ନୂଆଦିଲ୍ଲୀ: ସାରା ଦେଶରେ ତୃତୀୟ ପର୍ଯ୍ୟାୟ ଲକଡାଉନ ଆରମ୍ଭ ହୋଇଛି । ବର୍ତ୍ତମାନର ସ୍ଥିତିକୁ ଦୃଷ୍ଟିରେ ରଖି ଦେଶର କିଛି ସ୍ଥାନରେ ଲକଡାଉନ କୋହଳ କରାଯାଇଛି । ଇତିମଧ୍ୟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସୋମବାର କହିଛନ୍ତି ଯେ, ଲକଡାଉନ କୋହଳ ହେବା ପରେ ଦିଲ୍ଲୀର କିଛି ଦୋକାନରେ ଅବ୍ୟବସ୍ଥା ଦେଖିବାକୁ ମିଳିଥିଲା । ଯାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଯଦି ଆଗାମୀ ଦିନରେ ଦିଲ୍ଲୀର କୌଣସି ଅଞ୍ଚଳରେ ସାମାଜିକ ଦୂରତା ଏବଂ ଅନ୍ୟ କୌଣସି ଗାଇଡଲାଇନର ଉଲ୍ଲଂଘନ କରୁଥିବା ସୂଚନା ମିଳେ, ତେବେ ତୁରନ୍ତ ଉକ୍ତ ଅଞ୍ଚଳକୁ ସିଲ କରାଯିବ । ଏହାସହ କୋହଳ ହୋଇଥିବା ନିୟମକୁ ପୁଣି କଡାକଡି କରାଯିବ ।
ସେ ଆହୁରି ମଧ୍ୟ କହିଛନ୍ତି, ମୋତେ ଦୁଃଖ ଲାଗିଲା କି କିଛି ଦୋକାନରେ ଲୋକେ ସାମାଜିକ ଦୂରତା ଭୂଲିଯାଇଥିଲେ । ଏପରି କରି ସେମାନେ ନିଜର ଏବଂ ନିଜ ପରିବାରର କ୍ଷତି କରୁଛନ୍ତି । ଯଦି ସାମାଜିକ ଦୂରତ୍ବ ଉପରେ ଗୁରୁତ୍ବ ଦିଆନଯାଏ ତେବେ ଦୋକାନ ଗୁଡିକୁ ବନ୍ଦ କରି ଦିଆଯିବ । ଏହା ସହ ସେ ଘରୁ ବାହାରକୁ ବାହାରିଲେ ମାସ୍କ ପିନ୍ଧିବାକୁ କହିବା ସହ ସାମାଜିକ ଦୂରତ୍ବ ଏବଂ ହାତକୁ ସଫା ରଖିବାକୁ କହିଛନ୍ତି ।
ସେ କହିଛନ୍ତି ଯେ, ସାରା ଦେଶକୁ ତିନୋଟି ଜୋନରେ ବିଭକ୍ତ କରାଯାଇଛି । ଗ୍ରୀନ ଜୋନକୁ କୋହଳ କରାଯାଇଥିବା ବେଳେ ରେଡ ଜୋନକୁ ସାମାନ୍ୟ କୋହଳ କରାଯାଇଛି । କେନ୍ଦ୍ର ସରକାରଙ୍କ ଏହି ଗାଇଡଲାଇନକୁ ଦୃଷ୍ଟିରେ ରଖି ଆମେ ମଧ୍ୟ ରାଜ୍ୟରେ ନିୟମକୁ କୋହଳ କରିଛୁ ।
ପ୍ରକାଶ ଥାଉ କି, ସୋମବାର ଦିଲ୍ଲୀ ରାସ୍ତାରେ ଯାନବାହାନର ଭିଡ ଦେଖିବାକୁ ମିଳିଥିଲା । ସେହିପରି ଦିଲ୍ଲୀ ପୋଲିସର ଜଏଣ୍ଟ କମିଶନର ଆଲୋକ କୁମାର ସାମାଜିକ ଦୂରତାର ଉଲ୍ଲଂଘନ କରାଯାଇଥିବା ପୂର୍ବାଞ୍ଚଳର ମଦ ଦୋକାନ ଗୁଡିକୁ ବନ୍ଦ କରିଛନ୍ତି । ବର୍ତ୍ତମାନ ସୁଦ୍ଧା ଦିଲ୍ଲୀରେ ମୋଟ 4549 ଜଣ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।