ନୂଆଦିଲ୍ଲୀ: ଦୀର୍ଘ 17 ଦିନ ପରେ ଉଦ୍ଧାର ହୋଇଛନ୍ତି ଏନ-32 ବିମାନର ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଥିବା ୧୫ ଜଣିଆ ଉଦ୍ଧାରକାରୀ ଦଳ । ଭାରତୀୟ ବାୟୁସେନା ପକ୍ଷରୁ ସେମାନଙ୍କୁ ଉଦ୍ଧାର କରାଯାଇଛି । ଏହି ଦଳରେ ୮ ଜଣ ବାୟୁସେନା କର୍ମଚାରୀ, ୪ ସେନା କର୍ମଚାରୀ ଓ ୩ ଜଣ ସାଧାରଣ ନାଗରିକ ଥିଲେ । ତେବେ ସମସ୍ତ ସଦସ୍ୟ ସୁସ୍ଥ ଥିବା ବାୟୁସେନା ପକ୍ଷରୁ ସ୍ପଷ୍ଟ କରାଯାଇଛି ।
ଦୁର୍ଘଟଣାଗ୍ରସ୍ତ ଏନ-32 ବିମାନର ଭଗ୍ନାଂଶ ମିଳିବା ପରେ ଗତ ଜୁନ 12 ତାରିଖରେ ଏହି ଦଳକୁ 2 ଟି ହେଲିକେପ୍ଟର ଯୋଗେ ଦୁର୍ଘଟଣାସ୍ଥଳକୁ ଏୟାର୍ଡ୍ରପ୍ କରାଯାଇଥିଲା । 19 ଜୁନରେ 6 ଟି ଏବଂ 20 ଜୁନରେ 7 ଅନ୍ୟ ପାର୍ଥିବ ଶରୀର ଉଦ୍ଧାର କରିବା ପରେ ପାଗ ଖରାପ ଥିବା ଯୋଗୁଁ ସେମାନେ ସେଠାରେ ଫସିରହିଥିଲେ । ସେମାନଙ୍କ ନିକଟକୁ ଖାଦ୍ୟ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ବିମାନ ଯୋଗେ ପକାଇ ଦିଆଯାଉଥିଲା ।
ସୂଚନା ଯୋଗ୍ୟ ଯେ, ଗତ ଜୁନ ୩ ତାରିଖରେ ଅରୁଣାଚଳ ପ୍ରଦେଶରେ ଭାରତୀୟ ବାୟୁସେନାର ଏଏନ-୩୨ ବିମାନ ନିଖୋଜ ହୋଇଯାଇଥିଲା । ଏଥିରେ ୮ ଜଣ କର୍ମଚାରୀଙ୍କ ସହିତ ସମୁଦାୟ୧୩ ଜଣ ଥିଲେ । ଏହି ବିମାନଟି ୧୨ ହଜାର ଫୁଟ ଉଚ୍ଚତାରେ ଉଡ଼ୁଥିବା ବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା । ଏହା ପରେ ଏଥିରେ ଥିବା ସମସ୍ତ ଯାତ୍ରୀ ନିଖୋଜ ହୋଇଯାଇଥିଲେ ।