ଲକ୍ଷ୍ନୌ: ଗୃହମନ୍ତ୍ରୀ ଅମିତ ଶାହ ଲକ୍ଷ୍ନୌରେ ନାଗରିକତା ସଂଶୋଧନ ଆଇନ ସମର୍ଥନରେ ଆୟୋଜିତ ଜନଜାଗରଣ ଜନସଭାକୁ ସମ୍ବୋଧିତ କରିଛନ୍ତି । ଦେଶକୁ ଭାଙ୍ଗିବାକୁ ଚେଷ୍ଟା କରୁଥିବା ଲୋକଙ୍କ ଅସଲ ଚେହେରାକୁ ପଦାକୁ ଆଣିବା ପାଇଁ ଜନଜାଗରଣ ଅଭିଯାନ ଚଳାଇବାକୁ ପଡୁଛି ବୋଲି ଶାହ କହିଛନ୍ତି ।
ଶାହ କହିଛନ୍ତି ଯେ ସିଏଏ ବିରୁଦ୍ଧରେ କଂଗ୍ରେସ, ମମତା, ଅଖିଳେଶ ସମସ୍ତେ ଚିତ୍କାର କରୁଛନ୍ତି । ଦେଶର ଅଳ୍ପ ସଂଖ୍ୟକଙ୍କ ନାଗରିକତା ଛଡାଇନିଆଯିବ ବୋଲି ଏମାନେ ମିଛ ପ୍ରଚାର କରୁଛନ୍ତି । ହେଲେ ଭାରତର ବିଭାଜନ ପରେ ଅନେକ ଲୋକଙ୍କ ଉପରେ ଅତ୍ୟାଚାର ହୋଇଥିଲା । ଆମେ ତାଙ୍କର ଦୁଃଖ ବୁଝିଛୁ । ଏହି ଦୁଃଖକୁ ଦୂର କରିବା ପାଇଁ ନାଗରିକତା ସଂଶୋଧନ ଆଇନ ଅଣାଯାଇଛି ବୋଲି ଶାହ କହିଛନ୍ତି ।
ଦେଶ ବିଭାଜନ ସମୟରେ ଅନେକ ଲୋକଙ୍କୁ ହତ୍ୟା କରିଦିଆଗଲା । ପଳାୟନ ପାଇଁ ବାଧ୍ୟ କରାଗଲା । ସେତେବେଳେ ମାନବାଧିକାରର କଥା କହୁଥିବା ଲୋକ କୁଆଡେ ଯାଇଥିଲେ ବୋଲି ପ୍ରଶ୍ନ କରିଛନ୍ତି ଶାହ । ଅନ୍ୟପକ୍ଷେ କୌଣସି ବି ପରିସ୍ଥିତିରେ ସିଏଏ ପ୍ରତ୍ୟାହାର କରାଯିବ ନାହିଁ ବୋଲି ଶାହ ସ୍ପଷ୍ଟ କରିଛନ୍ତି ।