ନୂଆଦିଲ୍ଲୀ: ଗତ 2 ଦିନର ଲଗାଣ ବର୍ଷାରେ ବେହାଲ ହୋଇଛି ରାଜସ୍ଥାନର ସ୍ଥିତି । ଜିଲ୍ଲାର ଭିନ୍ନ ଭିନ୍ନ ଅଞ୍ଚଳରେ ପାଖାପାଖି 13 ଜଣ ଲୋକଙ୍କ ମୃତ୍ୟୁ ହୋଇଛି । ଏନେଇ ରାଜ୍ୟ ରିଲିଫ ସଚିବ ଆଶୁତୋଷ ପେଡନେକର କହିଛନ୍ତି, ବର୍ତ୍ତମାନ ସୁଦ୍ଧା ଶିକରରେ 6 ଜଣ, ଜୟପୁରରେ 4 ଜଣ ଏବଂ ଝୁନଝୁନରେ 3 ଜଣ ଲୋକ ବର୍ଷାଜନିତ ମୃତ୍ୟୁର ଶିକାର ହୋଇଛନ୍ତି । ତେବେ ମୌସୁମୀ ଆରମ୍ଭରୁ ରାଜସ୍ଥାନରେ ବର୍ଷା ଜାରି ରହିଛି ।
ସେପଟେ ଅଧିକାରୀଙ୍କ କହିବାନୁଯାୟୀ, ଶନିବାର ସକାଳ 8.30 ସୁଦ୍ଧା ଜୟପୁରର ବସ୍ସିରେ 21 ସେମି, ଚାକୁସରେ 18 ସେମି, ଭିନୟରେ 17 ସେମି, ବନେରାରେ 15 ସେମି ଓ କୋଟ୍ରିରେ 14 ସେମି ବର୍ଷା ରେକର୍ଡ କରାଯାଇଛି । ଏତଦବ୍ୟତୀତ ଅନ୍ୟ କେତେକ ରାଜ୍ୟରେ 14 ସେମିରୁ କମ ମଧ୍ୟ ବର୍ଷା ରେକର୍ଡ କରାଯାଇଛି ।
ପାଣିପାଗ ବିଭାଗର କହିବାନୁଯାୟୀ, ଜୟପୁର ଏବଂ କୋଟାରେ ଶନିବାର ସନ୍ଧ୍ୟା ସୁଦ୍ଧା 38.8 ମିମି ଏବଂ 31.4 ମିମି ବର୍ଷା ରେକର୍ଡ ହୋଇଛି । ସେହିପରି ଆଗାମୀ 24 ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ଭବିଷ୍ୟବାଣୀ କରିଛି ବିଭାଗ ।