କୁଲ୍ଲୁ: ପ୍ଲାଷ୍ଟିକରୁ ନିଆରା କାରିଗରୀ । ଅଦରକାରୀ ପ୍ଲାଷ୍ଟିକରୁ ପ୍ରସ୍ତୁତ ହେଉଛି ଭଳିକି ଭଳି ସାମଗ୍ରୀ । ଯାହାକୁ ତିଆରି କରୁଛନ୍ତି ହିମାଚଳପ୍ରଦେଶରେ ରହୁଥିବା କଳ୍ପନା ଠାକୁର । ତାଙ୍କ ହାତସ୍ପର୍ଶରେ ଅଦରକାରୀ ପ୍ଲାଷ୍ଟିକ ଗୁଡିକ ଯେମିତି ଜୀବନ୍ତ ହୋଇଉଠୁଛି । ଯାହା ଆଖିରେ ନ ଦେଖିଲେ ବିଶ୍ବାସ କରିହେବନି ।
ପ୍ଲାଷ୍ଟିକ ବର୍ଜ୍ୟବସ୍ତୁରୁ ନିଆରା କଳାକୃତି । ପ୍ଲାଷ୍ଟିକ ସମସ୍ୟା ଶେଷ କରିବାକୁ ହିମାଚଳ ପ୍ରଦେଶ ମନାଲିରେ ରହୁଥିବା କଳ୍ପନା ଠାକୁରଙ୍କ ଅଭିନବ ପଦକ୍ଷେପ । ଅଦରକାରୀ ପ୍ଲାଷ୍ଟିକକୁ ପୁନଃବ୍ୟବହାର କରି ସେଥିରୁ ସେ ପ୍ରସ୍ତୁତ କରୁଛନ୍ତି ବିଭିନ୍ନ କଳାକୃତି । ଏହାସହ ଲୋକଙ୍କୁ ପ୍ଲାଷ୍ଟିକର ଭୟାବହତା ସମ୍ପର୍କରେ କରୁଛନ୍ତି ସଚେତନ । କଳ୍ପନାଙ୍କ ଏହି ପ୍ରୟାସ ବିଭିନ୍ନ ମହଲରେ ପ୍ରଶଂସା ସାଉଁଟୁଛି ।
ଏଭଳି ପ୍ରୟାସ ପାଇଁ ବିଭିନ୍ନ ସଂସ୍ଥା ପକ୍ଷରୁ କଳ୍ପନାଙ୍କୁ ସମ୍ମାନିତ କରାଯାଇଛି । ଅନ୍ୟପଟେ ଦିନକୁ କୁଢ କୁଢ ପ୍ଲାଷ୍ଟିକ ଆବର୍ଜନା ପୃଥିବୀ ପାଇଁ ସୃଷ୍ଟି କରୁଛି ବିପଦ । ଆଉ ଏହି ପ୍ଲାଷ୍ଟିକ କେବଳ ପରିବେଶକୁ ନଷ୍ଟ କରୁଛି ତାହା ନୁହେଁ ଏହାକୁ ନଷ୍ଟ କରିବା ସମସ୍ତଙ୍କ ପାଇଁ ଚ୍ୟାଲେଞ୍ଜ ହୋଇଛି । ପ୍ଲାଷ୍ଟିକ ବ୍ୟବହାର ବନ୍ଦ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଆରମ୍ଭ କରିଛନ୍ତି ଅଭିଯାନ । ସରକାରଙ୍କ ଏହି ଅଭିଯାନକୁ କଳ୍ପନା ପ୍ରଶଂସା କରିବା ସହ ଏକକ ବ୍ୟବହୃତ ପ୍ଲାଷ୍ଟିକ ବ୍ୟବହାର କମ୍ କରିବାକୁ ଲୋକଙ୍କୁ ସେ ଅପିଲ କରିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ