ନୂଆଦିଲ୍ଲୀ: ଲୋକସଭା ନିର୍ବାଚନର ଅନ୍ତିମ ପର୍ଯ୍ୟାୟର ପ୍ରଚାର ସରିବା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଖୋଲାଖୋଲି ଭାବେ ରାହୁଲ ଗାନ୍ଧୀଙ୍କୁ ଚ୍ୟାଲେଞ୍ଜ ଦେଇଥିଲେ । ଏପରିକି ମୋଦିଙ୍କ ବିରୋଧରେ କଂଗ୍ରେସ ଲଗାତାର ଅଭିଯୋଗ, ପଶ୍ଚିମ ବଙ୍ଗର ରାଜନୈତିକ ସ୍ଥିତି ଏବଂ ଟାଇମ ମେଗାଜିନରେ ଛପାଯାଇଥିବା ରିପୋର୍ଟ ସମେତ ଭୋପାଳ ବିଜେପି ପ୍ରାର୍ଥୀ ସାଧ୍ବୀ ପ୍ରଜ୍ଞାଙ୍କ ନାଥୁରାମ ଗଡ଼ସେଙ୍କୁ ନେଇ ବିବାଦୀୟ ବୟାନର ପାଲଟା ଜବାବ ଦେଇଛନ୍ତି ମୋଦି ।
ଏକ ପ୍ରମୁଖ ଗଣମାଧ୍ୟମକୁ ସାକ୍ଷାତକାରରେ କଂଗ୍ରେସ ଉପରେ ବର୍ଷିଛନ୍ତି ମୋଦି । ପିଏମ ମୋଦି ମାତା-ପିତାଙ୍କୁ ନେଇ ରାହୁଲକୁ ଗଣମାଧ୍ୟମ ଜରିଆରେ ସିଧାସଳଖ ଚ୍ୟାଲେଞ୍ଜ କରିଛନ୍ତି । ମୋଦି କହିଛନ୍ତି ରାହୁଲ ଗାନ୍ଧୀଙ୍କ ଭିତରେ ଯଦି ଦମ ଅଛି ତେବେ ସେ ମୋ ପରିବାର ବିରୋଧରେ କିଛି ଭୁଲ ତଥ୍ୟ ବାହାର କରି ଦେଖାନ୍ତୁ । ମୋଦି କହିଲେ, ‘ମୁଁ ଚାହୁଁଛି ଯେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଯାହାର ପରିବାରର ଚାରି ପୀଢୀ ପ୍ରଧାନମନ୍ତ୍ରୀ ହେଇସାରିଛନ୍ତି ତାଙ୍କୁ ମୁଁ ହାତଯୋଡି ନେହୁରା ହେବି କି ମୋ ମାତା-ପିତାଙ୍କ ଉପରେ କୌଣସି ଦୟା କରିବାର ଆବଶ୍ୟକତା ନାହିଁ । ଯଦି ମୋ ବାପା-ମାଙ୍କ ବିରୋଧରେ କିଛି ଭୁଲ ତଥ୍ୟ ଅଛି ତେବେ ରାହୁଲ ଖୋଲାଖୋଲି ଭାବେ କୁହନ୍ତୁ ।’
ମୋଦି ପୁଣି କହିଛନ୍ତି, ‘ଯଦି ମୋ ପିତା-ମାଆଙ୍କ ବିରୋଧରେ କିଛି ତଥ୍ୟ ଅଛି ତେବେ ଏକ ସାମ୍ବାଦିକ ସମ୍ମିଳନୀ କରି ସମସ୍ତଙ୍କ ସାମ୍ନାରେ ରଖନ୍ତୁ । ମୋ ଉପରେ ଦୟା କରନ୍ତୁ ନାହିଁ କିମ୍ବା ମୋ ପିତା-ମାଆଙ୍କ ଉପରେ ଦୟା କରନ୍ତୁ ନାହିଁ । ଆପଣଙ୍କ ପିତା-ମାତା ପୂର୍ବତନ ପ୍ରଧାନମନ୍ତ୍ରୀ ଥିଲେ ବୋଲି ତାଙ୍କ ନାଁରେ ଚର୍ଚ୍ଚା ହେଉଛି । ଆଉ ଏହା ସମସ୍ତ ରାଜନେତାଙ୍କ କାମ । ଆପଣଙ୍କ ପାଖରେ ଯଦି ମୋ ପିତା-ମାତାଙ୍କ ବିରୋଧରେ କିଛି ତଥ୍ୟ ଅଛି ତେବେ ପ୍ରଚାର ସରିବା ପରେ ମଧ୍ୟ ସାର୍ବଜାନୀନ କରିପାରିବେ । କିନ୍ତୁ ଦୟାକରି ମୋ ପିତା-ମାତାଙ୍କ ଉପରେ ଦୟା କରନ୍ତୁ ନାହିଁ ।’