ପୁନେ: ଦେଶରେ ସିଏଏ ବିରୋଧି ପ୍ରତିବାଦର ସ୍ବର ଦେଖିବାକୁ ମିଳିଛି। କଂଗ୍ରେସ ସହ ଅନ୍ୟାନ୍ୟ ସଙ୍ଗଠନ ଏହାକୁ ବିରୋଧ କରି ଶୋଭାଯାତ୍ରା ଓ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରୁଛନ୍ତି। ଏହି ସମୟରେ ଅଭିନେତ୍ରୀରୁ ରାଜନେତ୍ରୀ ପାଲଟିଥିବା ଉର୍ମିଳା ମାତୋଣ୍ଡକର ଏକ ବିସ୍ଫୋରକ ବୟାନ ଦେଇଛନ୍ତି। ନାଗରିକତା ସଂଶୋଧନ ଆଇନ(ସିଏଏ)କୁ ବ୍ରିଟିଶ ଅମଳର ରାଓଲତ ଆଇନ ସହ ତୁଳନା କରିଛନ୍ତି ।
ପୁନେରେ ମହାତ୍ମାଗାନ୍ଧୀଙ୍କ ଶ୍ରାଦ୍ଧ ବାର୍ଷିକୀରେ ଚାଲିଥିବା ସିଏଏ ବିରୋଧ ଆନ୍ଦୋଳନ ସମୟରେ ଯୋଗ ଦେଇ ଉପରୋକ୍ତ ପ୍ରତିକ୍ରିୟା ରଖିଛନ୍ତି ସେ । ତାଙ୍କ କହିବା ଅନୁସାରେ, ମହାତ୍ମାଗାନ୍ଧୀଙ୍କ ଆଦର୍ଶ ଏବେ ଲୋକଙ୍କ ମଧ୍ୟରେ ଜୀବିତ ରହିଛି। ଯେଉଁମାନେ ଏହି ଆଇନର ବିରୋଧରେ ଅଛନ୍ତି ଓ ସମର୍ଥନ କରୁଥିବା ଲୋକେ ଓ ତାଙ୍କ ନେତାଙ୍କୁ ରାଜଘାଟରେ ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବା ଦରକାର।
ମହାତ୍ମା ଗାନ୍ଧୀ ହିନ୍ଦୁ ଧର୍ମର ଜଣେ ସଚ୍ଚା ଅନୁଗାମୀ। ଏହାସହ ଯେଉଁ ବ୍ୟକ୍ତି ତାଙ୍କୁ ଗୁଳିକରି ହତ୍ୟା କଲା ସେ ମଧ୍ୟ ଜଣେ ହିନ୍ଦୁ ବୋଲି ମାତୋଣ୍ଡକର କହିଛନ୍ତି। ଇତିହାସ ସାକ୍ଷୀ ଅଛି ଉଭୟ ରାଓଲତ ଆଇନ ଓ ନୂତନ ଭାବେ ପ୍ରଣୀତ ସିଏଏ ଆଇନ ଯାହା ଏକ କଳା ଆଇନ। ଏହା କେବଳ ଗରିବ ଲୋକଙ୍କ ପାଇଁ ଏକ ଷଡଯନ୍ତ୍ର। ଆମେ ଏହି ଆଇନକୁ ଗ୍ରହଣ କରିବୁ ନାହିଁ ବୋଲି କହିଛନ୍ତି।