ହାଇଦ୍ରାବାଦ: କିଛି ଦିନ ତଳେ ଚର୍ଚ୍ଚାକୁ ଆସିଥିଲା ବୟଫ୍ରେଣ୍ଡ ପାଇଁ ମା’ଙ୍କୁ ହତ୍ୟା କରିବା ଘଟଣା । ଏ ଘଟଣା ସମଗ୍ର ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବେଳେ, ଏହା ପଛରେ ଥିବା ରହସ୍ୟର ପର୍ଦ୍ଦାଫାସ ହୋଇଛି। ଏହା ସହ ଘଟଣାରେ ମୁଖ୍ୟ ଭୂମିକା ତୁଲାଇଥିବା ଝିଅ ପି. କୀର୍ତ୍ତି ରେଡ୍ଡୀ(19)ଙ୍କ ସହ ଅନ୍ୟ 2 ସହଯୋଗୀଙ୍କୁ ଗିରଫ କରିଛି ହାଇଦ୍ରାବାଦ ପୋଲିସ।
ଘଟଣାକ୍ରମେ କୀର୍ତ୍ତୀ ନିଜର ଜଣେ ପୁରୁଷ ବନ୍ଧୁ ବାଲା ରେଡ୍ଡୀଙ୍କ ସହ ପ୍ରେମ ସମ୍ପର୍କରେ ଥିବା ବେଳେ ଉଭୟଙ୍କ ପରିବାର ପକ୍ଷରୁ ସେମାନଙ୍କ ବିବାହ ପାଇଁ ସହମତି ମିଳିଥିଲା । ହେଲେ ବିବାହ ପୂର୍ବରୁ ଉଭୟଙ୍କ ମଧ୍ୟରେ ଶାରିରୀକ ସମ୍ପର୍କ ସ୍ଥାପନ ହୋଇଥିଲା । ଫଳରେ ଗର୍ଭବତୀ ହୋଇଥିଲେ କୀର୍ତ୍ତି । ପରିବାର ଲୋକଙ୍କ ଗାଳିକୁ ଡରି ଅନ୍ୟ ଜଣେ ବନ୍ଧୁ ଶଶୀଙ୍କ ସହାୟତାରେ ଗର୍ଭପାତ କରିଥିଲେ କୀର୍ତ୍ତି।
ପରେ ଏହି ଖବରକୁ ନେଇ କୀର୍ତ୍ତିକୁ ଟଙ୍କା ମାଗିବା ସହ ବ୍ଲାକମେଲ ଆରମ୍ଭ କରିଥିଲା ଶଶୀ । ଉପାୟଶୂନ୍ୟ ହୋଇ ଘରର ଗୋଟିଏ ଝିଅ ହୋଇଥିବାରୁ ମା’ ରଜିତାଙ୍କ ମୃତ୍ୟୁ ପରେ ସମସ୍ତ ସମ୍ପତ୍ତି ନିଜ ନାମରେ କରାଇବା ଆଶାରେ ରଜିତାଙ୍କୁ ନିର୍ମମ ହତ୍ୟା କରିଥିଲା କୀର୍ତ୍ତି । ମା’ଙ୍କୁ ହତ୍ୟା କରିବା ପରେ ତିନି ଦିନ ଘରେ ମୃତଦେହକୁ ରଖାଯାଇଥିଲା । ଏହାପରେ ଶଶୀର ସହାୟତାରେ ମୃତଦେହକୁ ନେଇ ରେଳଧାରଣାରେ ଫୋପାଡିଦେଇଥିଲା ଝିଅ କୀର୍ତ୍ତି ।
ଘଟଣାଟି ସମ୍ପର୍କରେ ଜାଣିବା ପରେ ଭାଙ୍ଗି ପଡିଛନ୍ତି ରଜିତାଙ୍କ ସ୍ବାମୀ । ତେଣେ ପୋଲିସ ଘଟଣାରେ ସମ୍ପୃକ୍ତ ଶଶୀ ଓ କୀର୍ତ୍ତିକୁ ଗିରଫ କରିବା ସହ ନାବାଳିକା ସହ ଶାରିରୀକ ସମ୍ପର୍କ ସ୍ଥାପନ କରିବାରୁ ବାଲାକୁ ମଧ୍ୟ ଗିରଫ କରିଛି।