ଲକ୍ଷ୍ନୌ: ଅନୈତିକ ପ୍ରେମ ସଂପର୍କରୁ ନିର୍ମମ ହତ୍ୟା । ସ୍ତ୍ରୀର କଟାମୁଣ୍ଡ ଧରି ଥାନାରେ ସ୍ବାମୀର ଆତ୍ମସମର୍ପଣ । ଉତ୍ତରପ୍ରଦେଶର କୋତବାଲୀ ଅଞ୍ଚଳରେ ଶୁକ୍ରବାର ଏଭଳି ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି । ମୃତକଙ୍କ ନାମ ବିମଳା ଯାଦବ । ଅଭିଯୁକ୍ତ ସ୍ବାମୀ କିନ୍ନର ଯାଦବକୁ ପୋଲିସ ହେପାଜତରେ ନେବା ସହ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।
ସୂଚନା ଅନୁଯାୟୀ, କୋତବାଲୀ ଅଞ୍ଚଳର ନେତା ନଗରରେ ରହୁଥିବା କିନ୍ନର ଯାଦବ ନିଜ ସ୍ତ୍ରୀ ବିମଳାର ପଡ଼ୋଶୀ ରବି ସହ ଅନୈତିକ ପ୍ରେମ ସଂପର୍କ ଥିବା ସନ୍ଦେହ ଥିଲା । ଶୁକ୍ରବାର ସକାଳ 6 ଟାରେ ସେ ରବିକୁ ନିଜ ଘରକୁ ଡାକିଥିଲା । ରବି ଯେତେବେଳେ ତାଙ୍କ ଦୁଆର ମୁହଁରେ ପହଞ୍ଚିଥିଲା, ଠିକ୍ ସେହି ସମୟରେ କିନ୍ନର ତାଙ୍କ ଉପରେ ଏକ କୁରାଡ଼ୀରେ ଆକ୍ରମଣ କରିଥିଲା । ରବିକୁ ରକ୍ଷା କରିବା ପାଇଁ ବିମଳା ତାଙ୍କ ନିକଟକୁ ଦୌଡ଼ି ଆସିଥିଲା । ଆଉ ଏହି ସମୟରେ ରବି ସେଠାରୁ ଖସି ପଳାଇ ଯାଇଥିଲା । ବିମଳା ଜୀବନ ବଞ୍ଚାଇବାକୁ ଦୌଡ଼ିବାରୁ ରାଗରେ ଅନ୍ଧ କିନ୍ନର ମଧ୍ୟ ସ୍ତ୍ରୀ ପଛେ ପଛେ ଗୋଡ଼ାଇ ଜଣେ ସଂପର୍କୀୟ ଘରେ ପହଞ୍ଚିଥିଲା ଏବଂ ସେଠାରେ ସ୍ତ୍ରୀକୁ ଅତି ନିର୍ମମ ଭାବେ ହତ୍ୟା କରିଥିଲା । ଏହାପରେ ମୃତ ସ୍ତ୍ରୀର କଟାମୁଣ୍ଡ ହାତରେ ଧରି ପ୍ରାୟ ଦେଢ଼ କିଲୋମିଟର ଚାଲି ଚାଲି କୋତବାଲୀ ଥାନାରେ ପହଞ୍ଚି ଆତ୍ମସମର୍ପଣ କରିଥିଲା ।
ପୋଲିସ କଟାମୁଣ୍ଡ ଜବତ କରିବା ସହ ଅଭିଯୁକ୍ତ ସ୍ବାମୀକୁ ଗିରଫ କରିଛି । ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । କିନ୍ନର ତା ସ୍ତ୍ରୀର ପଡ଼ୋଶୀ ସହ ଅନୈତିକ ସଂପର୍କ ଥିବା ସନ୍ଦେହ କରି ଏଭଳି ହତ୍ୟାକାଣ୍ଡ ଘଟାଇଥିବା କୋତବାଲୀ ବିଧାୟକ ବିଶ୍ବମ୍ବର ଯାଦବ କହିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ