟାମସ୍କାନର ଏଚ୍ଡି’ ନାମକ ଆପ୍କୁ ଡାଉନଲୋଡ କରିପାରିବେ। ଏହା ପରିବର୍ତ୍ତେ ଆପଣ ଫଟୋ ସ୍କାନ ଓ ପିଡିଏଫ ଡକ୍ୟୁମେଣ୍ଟ ପାଇଁ ଆଡୋବ ସ୍କାନର, ମାଇକ୍ରୋସଫ୍ଟ ଅଫିସ ଲେନ୍ସ କିମ୍ବା ଗୁଗୁଲ ଡ୍ରାଇଭ ଆପର ଇନବିଲ୍ଟ ସ୍କାନିଂ ଫଙ୍କସନାଲିଟିକୁ ମଧ୍ୟ ବ୍ୟବହାର କରିପାରିବେ।