ନୂଆଦିଲ୍ଲୀ: ଜାମିୟା ହିଂସାକାଣ୍ଡ ମାମଲାର ଶୁଣାଣି ସମୟରେ ଲଜ୍ଜା-ଲଜ୍ଜା ନାରା ଦେଇଥିବା ଓକିଲଙ୍କ ଉପରେ ଉଦବେଗ ପ୍ରକାଶ କରିଛନ୍ତି ଦିଲ୍ଲୀ ହାଇକୋର୍ଟ। ଏହା ସହିତ ଏଭଳି ଓକିଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ମାମଲା ତଦନ୍ତ ପାଇଁ ଏକ କମିଟି ଗଠନ କରାଯିବ। ତଦନ୍ତ ପରେ ଏହି କମିଟି କାର୍ଯ୍ୟାନୁଷ୍ଠାନ ସମ୍ବନ୍ଧରେ ବିଚାର କରିବେ ବୋଲି ଦିଲ୍ଲୀ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଡିଏନ ପଟେଲ କହିଛନ୍ତି।
ଜାମିଆ ନଗର ହିଂସା ଏବଂ ଜାମିୟାମିଲିୟା ବିଶ୍ବବିଦ୍ୟାଳୟରେ ପୋଲିସର କାର୍ଯ୍ୟାନୁଷ୍ଠାନର ନ୍ୟାୟିକ ତଦନ୍ତ ପାଇଁ ଦିଲ୍ଲୀ ହାଇକୋର୍ଟରେ ଆବେଦନ କରିଥିଲେ କିଛି ଓକିଲ । ଯାହାର ଶୁଣାଣି ଗୁରୁବାର ହୋଇଥିଲା। ଏନେଇ କୋର୍ଟ କେନ୍ଦ୍ର ସରକାର ଓ ଦିଲ୍ଲୀ ପୋଲିସକୁ ନୋଟିସ ଜାରି କରିଥିଲେ। ଏହା ସହିତ ଏ ମାମଲାର ପରବର୍ତ୍ତୀ ଶୁଣାଣି ଫେବୃୟାରୀ 4 ହେବ ବୋଲି କୋର୍ଟ କହିଥିଲେ।
ଶୁଣାଣି ସମୟରେ ଆବେଦନକାରୀ ଓକିଲ ଛାତ୍ରଙ୍କୁ ପୋଲିସ କାର୍ଯ୍ୟାନୁଷ୍ଠାନରୁ ସୁରକ୍ଷା ଏବଂ ଗିରଫଦାରୀରୁ ସୁରକ୍ଷା ଦେବା ପାଇଁ ଆଦେଶ ଜାରି କରିବାକୁ କୋର୍ଟରେ ଆବେଦନ କରିଥିଲେ। ଯାହାକୁ କୋର୍ଟ ଖାରଜ କରି ଦେଇଥିଲେ। ଏହା ପରେ ଏହି ଓକିଲ ଲଜ୍ଜା-ଲଜ୍ଜା ନାରା ଦେଇଥିଲେ। ନିଜର ଆଚରଣ ପାଇଁ ଏହି ଓକିଲ କ୍ଷମା ପ୍ରାର୍ଥନା କରିଥିଲେ ମଧ୍ୟ କୋର୍ଟଙ୍କ ନିଷ୍ପତ୍ତିର ଅବମାନନା କରିଥିବା ଦର୍ଶାଇ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ସରକାରୀ ଓକିଲ ଦାବି କରିଥିଲେ।