ନୂଆଦିଲ୍ଲୀ: ସ୍ମାର୍ଟଫୋନ ବଜାର କ୍ଷେତ୍ରରେ ଭାରତର ସ୍ଥିତି ସମ୍ପୁର୍ଣ୍ଣ ବିପର୍ଯ୍ୟୟ ହୋଇପାରେ । ଏକ ରିପୋର୍ଟ ଅନୁଯାୟୀ, ଯଦି ସରକାର ମୋବାଇଲ୍ ଓ ଏହାର ଅଂଶ ଗୁଡିକୁ ଜରୁରୀକାଳିନ ସାମଗ୍ରୀରେ ଅନ୍ତର୍ଭୁକ୍ତ ନକରନ୍ତି ତେବେ ଭାରତର 4 କୋଟି ମୋବାଇଲ ବ୍ୟବହାରକାରୀ ପ୍ରଭାବିତ ହେବେ ।
ଇଣ୍ଡିଆ ସେଲୁଲାର୍ ଆଣ୍ଡ ଇଲେକ୍ଟ୍ରୋନିକ୍ସ ଆସୋସିଏସନ୍ (ICEA) ମତରେ, ମେ ମାସ ଶେଷ ପର୍ଯ୍ୟନ୍ତ ମୋବାଇଲ ଓ ଏହାର ଅଂଶ ବିକ୍ରୟ ଉପରେ ପ୍ରତିବନ୍ଧକ ଜାରି ରହିଲେ ମୋବାଇଲ୍ ଫୋନ୍ ସେବା ଏକ ବଡ ଅସୁବିଧାର ସମ୍ମୁଖୀନ ହୋଇପାରେ। ICEA ମୁଖ୍ୟତଃ ନିର୍ମାତା, ବ୍ରାଣ୍ଡ ମାଲିକ, ଟେକ୍ନୋଲୋଜି ପ୍ରଦାନକାରୀ, VAS ପ୍ରୟୋଗ, ସଲ୍ୟୁସନ୍ ପ୍ରୋଭାଇଡର୍, ମୋବାଇଲ ଏବଂ ଅନ୍ୟାନ୍ୟ ବୈଦ୍ୟୁତିକ ଉପକରଣର ଡିଲର ଏବଂ ଖୁଚୁରା ବ୍ୟବସାୟୀଙ୍କ ପ୍ରତିନିଧିତ୍ବ କରେ ।
ICEA ଅନୁଯାୟୀ, ଦେଶରେ ପ୍ରାୟ 2.5 କୋଟି ମୋବାଇଲ୍ ଫୋନ୍ ଖରାପ ହୋଇ ପଡିଛି । କାରଣ ମୋବାଇଲ୍ ସାମଗ୍ରୀ ଟ୍ରାନ୍ସପୋର୍ଟ ହୋଇପାରୁନି । ଯଦି ଏପରି ଲକଡାଉନ୍ ବଢେ ତେବେ ଏହି ସଂଖ୍ୟା 2.5 କୋଟିରୁ ବଢି 4 କୋଟି ହୋଇପାରେ । ଆଇସିଇଏ ଅନୁଯାୟୀ ଦେଶରେ ପ୍ରତି ମାସରେ ପ୍ରାୟ ଅଢେଇ ଲକ୍ଷ ମୋବାଇଲ୍ ଫୋନ୍ କ୍ରୟ କରାଯାଏ। ଏହି ଅନୁଯାୟୀ, ବର୍ତ୍ତମାନ ଦେଶରେ 85 କୋଟି ସକ୍ରିୟ ମୋବାଇଲ୍ ଫୋନ୍ ରହିଛି।
ଆଇସିଇଏର ଅଧ୍ୟକ୍ଷ ପଙ୍କଜ ମୋହିନ୍ଦ୍ର କହିଛନ୍ତି, ମୋବାଇଲ୍ ଫୋନକୁ ଅତ୍ୟାବଶ୍ୟକ ସେବାରେ ଅନ୍ତର୍ଭୁକ୍ତ କରିବାକୁ ଆମେ ସରକାରଙ୍କୁ ଅନୁରୋଧ କରିଛୁ। ଆମେ ଏହା ମଧ୍ୟ ସରକାରଙ୍କୁ କହିଛୁ ଯେ ଯଦି ଏହା ନ କରା ଯାଏ ତେବେ 4 କୋଟି ଉପଭୋକ୍ତା ପ୍ରଭାବିତ ହୋଇପାରିବେ। ପଙ୍କଜ ଏହା ମଧ୍ୟ କହିଛନ୍ତି, କୋରୋନା ରୋଗୀଙ୍କୁ ଟ୍ରାକ୍ କରିବା ପାଇଁ ସରକାରଙ୍କ ଦ୍ବାରା ଆରମ୍ଭ ହୋଇଥିବା ଆରୋଗ୍ୟ ସେତୁ ଆପ୍ ଅନେକ ସ୍ଥାନରେ ବାଧ୍ୟତାମୂଳକ କରାଯାଇଛି, ତେଣୁ ଯଦି ଲୋକଙ୍କ ପାଖରେ ମୋବାଇଲ୍ ଫୋନ୍ ନାହିଁ ତେବେ ସେମାନେ କିପରି ଏହି ଆପ୍ ଡାଉନଲୋଡ୍ କରିବେ।