ବିଶ୍ଵର ବାସୋପଯୋଗୀ ୧୪୦ ସହର ତାଲିକାରେ ରାଜଧାନୀ ନୂଆଦିଲ୍ଲୀର ସ୍ଥାନ ହେଉଛି ୧୧୮ । ସେହିପରି ଦେଶର ବାଣିଜ୍ୟ ରାଜଧାନୀ ମୁମ୍ବାଇର ସ୍ଥାନ ରହିଛି ୧୧୯ । ସହରଗୁଡିକ ଦେଶ ବିକାଶର ମୁଳଦୂଆ ବୋଲି ବିଭିନ୍ନ ଅନ୍ତର୍ଜାତୀୟ ଗବେଷଣା ମତ ଦେଉଥିବେବେଳେ ଆମ ସହରଗୁଡ଼ିକର ସ୍ଥିତି ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି ।
ଏହିପ୍ରକାର ଦୂରାବସ୍ଥା ଦୂର କରିବା ଲାଗି ମୋଦି ସରକାର ଅଟଳ ମିଶନ ଫର ରିଜୁଭିନେସନ୍ ଆଣ୍ଡ ଅର୍ବାନ୍ ଟ୍ରାନ୍ସଫରର୍ମେସନ୍ ( ଅମୃତ) ଯୋଜନା ଆରମ୍ଭ କରିଛନ୍ତି । ଏହାଦ୍ଵାରା ଦେଶର ଭିନ୍ନ ଭିନ୍ନ ସ୍ମାର୍ଟସିଟିକୁ ବିକାଶ କରାଯିବା ଲକ୍ଷ୍ୟ ରହିଛି । ଯଦିଓ କେନ୍ଦ୍ର ସରକାର ଅମୃତ ଯୋଜନା ମାଧ୍ୟମରେ ହୋଇଥିବା ବିକାଶର ଏକ ମଧ୍ୟବର୍ତ୍ତୀକାଳୀନ ରିପୋର୍ଟ ଖୁବ୍ ଶୀଘ୍ର ଉପସ୍ଥାପନ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି, ହେଲେ ଏଭିତରେ ପ୍ରକାଶିତ ଅର୍ଥନୀତିକ ସର୍ବେକ୍ଷଣ ରିପୋର୍ଟ ମଧ୍ୟ କିଛି ତଥ୍ୟ ଉନ୍ମୋଚନ କରିଛି ।
ଏହି ତଥ୍ୟ ଅନୁସାରେ ଦେଶର ବିଭିନ୍ନ ସ୍ଥାନରେ ୨ ଲକ୍ଷ କୋଟି ଟଙ୍କା ନିବେଶରେ ୫୧୫୧ ପ୍ରକଳ୍ପ କାର୍ଯ୍ୟ ଚାଲୁଅଛି । ଯଦିଓ ଏହି ପ୍ରକଳ୍ପ ରୂପାୟନ କରିବାରେ ସ୍ଵତନ୍ତ୍ର ଧ୍ୟାନ ଦିଆଯାଉଛି ତଥା ପରାମର୍ଶଦାତା କମିଟି ଏବଂ ପରିଚାଳନା କନ୍ସଲ୍ଟାଣ୍ଟ ନିଯୁକ୍ତି କରାଯାଇଥିବା ବିଷୟ କୁହାଯାଉଛି କିନ୍ତୁ ୧୦୦ଟି ପ୍ରସ୍ତାବିତ ସ୍ମାର୍ଟସିଟିରେ ପ୍ରକଳ୍ପ ରୂପାୟନର ବାସ୍ତବ ସ୍ଥିତି ବେଶ୍ ଉଦ୍ବେଗଜନକ ରହିଛି ।
ନଭେମ୍ବର ୧୪, ୨୦୧୯ ସୁଦ୍ଧା ସମୁଦାୟ ଆବଣ୍ଟନ ରାଶିର ୨୨ହଜାର ୫୬୯ କୋଟି ଟଙ୍କା ଖର୍ଟ୍ଟ କରାଯାଇ ୧୨୯୦ଟି ପ୍ରକଳ୍ପ ସମାପ୍ତ ହୋଇଛି । ସମୁଦାୟ ପ୍ରକଳ୍ପ ଆକଳନର ଏହା ୧୧ ପ୍ରତିଶତ । ଅନ୍ୟ ପ୍ରକଳ୍ପସବୁ ଏବେ ଟେଣ୍ଡର ପ୍ରକ୍ରିୟାରେ ହିଁ ରହିଛି । ସରକାରୀ ତଥ୍ୟ ଅନୁସାରେ ଅମରାବତୀ ଏବଂ ଅହମଦାବାଦ ସମେତ ଦେଶର ୨୦ ଟପ୍ ସ୍ମାର୍ଟ ସହରରେ ପ୍ରକଳ୍ପ ରୂପାୟନ ଉଲ୍ଲେଖନୀୟ ସଫଳତା ହାସଲ କରିଥିବାବେଳେ ବଟମ୍ ୨୦ ସହର ଯେମିତି ଚଣ୍ଡିଗଡ଼ ଓ ଶିମ୍ଲାରେ ପ୍ରକଳ୍ପ ରୂପାୟନ ନୈରାଶ୍ୟଜନକ ରହିଛି । ଦିଲ୍ଲୀରେ ବାୟୁ ପ୍ରଦୂଷଣ ତଥା ଦୂଷିତ ବାୟୁ ହେତୁ ଯେଉଁଭଳି ଭାବେ ଜନଜୀବନ ବ୍ୟାହତ ହୋଇଛି, ସେ କ୍ଷେତ୍ରରେ ସରକାର ଏହାକୁ ମୁକାବିଲା କରିବା ଲାଗି ଆବଶ୍ୟକ ଯୋଜନା ରୂପାୟନ କରିବା ଦରକାର ।
ଦିଲ୍ଲୀର ବାୟୁ ପ୍ରଦୂଷଣ ଏତେ ଭୟଙ୍କର ହୋଇଥିଲା ଯେ ବାଧ୍ୟ ହୋଇ କେନ୍ଦ୍ର ସରକାର ଜନସ୍ଵାସ୍ଥ୍ୟ ଜରୁରୀ ସ୍ଥିତି ଜାରି କରିଥିଲେ । ଏହି ଅନୁସାରେ ଦିଲ୍ଲୀ ବିଶ୍ଵର ଅନ୍ୟତମ ଅତ୍ୟନ୍ତ ପ୍ରଦୂଷିତ ସହର ଭାବେ ପରିଚିତ ହୋଇଛି। ଆଉ ଗୋଟିଏ ସମ୍ବେଦନଶୀଳ ବିଷୟ ହେଉଛି-ଭାରତର ୭୬ ପ୍ରତିଶତ ଲୋକ ପ୍ରଦୂଷିତ ବାୟୁମଣ୍ଡଳରେ ରହୁଛନ୍ତି । ସେଥିପାଇଁ ବାୟୁ ପ୍ରଦୂଷଣକୁ ମୁକାବିଲା କରିବା ଲାଗି କେନ୍ଦ୍ର ଏହି ବଜେଟ୍ରେ ୪୪୦୦ କୋଟି ପାଣ୍ଠି ବ୍ୟବସ୍ଥା କରିଛି। କିନ୍ତୁ ଏହା ଯଥେଷ୍ଟ ନୁହେଁ। ବାୟୁ ପ୍ରଦୂଷଣ ଏକ ସଙ୍ଗୀନ ବିଷୟ ହୋଇଥିଲେ ମଧ୍ୟ ମୁକାବିଲା ପାଇଁ କମ୍ ଅର୍ଥ ବରାଦ କରାଯିବା ଦ୍ଵାରା ତାହାର କୁପ୍ରଭାବ ଜଳବାୟୁ ଉପରେ ପଡ଼ୁଛି । ଜଳବାୟୁ ପରିବର୍ତ୍ତନ ଏହାର ଏକ କାରଣ ହୋଇଛି । ଅପରପକ୍ଷେ ଅମୃତ ଯୋଜନାରେ ସରକାର ଆସନ୍ତା ୫ ବର୍ଷରେ ୪୮ ହଜାର କୋଟି ଟଙ୍କା ଖର୍ଟ୍ଟ କରିବା ଲାଗି ଯୋଜନା କରିଛନ୍ତି। ଯଦି ଗୋଟିଏ ସ୍ମାର୍ଟସିଟି ପିଛା ସରକାର ଏହି ଯୋଜନାରୁ ୧୦୦ କୋଟି ଟଙ୍କା ଖର୍ଚ୍ଚ କରନ୍ତି ତେବେ ତାହାର ଅନେକ ସୁପ୍ରଭାବ ବାୟୁ ପ୍ରଦୂଷଣ ଉପରେ ପଡ଼ିପାରନ୍ତା। ଏହାଦ୍ଵାରା ସ୍ଥାନୀୟ ପ୍ରଶାସନ ମଧ୍ୟ ଯୋଜନାକୁ ସମାନ ଭାବେ ସହାୟକ ହୋଇପାରନ୍ତା।
କେନ୍ଦ୍ର ସରକାର ଅମୃତ ଯୋଜନା ମାଧ୍ୟମରେ ସ୍ମାର୍ଟସିଟି ଗୁଡ଼ିକରେ କିଛି ଆଖିଦୃଶିଆ ପରିବର୍ତ୍ତନ ଆଶା କରିଛନ୍ତି। ଏଥିଲାଗି ସ୍ଵଚ୍ଛ ଭାରତ ଯୋଜନା, ସ୍କିଲ୍ ଇଣ୍ଡିଆ, ଆବାସ ଯୋଜନା ଭଳି କାର୍ଯ୍ୟକ୍ରମକୁ ଅମୃତ ଯୋଜନା ସହ ଯୋଡ଼ା ଯାଇଛି । ଯଦିଓ କେନ୍ଦ୍ର ସରକାର ଏହି ଯୋଜନା ମାଧ୍ୟମରେ ସଂଘୀୟ ବ୍ୟବସ୍ଥାକୁ ସୁଦୃଢ଼ କରିବାକୁ ଚାହିଁଛନ୍ତି କିନ୍ତୁ କୌଣସି ପ୍ରସ୍ତାବିତ ସହରରେ ଏଥିନେଇ ଆଖିଦୃଶିଆ ପରିବର୍ତ୍ତନ ଲକ୍ଷ୍ୟ କରାଯାଇ ନାହିଁ । ଏଭିତରେ ଯୋଜନା ପ୍ରଣୟନର ୫ ବର୍ଷ ସମୟ ବିତିଗଲାଣି । ଜନସଂଖ୍ୟା ଗଣନା ୨୦୧୧ ଅନୁସାରେ ଭାରତର ୩୧ ପ୍ରତିଶତ ଜନତା ହେଉଛନ୍ତି ସହରିଆ । କିନ୍ତୁ ଏହି ୩୧ ପ୍ରତିଶତ ଜନତାଙ୍କ ଜିଡିପିକୁ ଅବଦାନ ହେଉଛି ୬୩ ପ୍ରତିଶତ। ୨୦୩୦ ସୁଦ୍ଧା ଏହା ଆକଳନ କରାଯାଇଛି ଯେ ଭାରତ ୪୦ ପ୍ରତିଶତ ଜନତା ସହରୀ ଅଞ୍ଚଳରେ ବସବାସ କରୁଥିବେ ଏବଂ ଦେଶର ଜିଡିପିରେ ସେମାନଙ୍କ ଅବଦାନ ଦୁଇ ତୃତୀୟାଂଶ ହୋଇଥିବ।
ଏହି ସହରୀ ଅଞ୍ଚଳଗୁଡ଼ିକରେ ମୌଳିକ ସୁବିଧା ସୁଯୋଗ ଉପଲବ୍ଧ କରାଇବା ଲକ୍ଷ୍ୟରେ ଅମୃତ ଯୋଜନା ମାଧ୍ୟମରେ ଭିତ୍ତିଭୂମି, ଡିଜିଟାଲ ସେବା, ଉନ୍ନତ ପରିବହନ ବ୍ୟବସ୍ଥା ଏବଂ ଆନନ୍ଦ ଦାୟକ ସମୟ ବିତାଇବା ସ୍ଥାନ ସୃଷ୍ଟି ଲକ୍ଷ୍ୟ ରଖାଯାଇଛି। ଅର୍ଥନୀତିକ ସର୍ବେକ୍ଷଣ ୨୦୧୭-୧୮ର ଆକଳନ ଅନୁସାରେ ଭାରତକୁ ଭିତ୍ତିଭୂମି ବିକାଶ ପାଇଁ ୨୦୪୦ ସୁଦ୍ଧା ୪.୫ଲକ୍ଷ କୋଟି ଆମେରିକୀୟ ଡଲାର ନିବେଶ କରିବାକୁ ପଡ଼ିବ। ଆଉ ଏହାର ସିଂହଭାଗ ସହରାଞ୍ଚଳର ବିକାଶ ଲାଗି ଖର୍ଚ୍ଚ ହେବ।
ଆସନ୍ତା ୧୦ ବର୍ଷରେ ସହରାଞ୍ଚଳରେ ଲୋକଙ୍କ ଆବଶ୍ୟକତା ତଥା ଜମା ରାଶିକୁ ଲକ୍ଷ୍ୟ କରି ଭାରତରେ ପ୍ରତିବର୍ଷ ଗୋଟିଏ ଚିକାଗୋ ଭଳିଆ ସହର ନିର୍ମାଣ ଆବଶ୍ୟକତା ରହିଥିବା କେନ୍ଦ୍ରମନ୍ତ୍ରୀ ହରଦୀପ ସିଂ ପୁରୀ କହିଛନ୍ତି। ଆମେ ବିସ୍ତୃତ ବିକାଶ ପ୍ରକଳ୍ପ ବିନା ସମ୍ପୂର୍ଣ୍ଣ ପରିବର୍ତ୍ତନର ସ୍ଵପ୍ନ ଦେଖିବା ଅନୁଚିତ । ଅଳ୍ପ କିଛି ଯୋଜନା ଦ୍ଵାରା ମୌଳିକ ଭିତ୍ତିଭୂମି ବିକାଶ କରିବା ସମ୍ଭବ ନୁହେଁ। ଯେଉଁ କିଛି ଯୋଜନା ଏବେ କରାଯାଉଛି ତାହାର ୮୦ ପ୍ରତିଶତ ଖର୍ଚ୍ଚ ଆଞ୍ଚଳିକ ବିକାଶ ପାଇଁ ଖର୍ଚ୍ଚ ହେଉଛି । କିନ୍ତୁ ଏହା ମାତ୍ର ୫ ପ୍ରତିଶତ ଲୋକସଂଖ୍ୟାକୁ ସହାୟକ ହୋଇପାରୁଛି ।
ଦିନକୁ ଦିନ ଲୋକଙ୍କ ସହରାଭିମୁଖୀ ଆଚରଣ ସମସ୍ୟା ବଢ଼ାଇବାରେ ଲାଗିଛି । ଏହାକୁ ଆଖିରେ ରଖି ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ସହରଗୁଡ଼ିକରେ ମୌଳିକ ଭିତ୍ତିଭୂମି ବିକାଶ କରିବା ଦରକାର । ପୁଣି ଏହି ଭିତ୍ତିଭୂମି ବିକାଶ ବେଳେ ଯେମିତି ତାହା ଅଧିକରୁ ଅଧିକ ଲୋକଙ୍କୁ ଫାଇଦା ଦେଇପାରୁଥିବ ତାହା ଲକ୍ଷ୍ୟ କରାଯିବା ଦରକାର । ନିର୍ମଳ ବାୟୁ, ବ୍ୟବସ୍ଥିତ ପରିମଳ ବ୍ୟବସ୍ଥା, ସ୍ଵାସ୍ଥ୍ୟସେବା, ଶିକ୍ଷା ଏବଂ ପରିବହନ କ୍ଷେତ୍ରରେ ବିକାଶ ମୂଳକ ପ୍ରକଳ୍ପ ତାଲିକାର ସର୍ବାଗ୍ରେ ରହିବା ଉଚିତ ।