ହାଇଦ୍ରାବାଦ: ତେଲାଙ୍ଗାନାରେ ପ୍ରବଳ ବର୍ଷା ସମ୍ଭାବନା । ବଜ୍ରପାତ ସହ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରଚୁର ବର୍ଷା ସମ୍ଭାବନା ଥିବା ପୂର୍ବାନୁମାନ କରିଛି ପାଣପାଗ ବିଭାଗ । ଏନେଇ ବୁଧବାର ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ପ୍ରଶାସନକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ପ୍ରବଳ ବର୍ଷା ଓ କୃତ୍ରିମ ବନ୍ୟା ଯୋଗୁଁ ସହରର ସ୍ବରେଜ(ଟ୍ୟାଙ୍କ) ଏବଂ ହ୍ରଦ ଯେପରି ନ ଭାଙ୍ଗେ ଏ ଦିଗରେ ଆବଶ୍ୟକ ଧ୍ୟାନ ଦେବାକୁ ସେ କହିଛନ୍ତି ।
ସହରରେ ଥିବା ସ୍ବରେଜ ଓ ହ୍ରଦଗୁଡିକର ଯାଞ୍ଚ କରାଯିବା ସହ ତୁରନ୍ତ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବା ପାଇଁ 15 ଟି ସ୍ବତନ୍ତ୍ର ଟିମ ଗଠନ କରିବାକୁ କହିଛନ୍ତି ମୁଖ୍ୟମନ୍ତ୍ରୀ । ସ୍ବରେଜ ଗୁଡିକରେ ବନ୍ୟାଜଳ ପ୍ରବାହିତ ପାଇଁ ଯଥେଷ୍ଟ କ୍ଷମତା ଥିବା ସତ୍ତ୍ବେ ଏଗୁଡିକ ଭାଙ୍ଗିଯିବାର ସମ୍ଭାବନା ରହିଛି । ତେଣୁ ଜଳ ସମ୍ପଦ ବିଭାଗର ଅଧିକାରୀ ଓ କର୍ମଚାରୀଙ୍କୁ ନେଇ ଅତି କମରେ 15 ଟି ସ୍ବତନ୍ତ୍ର ଟିମ ଗଠନ ହେବା ଉଚିତ୍ । ସେମାନେ ସହରର ପ୍ରତ୍ୟେକ ସ୍ବରେଜ(ଟ୍ୟାଙ୍କ) ଓ ହ୍ରଦ ଯାଞ୍ଚ କରିବା ଆବଶ୍ୟକ ଏବଂ ଯଦି ଏଥିରେ କିଛି ବ୍ୟତିକ୍ରମ ଦେଖାଯାଏ ତେବେ ସତର୍କତା ଅବଲମ୍ବନ କରିବା ଉଚିତ୍ ବୋଲି ଚନ୍ଦ୍ରଶେଖର ସ୍ପଷ୍ଟ କରିଛନ୍ତି ।
ଗତ ସପ୍ତାହରେ ତେଲାଙ୍ଗାନାରେ ହୋଇଥିବା ବର୍ଷା ବିତ୍ପାତ ଯୋଗୁଁ ମୋଟ 70 ଜଣଙ୍କ ମୃତ୍ୟୁ ଘଟିଛି । ପ୍ରାଥମିକ ଆକଳନ ଅନୁଯାୟୀ ରାଜ୍ୟରେ 5 ହଜାର କୋଟିରୁ ଅଧିକ ସମ୍ପତ୍ତିର କ୍ଷୟକ୍ଷତି ଘଟିଥିବା ଜଣାପଡ଼ିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ