ନୂଆଦିଲ୍ଲୀ: ସୀମାରେ ଚୀନ ସହ ଜାରି ଉତ୍ତେଜନା ମଧ୍ୟରେ ଭାରତ ପାଇଁ ଏକ ଖୁସି ଖବର ଆସିଛି । ଗେମ ଚେଞ୍ଜର କୁହାଯାଉଥିବା ରାଫେଲ ଯୁଦ୍ଧ ବିମାନ ଖୁବଶୀଘ୍ର ଭାରତ ପାଖରେ ପହଞ୍ଚିବାକୁ ଯାଉଛି। ଜୁଲାଇ ଶେଷ ସୁଦ୍ଧା 36 ରାଫେଲ ବିମାନ ମଧ୍ୟରୁ ଭାରତ ପାଖରେ ଅତି କମରେ 'ଫୁଲ ଲୋଡେଡ୍' 5 ଟି ରାଫେଲ ଯୁଦ୍ଧ ବିମାନ ପହଞ୍ଚି ଯିବ ବୋଲି ଜଣାପଡ଼ିଛି।
ବର୍ତ୍ତମାନ ଉଭୟ ଚୀନ ଏବଂ ପାକିସ୍ତାନ ସୀମାରେ ଉତ୍ତେଜନା ଲାଗି ରହିଛି । ଭାରତୀୟ ସେନା ଗୋଟିଏ ପଟେ ଲଦାଖରେ ଚୀନର ପିପୁଲ୍ସ ଲିବରେଶନ ଆର୍ମିର ଆକ୍ରମକତା ସହୁ ଥିବା ବେଳେ ଅନ୍ୟପଟେ ପାକିସ୍ତାନର ଅସ୍ତ୍ରବିରତି ଉଲଙ୍ଘନ ପରିସ୍ଥିତିର ସମ୍ମୁଖୀନ ହେଉଛି । ଏହି ସମୟରେ ରାଫେଲ ଯୁଦ୍ଧ ବିମାନ ଭାରତୀୟ ସେନାର ଶକ୍ତି ବଢାଇବ ବୋଲି କୁହାଯାଉଛି ।
ଭାରତୀୟ ପାଇଲଟ୍ ଏହି ବିମାନରେ ଫ୍ରାନ୍ସରୁ ଉଡ଼ାଣ ଭରିବା ପରେ ୟୁଏଇର ଅଲଡାଫରା ଏୟାରବେସରେ ଅବତରଣ କରିବେ। ଏଠାରେ ଟେକ୍ନିକାଲ ଚେକଅପ୍ ସରିବା ପରେ ବିମାନ ସିଧା ଭାରତର ଅମ୍ବାଲାସ୍ଥିତ ବାୟୁସେନା ଷ୍ଟେସନରେ ଅବତରଣ କରିବ।
ଏହି ବିମାନଗୁଡ଼ିକ ମେ ମାସରେ ପହଞ୍ଚିବାର ଥିଲା, କିନ୍ତୁ କୋରୋନା ପ୍ରକୋପ ଯୋଗୁଁ ଠିକ୍ ସମୟରେ ପହଞ୍ଚି ପାରି ନଥିଲା। ୨୦୨୨ ସୁଦ୍ଧା ଫ୍ରାନ୍ସର ସମସ୍ତ ୩୬ଟି ରାଫେଲ ବିମାନ ଭାରତ ପହଞ୍ଚିବ ବୋଲି ଜଣାପଡିଛି । ଜୁନ୍ ୨ରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଫ୍ରାନ୍ସ ପ୍ରତିନିଧିଙ୍କ ସହ ଆଲୋଚନା କରିଥିଲେ। ସେହି ସମୟରେ ଫ୍ରାନ୍ସ ସ୍ପଷ୍ଟ କରିଥିଲା ଯେ ଉଚିତ ସମୟରେ ଭାରତକୁ ରାଫେଲ ମିଳିଯିବ।
ତେବେ ଦୁଇଟି ସ୍କ୍ବାଡ୍ରନ୍ ମଧ୍ୟରୁ ଗୋଟିଏ ଅମ୍ବାଲା ବାୟୁସେନା ଷ୍ଟେସନରେ ଏବଂ ଅନ୍ୟଟି ହାସିମାରା ଠାରେ ରହିବ ଏବଂ ଉତ୍ତର ସୀମାରେ ନିୟୋଜିତ ହେବ ବୋଲି ଜଣାପଡିଛି ।
ୱେଷ୍ଟର୍ଣ୍ଣ ଥିଏଟର କମାଣ୍ଡରେ, ଚୀନ ବାୟୁସେନା 157 ଯୁଦ୍ଧବିମାନ ଏବଂ 20 ଟି ଜିଜେ-1/ ଡବ୍ଲୁଡି-1କେ ଏବଂ ୟୁଏଭିକୁ ନିୟୋଜିତ କରିଛି । ଘରୋଇ ଭାବରେ ବିକଶିତ ଜେ-110ସି ଏବଂ ଜେ-16 ଯୁଦ୍ଧ ବିମାନ ଋଷ ଦ୍ୱାରା ନିର୍ମିତ ମିଗ୍ -29, ସୁଖୋଇ -30 ଏବଂ ଫ୍ରାନ୍ସ ଦ୍ୱାରା ପ୍ରସ୍ତୁତ ମିରାଜ୍ 2000 ଜେଟ୍ ଅପେକ୍ଷା ବହୁତ ଉନ୍ନତ ବୋଲି ଚୀନ ଦାବି କରିଛି । ଏହା ବ୍ୟତୀତ ଜେ-20 ଯୁଦ୍ଧ ବିମାନରେ ଭାରତୀୟ ବିମାନ ଅପେକ୍ଷା ଅଧିକ ଜେନେରେସନ୍ ସୁବିଧା ରହିଛି ବୋଲି ଚୀନ ଦାବି କରିଛି । ସେପଟେ ଭାରତୀୟ ବାୟୁସେନାର ମିରାଜ 2000 ଏବଂ ସୁଖୋଇ 30 ଚୀନର ଜେ-10, ଜେ-11 ଏବଂ ସୁଖୋଇ-27 ଯୁଦ୍ଧ ବିମାନକୁ କଡା ଟକ୍କର ଦେବ ବୋଲି ଭାରତ ଦାବି କରିଛି ।