ଥିରୁଅନନ୍ତପୁରମ: କେରଳର ମାଲାପୁରମ ଜିଲ୍ଲାରେ ଜଣେ ଗର୍ଭୀଣି ହାତୀକୁ ବାଣ ଭର୍ତ୍ତି ଖାଦ୍ୟ ଦେଇ ହତ୍ୟା କରିବା ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି । ମଣିଷଙ୍କ ଦ୍ବାରା କରାଯାଇଥିବା ଏହି ବର୍ବରକାଣ୍ଡକୁ ନେଇ ପଶୁ ପ୍ରେମୀଙ୍କ ମଧ୍ୟରେ ଆଲୋଡନ ଓ ଉତ୍ତେଜନା ପ୍ରକାଶ ପାଇଛି।
ତେବେ ପୂର୍ବରୁ ଘଟଣାକୁ ନେଇ ରତନ ଟାଟା କ୍ଷୋଭ ପ୍ରକାଶ କରିବା ସହ ଦୋଷୀ ମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଅପିଲ କରିଥିଲେ। ଏବେ ହାଇଦ୍ରାବାଦର ଜଣେ ବ୍ୟକ୍ତି ମଧ୍ୟ ହାତୀର ହତ୍ୟାକାରୀଙ୍କୁ ଖୋଜିବାରେ ସାହାଯ୍ୟ କରୁଥିବା ବ୍ୟକ୍ତିଙ୍କ ପାଇଁ 2 ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରିଛନ୍ତି।
ନେରେଡମେଟର ବାସିନ୍ଦା ଶ୍ରୀନିବାସ କହିଛନ୍ତି, "ମୁଁ କେରଳରେ ଏକ ହାତୀକୁ ଅତି ଅମାନୁଷିକ ଭାବରେ ହତ୍ୟା କରିଥିବା ଖବର ଦେଖିଛି ଏବଂ ଏହି କାର୍ଯ୍ୟକୁ ଜମାରୁ ବରଦାସ୍ତ କରାଯାଇ ନାହିଁ। ଏହା ହାତୀର ହତ୍ୟା ନୁହେଁ ବରଂ ଏହା ମାନବିକତାର ହତ୍ୟା।" ସେ କହିଛନ୍ତି।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏହି ଖବର ଦେଖିବା ପରେ ମୁଁ ପ୍ରଭାବିତ ହୋଇଛି ଏବଂ ମୋ ପକ୍ଷରୁ ମୁଁ ହାତୀ ହତ୍ୟାକାରୀଙ୍କୁ ଖୋଜିବାରେ ଅଧିକାରୀମାନଙ୍କୁ ସାହାଯ୍ୟ କରୁଥିବା ବ୍ୟକ୍ତିଙ୍କ ପାଇଁ ଦୁଇ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରିଛି।
ସୂଚନା ଅନୁସାରେ,କେରଳର ମାଲାପୁରମ୍ ଜିଲ୍ଲାରେ ଏକ ଗର୍ଭୀଣି ହାତୀକୁ ସପୁରୀ ଭିତରେ ବାଣ ଭର୍ତ୍ତି କରି କିଛି ସ୍ଥାନୀୟ ଲୋକ ଖାଇବାକୁ ଦେଇଥିଲେ। ଏହାକୁ ଖାଇବା ପରେ ହାତୀଟିର ପାଟିରେ ତାହା ବିସ୍ଫୋରଣ ହେବା ସହ ଗଭୀର କ୍ଷତ ସୃଷ୍ଟି ହୋଇଥିଲା। ଘଟଣା ପରେ ହାତୀଟି ଯନ୍ତ୍ରଣାରୁ ଆରାମ ପାଇବା ପାଇଁ ଏକ ନଦୀ ଭିତରେ ଶୁଣ୍ଢ ବୁଡାଇ ଛିଡା ହେବା ସମୟରେ ମୃତ୍ୟୁବରଣ କରିଥିଲା। ତେବେ ମଲାପୁରାମ ଜିଲ୍ଲାର ଜଣେ ବନ ଅଧିକାରୀ ତାଙ୍କ ଫେସବୁକ ପେଜରେ ଏହି ଭୟଙ୍କର ଘଟଣାର ବିବରଣୀ ବାଣ୍ଟିବା ପରେ ଏହା ଏକ ଉଦବେଗଜନକ ପରିସ୍ଥିତି ସୃଷ୍ଟି କରିଛି।