1995 ମସିହା ପୂର୍ବରୁ, କେରଳର ସରକାରୀ ସ୍କୁଲ୍ରେ କାର୍ଯ୍ୟରତ ହଜାର ହଜାର ଶିକ୍ଷକ ଓ ଶିକ୍ଷୟିତ୍ରୀ ସବୁଦିନ ସକାଳୁ ଉଠିବା ବେଳେ ସେମାନଙ୍କ ମନରେ ରହୁଥିଲା ଚାକିରି ହରାଇବାର ଆଶଙ୍କା । ସରକାରୀ ସ୍କୁଲରେ ଛାତ୍ରଛାତ୍ରୀଙ୍କୁ ରଖିବା ଲାଗି ସେମାନଙ୍କର ସବୁ ଉଦ୍ୟମ ବିଫଳ ହେଉଥିଲା । କାରଣ, ସେମାନଙ୍କ ଅଞ୍ଚଳରେ ଛତୁ ଫୁଟିଲା ଭଳି ବେସରକାରୀ ସ୍କୁଲ୍ ଗଢ଼ି ଉଠୁଥିଲା ଏବଂ ଅଧିକ ଯୁଗୋପଯୋଗୀ ସୁବିଧା ସୁଯୋଗ ସହିତ ଏହି ସୁପରିଚାଳିତ ସ୍କୁଲଗୁଡ଼ିକୁ ପିତାମାତାମାନେ ଅଧିକ ପସନ୍ଦ କରୁଥିଲେ । ନାମଲେଖା ଓ ସ୍କୁଲ୍ ଫି’ ବାବଦରେ ଅତ୍ୟଧିକ ଦେୟ ଦେବାକୁ ପଡୁଥିଲେ ହେଁ ମଧ୍ୟମ ବର୍ଗର ଲୋକେ ସେମାନଙ୍କ ପିଲାମାନଙ୍କୁ ବେସରକାରୀ ସ୍କୁଲରେ ପଢ଼ାଇବା ଲାଗି ସମ୍ବଳ ଜୁଟାଇବାର ଉପାୟ ଖୋଜି ନେଉଥିଲେ । ସେ ସମୟରେ ସରକାରୀ ସ୍କୁଲରେ ଡିଭିଜନ ଏବଂ ଚାକିରି ସଂଖ୍ୟା ହ୍ରାସ ପାଇବା ଏକ ପ୍ରଚଳିତ ଧାରାରେ ପରିଣତ ହୋଇଥିଲା । ସରକାରୀ ସ୍କୁଲରେ ପିଲାଙ୍କୁ ପଢ଼ାଇବା ସକାଶେ ପ୍ରଲୋଭିତ କରିବାକୁ ଶିକ୍ଷକମାନେ ଆଖପାଖ ଅଞ୍ଚଳରେ ଘରକୁ ଘର ଘୂରି ବୁଲୁଥିଲେ । ଯଦିଓ ସେମାନଙ୍କ ଏଭଳି ଉଦ୍ୟମ ଯୋଗୁଁ ସରକାରୀ ସ୍କୁଲ ଛାତ୍ରଛାତ୍ରୀଙ୍କ ପାସ୍ ହାର ବୃଦ୍ଧି ପାଇଥିଲା, ତଥାପି, ସରକାରୀ ସ୍କୁଲ ଛାଡ଼ି ବେସରକାରୀ ସ୍କୁଲକୁ ଛାତ୍ରଛାତ୍ରୀଙ୍କ ପଳାୟନ ଅବ୍ୟାହତ ରହିଥିଲା ।
ସ୍ଥିତି ସୁଧୁରିବାର କୌଣସି ଆଶା ନଥିବା ସମୟରେ, କେରଳରେ ଜନଶିକ୍ଷା ବ୍ୟବସ୍ଥାର ଯେଉଁ ପୁନର୍ବିନ୍ୟାସ ଆରମ୍ଭ ହେଲା ତାହାର ପଟାନ୍ତର ନାହିଁ । 2016ରୁ ଆରମ୍ଭ ହୋଇଥିବା ଏହି ପ୍ରୟାସ ଫଳରେ ମାତ୍ର ସାଢ଼େ ଚାରି ବର୍ଷ ଭିତରେ କେରଳର ସରକାରୀ ଶିକ୍ଷା ବ୍ୟବସ୍ଥା ଦେଶରେ ସର୍ବୋତ୍ତମ ଶିକ୍ଷା ବ୍ୟବସ୍ଥାର ମାନ୍ୟତା ସହିତ ନୀତି ଆୟୋଗ ଦ୍ବାରା ପ୍ରସ୍ତୁତ ଗୁଣବତ୍ତା ସୂଚୀ ରିପୋର୍ଟ- 2019ରେ ସ୍ଥାନ ପାଇଲା ।
ସରକାର କ’ଣ କଲେ
2016 ମସିହାରେ କେରଳର ଶିକ୍ଷାମନ୍ତ୍ରୀ ପ୍ରଫେସର ସି. ରବୀନ୍ଦ୍ରନାଥଙ୍କ ଦ୍ବାରା ‘ଜନଶିକ୍ଷା ନବଜୀବନ ଅଭିଯାନ’ ଶୀର୍ଷକ ଏକ ସ୍ବତନ୍ତ୍ର ଅଭିଯାନ ଆରମ୍ଭ ହେଲା । ସମସ୍ତଙ୍କ ପାଇଁ ଉତ୍ତମ ଗୁଣମାନର ଶିକ୍ଷାଦାନକୁ ସୁନିଶ୍ଚିତ କରାଇବା ଉଦ୍ଦେଶ୍ୟରେ କେରଳର ଗରିବ ଶ୍ରେଣୀ ପାଇଁ ମାଗଣା ଶିକ୍ଷା ବ୍ୟବସ୍ଥା ସହିତ ଜନଶିକ୍ଷା ବ୍ୟବସ୍ଥାକୁ ପୁନରୁଜ୍ଜୀବିତ କରାଇବା ଏହି ଅଭିଯାନର ମୂଳ ଲକ୍ଷ୍ୟ ଥିଲା । ଆଉ ଗତ ସାଢ଼େ ଚାରି ବର୍ଷ ଭିତରେ ଏହାର ଫଳାଫଳ ବେଶ୍ ଚମକପ୍ରଦ ହୋଇଛି ।
ଏହି ଅଭିଯାନ ଆରମ୍ଭ ହେବା ସହିତ ସରକାରଙ୍କ ପକ୍ଷରୁ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହେଲା । 2001-02ରେ ଆରମ୍ଭ ହୋଇଥିବା (IT@School) ‘ଆଇଟି@ସ୍କୁଲ୍’ ପ୍ରକଳ୍ପକୁ ଶିକ୍ଷା ପାଇଁ କେରଳର ଭିତ୍ତିଭୂମି ଓ ଜ୍ଞାନକୌଶଳ (କେରଳ ଇନ୍ଫ୍ରାଷ୍ଟକ୍ଚର ଆଣ୍ଡ ଟେକ୍ନୋଲୋଜି ଫର ଏଜୁକେସନ ବା KITE ) ପ୍ରକଳ୍ପ ନାଁରେ ପୁଣି ଆରମ୍ଭ କରାଗଲା । KITE ହେଉଛି କେରଳ ଶିକ୍ଷା ବିଭାଗର ପ୍ରଥମ ‘ସ୍ପେସିଆଲ୍ ପର୍ପୋଜ୍ ଭେହିକ୍ଲ’ କମ୍ପାନୀ ଏବଂ ଏହା ଉପରେ ଏକ ବିଶାଳ ଲକ୍ଷ୍ୟ ହାସଲର ଦାୟିତ୍ବ ରହିଛି । ରାଜ୍ୟର 15,000ରୁ ଅଧିକ ସରକାରୀ ଓ ସରକାରୀ ସହାୟତାପ୍ରାପ୍ତ ସ୍କୁଲ୍ରେ ସୂଚନା ଓ ଯୋଗାଯୋଗ ଜ୍ଞାନକୌଶଳ (ICT) ପ୍ରୟୋଗ ଭିତ୍ତିକ କାର୍ଯ୍ୟକ୍ରମର ରୂପରେଖ ପ୍ରସ୍ତୁତି ଓ ବିକାଶ କରାଇବା ହିଁ KITEର ମୂଳ ଲକ୍ଷ୍ୟ । KITE ମଧ୍ୟ କେରଳ ଇନ୍ଫ୍ରାଷ୍ଟ୍ରକ୍ଚର ଆଣ୍ଡ ଇନ୍ଭେଷ୍ଟମେଣ୍ଟ ଫଣ୍ଡ ବୋର୍ଡ (KIIFB) ଦ୍ବାରା ପାଣ୍ଠି ପ୍ରଦାନ କରାଯାଇଥିବା ପ୍ରଥମ ସ୍ପେସିଆଲ ପର୍ପୋଜ ଭେହିକ୍ଲର ମାନ୍ୟତା ପାଇଛି । ସମ୍ମିଳିତ ବିଷୟବସ୍ତୁ ବିକାଶ ପ୍ରକ୍ରିୟା ନିମନ୍ତେ ସଂଯୋଗ କରାଯାଇଥିବା 15,000 ସ୍କୁଲରେ ଚାଲିଥିବା ଜନଶିକ୍ଷା ବ୍ୟବସ୍ଥାର ପୁନରୁଜ୍ଜୀବନ ଅଭିଯାନରେ ‘ସମଗ୍ର କଣ୍ଟେଣ୍ଟ ପୋର୍ଟାଲ’, ‘ସଂପୂର୍ଣ୍ଣ ସ୍କୁଲ୍ ମ୍ୟାନେଜ୍ମେଣ୍ଟ ସଫ୍ଟୱେୟାର’ ଏବଂ ‘ସ୍କୁଲ୍ୱିକି’ ଭଳି ବିଭିନ୍ନ ସ୍ବତନ୍ତ୍ର କାର୍ଯ୍ୟକ୍ରମ ପ୍ରଚଳନ ଜରିଆରେ KITE ସହଯୋଗ ପ୍ରଦାନ କରେ । KITE ମଧ୍ୟ ‘ଭିକ୍ଟରସ୍’ (Victers) ଚ୍ୟାନେଲ୍ ଆରମ୍ଭ କରିଥିଲା, ଯାହାକି ଦେଶର ପ୍ରଥମ ସଂପୂର୍ଣ୍ଣ ଶିକ୍ଷାଭିତ୍ତିକ ଚ୍ୟାନେଲ୍ । କୋଭିଡ୍ ଲକ୍ଡାଉନ୍ କାରଣରୁ ଅନ୍ଲାଇନ୍ କ୍ଲାସ୍ରେ ଶିକ୍ଷାଦାନ ବ୍ୟବସ୍ଥା ସମୟରେ ଏହା ଖୁବ୍ ସହାୟକ ସାବ୍ୟସ୍ତ ହୋଇଛି । KITE ଦ୍ବାରା ଆରମ୍ଭ ହୋଇଥିବା ଏକ ସ୍ବତନ୍ତ୍ର ପ୍ରକଳ୍ପ ‘ଲିଟ୍ଲ KITE’s ଆଇଟି କ୍ଲବ୍ସ’ ପକ୍ଷରୁ ଆନିମେସନ, ସାଇବର ସେଫ୍ଟି, ହାର୍ଡୱେୟାର, ଇଲେକ୍ଟ୍ରୋନିକ୍ସ, ମାଲାୟାଲମ କମ୍ପ୍ୟୁଟିଂ, ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଆଣ୍ଡ ରୋବୋଟିକ୍ସ ଭଳି 5ଟି ଭିନ୍ନ ଭିନ୍ନ ବିଷୟରେ 1 ଲକ୍ଷରୁ ଅଧିକ ଛାତ୍ରଛାତ୍ରୀଙ୍କୁ ସ୍ବତନ୍ତ୍ର ପ୍ରଶିକ୍ଷଣ ପ୍ରଦାନ କରାଯାଉଛି । KITEର ICT କାର୍ଯ୍ୟକ୍ରମ ଜରିଆରେ ପ୍ରତି ବର୍ଷ 1.5 ଲକ୍ଷ ଶିକ୍ଷକ-ଶିକ୍ଷୟିତ୍ରୀ ଏବଂ 50 ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଲାଭବାନ ହେଉଛନ୍ତି ।
ଲିଙ୍ଗଭିତ୍ତିକ ସମାନତା ଉପରେ ସ୍ବତନ୍ତ୍ର ଧ୍ୟାନ
ଶିକ୍ଷାକୁ ନବଜୀବନ ପ୍ରଦାନ ଅଭିଯାନର ଅଂଶବିଶେଷ ଭାବରେ, ସ୍କୁଲ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଲିଙ୍ଗଭିତ୍ତିକ ସମ୍ବେଦନଶୀଳତା ବୃଦ୍ଧିକୁ ସୁନିଶ୍ଚିତ କରିବା ନିମନ୍ତେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆରମ୍ଭ କରାଗଲା । GET-UP (ଗାର୍ଲସ୍ ଏମ୍ପାୱାରମେଣ୍ଟ ଟ୍ରେନିଂ ପ୍ରୋଗ୍ରାମ) ଶୀର୍ଷକ କାର୍ଯ୍ୟକ୍ରମ ଜରିଆରେ ଉଚ୍ଚ ପ୍ରାଥମିକ, ମାଧ୍ୟମିକ ଏବଂ ଉଚ୍ଚ ମାଧ୍ୟମିକ ସ୍କୁଲରେ ଛାତ୍ରୀମାନଙ୍କର ବ୍ୟାପକ ବିକାଶ ଲାଗି ଲକ୍ଷ୍ୟ ରଖାଯାଇଛି । ଏହି ସବୁ ସ୍କୁଲରେ ଝିଅମାନଙ୍କ ପାଇଁ ସ୍ବତନ୍ତ୍ର ‘ଗାର୍ଲସ୍ କ୍ଲବ୍’ ସ୍ଥାପନ କରାଯାଇଛି ଏବଂ ସ୍କୁଲ୍ର ବିଭିନ୍ନ କାର୍ଯ୍ୟକ୍ରମରେ ଲିଙ୍ଗ ଭିତ୍ତିରେ ରହୁଥିବା ପ୍ରଭେଦକୁ ବୁଝିବା ଲାଗି ଦଳଗତ ଆଲୋଚନା, ବିତର୍କ ଏବଂ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଆୟୋଜନ କରାଯାଇ ଏଥିରେ ଭାଗ ନେବା ଦିଗରେ ସେମାନଙ୍କୁ ଉତ୍ସାହିତ କରାଯାଉଛି । ଲିଙ୍ଗଭିତ୍ତିକ ସମାନତା ଏବଂ ମହିଳା ସଶକ୍ତୀକରଣ ଭଳି ବିଷୟବସ୍ତୁକୁ ଆଧାର କରି ସ୍କୁଲ୍ର ବାର୍ଷିକ ଉତ୍ସବ ଆୟୋଜନ କରିବା ଲାଗି ମଧ୍ୟ ସେମାନଙ୍କୁ ପ୍ରେରିତ କରାଯାଉଛି ।
ସ୍ଥାନୀୟ ସ୍କୁଲରେ ସ୍ଥାନୀୟ ଲୋକଙ୍କ ସଂପୃକ୍ତି
ଶିକ୍ଷାଦାନ ବ୍ୟବସ୍ଥାରେ ସାଧାରଣ ଲୋକଙ୍କ ସଂପୃକ୍ତି ଥିଲା ସଠିକ୍ ମାର୍ଗରେ ଏକ ବିରାଟ ପଦକ୍ଷେପ ଏବଂ ଏହା ଦ୍ବାରା ସ୍ଥାନୀୟ ଲୋକେ ସରକାରୀ ସ୍କୁଲ ଉପରେ ସେମାନଙ୍କର ମାଲିକାନା ହକ ରହିଥିବା ଭଳି ଅନୁଭବ କଲେ । କେରଳରେ ସରକାରୀ ଓ ବେସରକାରୀ ସହଭାଗିତାକୁ ଏକ ନୂତନ ପରିଭାଷା ଦେବାକୁ ଯାଇ ଏହା ବଦଳରେ ସରକାର-ସାଧାରଣ ଲୋକଙ୍କ ମଧ୍ୟରେ ସହଭାଗିତାର ଏକ ନୂତନ ପରିକଳ୍ପନା କରାଗଲା । ଏହି ପରିକଳ୍ପନାର ପ୍ରଥମ ଭାଗରେ ସରକାର ରହିଥିଲେ ଏବଂ ସ୍କୁଲ୍ର ଉନ୍ନୟନ ଲାଗି KIIFB ଜରିଆରେ ପାଣ୍ଠି ଯୋଗାଣକୁ ସୁଗମ କରିଥିଲେ । ଦ୍ବିତୀୟରେ ରହିଥିଲେ ସ୍ଥାନୀୟ ଲୋକେ, ଯେଉଁମାନେ କି ଉଚ୍ଚ ଗୁଣମାନର ଶିକ୍ଷାଦାନ ସୁନିଶ୍ଚିତ କରିବା ଲାଗି ସ୍କୁଲ୍ର ବିଭିନ୍ନ କାର୍ଯ୍ୟକ୍ରମରେ ସକ୍ରିୟ ଅଂଶଗ୍ରହଣ କରୁଥିଲେ । KIIFB ପକ୍ଷରୁ ମିଳୁଥିବା ପାଣ୍ଠି ବ୍ୟତୀତ, ପଞ୍ଚାୟତ, ପୌର ସଂସ୍ଥା ଏବଂ ଜିଲ୍ଲା ପଞ୍ଚାୟତରୁ ଏବଂ ସାଂସଦ ଓ ବିଧାୟକଙ୍କ ପାଣ୍ଠିରୁ ମିଳୁଥିବା ପାଣ୍ଠିକୁ ମଧ୍ୟ ସ୍କୁଲ୍ର ଭିତ୍ତିଭୂମି ବିକାଶରେ ବିନିଯୋଗ କରାଗଲା । ସ୍କୁଲରେ ଶିକ୍ଷାଦାନର ସାମଗ୍ରିକ ବିକାଶ ନିମନ୍ତେ ଶ୍ରେଣୀଗୃହରେ ଏକ ବୈଷୟିକ ଜ୍ଞାନକୌଶଳରେ ସମୃଦ୍ଧ ବାତାବରଣ ଗଠନ ଲାଗି ସ୍କୁଲର ଆଧୁନିକୀକରଣ ଯୋଜନାକୁ ସଫଳତାର ସହିତ କାର୍ଯ୍ୟକାରୀ କରାଗଲା ।
ସରକାରୀ ସ୍କୁଲରେ ଭୌତିକ ଭିତ୍ତିଭୂମିର ବିକାଶ ନିମନ୍ତେ ସାଧାରଣ ଲୋକ ଏବଂ ସ୍କୁଲର ପୁରାତନ ଛାତ୍ରଛାତ୍ରୀଙ୍କୁ ମଧ୍ୟ ଉତ୍ସାହିତ କରାଗଲା ।
ନିଜ ପସନ୍ଦ ମୁତାବକ ଭାଷା
କେରଳରେ ଛାତ୍ରଛାତ୍ରୀମାନେ ସରକାରୀ ସ୍କୁଲ ଛାଡ଼ି ପଳାଇବାର ଅନ୍ୟତମ ମୁଖ୍ୟ କାରଣ ଥିଲା ଉପଯୁକ୍ତ ଢଙ୍ଗରେ ଇଂରାଜୀ ଶିକ୍ଷାର ଅଭାବ । ଏହି ନବଜୀବନ ଅଭିଯାନର ଅଂଶବିଶେଷ ଭାବରେ ସରକାର ଗୋଟିଏ ପରିସରରେ ଉଭୟ ମାଧ୍ୟମର ସ୍କୁଲ ଆରମ୍ଭ କଲେ ଏବଂ ଛାତ୍ରଛାତ୍ରୀଙ୍କୁ ନିଜ ନିଜ ପସନ୍ଦ ମୁତାବକ ଭାଷା ମାଧ୍ୟମରେ ଶିକ୍ଷାଗ୍ରହଣ କରିବାର ସୁଯୋଗ ପ୍ରଦାନ କଲେ । ତେଣୁ କେରଳର ଅଧିକାଂଶ ସରକାରୀ ସ୍କୁଲ୍ରେ ଏବେ ଉଭୟ ମାଲାୟଲମ୍ ଏବଂ ଇଂରାଜୀ ମାଧ୍ୟମରେ ଶିକ୍ଷାଦାନ କରାଯାଉଛି ଏବଂ ଉଭୟ ମାଧ୍ୟମ, ଛାତ୍ରଛାତ୍ରୀଙ୍କୁ ସମାନ ଭାବରେ ଆକର୍ଷିତ କରୁଛନ୍ତି । ଇଂରାଜୀ ମାଧ୍ୟମ ସ୍କୁଲ କାର୍ଯ୍ୟକାରୀ ହେବା ପରେ ମାଲାୟାଲମ ମାଧ୍ୟମ ସ୍କୁଲରେ ମଧ୍ୟ ଇଂରାଜୀ ଶିକ୍ଷାର ଗୁଣମାନ ଖୁବ୍ ଉଚ୍ଚ ହାରରେ ବୃଦ୍ଧି ପାଇଛି । ପାଠ୍ୟକ୍ରମ ଏବଂ ପାଠ୍ୟକ୍ରମ ଅନ୍ତର୍ଭୁକ୍ତ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ପ୍ରଭାବଶାଳୀ ପରିବର୍ତ୍ତନ ଯୋଗୁଁ ସରକାରୀ ସ୍କୁଲର ଛାତ୍ରୀଛାତ୍ରୀମାନେ ବି ବିଶ୍ବର ଯେ କୌଣସି ସ୍କୁଲ୍ର ଛାତ୍ରଛାତ୍ରୀଙ୍କ ସହ ପ୍ରତିଯୋଗିତା କରିପାରିବେ ତାହା ସୁନିଶ୍ଚିତ ହୋଇଛି ।
ଆମେ ଆମ ପିଲାଙ୍କ ଯତ୍ନ ନେଉ
ସରକାରୀ ଶିକ୍ଷା ବ୍ୟବସ୍ଥାରେ ସାମିଲ ହେଉଥିବା ଛାତ୍ରଛାତ୍ରୀଙ୍କ ପାଇଁ କଲ୍ୟାଣକାରୀ ଶିକ୍ଷାଦାନ ପରିକଳ୍ପନାରେ କେରଳ ଏକ ବୈପ୍ଲବିକ ପରିବର୍ତ୍ତନ ଆଣିଲା । ସେମାନଙ୍କ ଆର୍ଥିକ ସ୍ଥିତିକୁ ବିଚାରକୁ ନନେଇ ଅଷ୍ଟମ ଶ୍ରେଣୀ ଯାଏ ସବୁ ଛାତ୍ରଛାତ୍ରୀଙ୍କୁ ମାଗଣାରେ ସ୍କୁଲ ୟୁନିଫର୍ମ ଦିଆଗଲା । ଛାତ୍ରୀ ଏବଂ ଅଧିସୂଚିତ ଜାତି/ଅଧିସୂଚିତ ଜନଜାତି ଛାତ୍ରଛାତ୍ରୀଙ୍କୁ 10ମ ଶ୍ରେଣୀ ଯାଏ ମାଗଣାରେ ୟୁନିଫର୍ମ ମିଳିଲା । ଛାତ୍ରଛାତ୍ରୀଙ୍କୁ ହସ୍ତତନ୍ତ କପଡ଼ା ପ୍ରସ୍ତୁତ ୟୁନିଫର୍ମ ଦେବାକୁ କେରଳ ସରକାର ସ୍ଥିର କଲେ ଏବଂ ଏହା ଫଳରେ ଏକ ରୁଗ୍ଣ ଶିଳ୍ପକୁ ପୁନର୍ଜୀବନ ପ୍ରଦାନରେ ସହାୟକ ହେଲେ ।
ମାଗଣା ୟୁନିଫର୍ମ ସହିତ, ସମସ୍ତ ସ୍କୁଲରେ ମାଗଣାରେ ଏକ ସଂପୂର୍ଣ୍ଣ ପୁଷ୍ଟିକର ମଧ୍ୟାହ୍ନ ଭୋଜନ ପ୍ରଦାନ ସହିତ ପୁଷ୍ଟିକର ଭୋଜନ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କୁ କ୍ଷୀର ଓ ଅଣ୍ଡା ଖାଇବାକୁ ଦିଆଗଲା । 8ମ ଶ୍ରେଣୀ ଯାଏ ସବୁ ଛାତ୍ରଛାତ୍ରୀଙ୍କୁ ମାଗଣାରେ ପାଠ୍ୟପୁସ୍ତକ ପ୍ରଦାନ କରାଗଲା । ପିଲାମାନଙ୍କ ବସ୍ତାନି ବୋଝକୁ ହାଲୁକା କରିବା ଲାଗି ପଢ଼ାବହିଗୁଡ଼ିକୁ ବିଭିନ୍ନ ଭାଗରେ ବିଭକ୍ତ କରାଯାଇଛି । ସ୍କୁଲ ଖୋଲିବାର ବହୁ ପୂର୍ବରୁ ଛାତ୍ରଛାତ୍ରୀଙ୍କୁ ବହି ଦିଆଗଲା ।
ଉଭୟ ଭିତ୍ତିଭୂମି ସଂପର୍କିତ ସୁବିଧା ସୁଯୋଗ ଏବଂ ଶିକ୍ଷାଦାନର ଗୁଣମାନ ଦୃଷ୍ଟିରୁ ଏବେ କେରଳର ସରକାରୀ ସ୍କୁଲଗୁଡ଼ିକ ଯେ କୌଣସି ଅନ୍ତର୍ଜାତୀୟ ସ୍କୁଲର ସମକକ୍ଷ ହୋଇଛନ୍ତି । ସରକାରୀ ସ୍କୁଲ୍ରେ ନାମ ଲେଖାଇବାକୁ ପ୍ରତି ବର୍ଷ ବହୁସଂଖ୍ୟକ ଛାତ୍ରଛାତ୍ରୀଙ୍କ ଭିଡ଼ ଲାଗିବା ଘଟଣା ହିଁ କେରଳର ସରକାରୀ ଶିକ୍ଷା ବ୍ୟବସ୍ଥାରେ ହାସଲ ସଫଳତାର ପ୍ରମାଣ ଦିଏ ।
କେ. ପ୍ରବୀଣ କୁମାର, କେରଳ ରାଜ୍ୟ ମୁଖ୍ୟ, ଇଟିଭି ଭାରତ