ହାଇଦ୍ରାବାଦ: ପୁଣି ହାଇଦ୍ରାବାଦରେ ବର୍ଷା ବିତ୍ପାତ । ଶନିବାର ହାଇଦ୍ରାବାଦ ସହରରେ ଲଗାଣ ବର୍ଷା କାରଣରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ସହରର ଅନେକ ଜନଗହଳି ସ୍ଥାନରେ ଆଣ୍ଠୁଏ ଉଚ୍ଚର ପାଣି ଜମି ରହିଛି । ଫଳରେ ପଥଚାରୀଙ୍କ ଠୁ ଆରମ୍ଭ କରି ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହୋଇଛି ।
ଲଗାଣ ବର୍ଷା କାରଣରୁ ସହରର ଜନବହୁଳ ସ୍ଥାନ ଏଲବି ନଗର, ମନସୁରାବାଦ, ନାଗୋଲ, ବନସ୍ଥଳିପୁରମ, ବି ଏନ ରେଡ୍ଡି ନଗର, ହାୟାତ ନଗର ପ୍ରମୁଖ ଜଳମଗ୍ନ ହୋଇଯାଇଛି । ରାସ୍ତାରେ ମାତ୍ରାଧିକ ଯାନବାହାନ ଅଟକି ରହିଛି । ଫଳରେ ଏକ ବଡ ଧରଣର ଟ୍ରାଫିକ ସମସ୍ୟା ଦେଖିବାକୁ ମିଳିଛି ।
ପଢନ୍ତୁ: ତେଲେଙ୍ଗାନା ବନ୍ୟା: ମୃତ୍ୟୁ ସଂଖ୍ୟା 50କୁ ବୃଦ୍ଧି
ସେହିପରି ତାରଙ୍କା, ନାଚାରାମ, ଲାଲାଜୀତ, ଓୟୁ କ୍ୟାମ୍ପସ, ଶମଶରାବାଦ, ବାବାନଗର ଏବଂ ମାଲ୍ଲାପିର ଅଞ୍ଚଳରେ ମଧ୍ୟ ପ୍ରବଳ ବର୍ଷା ହୋଇଛି । ରାସ୍ତାରେ ବର୍ଷା ପାଣି ଜମି ରହିଛି । ଏଥିସହ ନିର୍ମାଣାଧୀନ ପୋଲ ଗୋଲଙ୍କା ରାସ୍ତାରେ ଶହ ଶହ ଗାଡି ମୋଟର ଅଟକି ରହିଥିଲା । ଟ୍ରାଫିକ ପୋଲିସ ମୁସାରାମବାଗ ବ୍ରିଜରେ ଯାତାୟାତ ଉପରେ ପ୍ରତିବନ୍ଧକ ଲଗାଇଥିଲା। ଉପ୍ପଲ ୱାରଙ୍ଗାଲ ଜାତୀୟ ରାଜପଥରେ ମଧ୍ୟ ବନ୍ୟା ଜଳ ପ୍ରବାହିତ ହେଉଥିଲା। ଫଳରେ ଏଠାରେ ମଧ୍ୟ ଟ୍ରାଫିକ ସମସ୍ୟା ଦେଖା ଦେଇଥିଲା। ବର୍ଷା ମଲ୍ଲାପୁର ଅଞ୍ଚଳର ବ୍ରହ୍ମପୁରୀ କଲୋନୀ, ଗ୍ରୀନ୍ ହିଲ୍ସ କଲୋନୀ ଏବଂ ମାରିଗୁଡା କଲୋନୀ ରାସ୍ତାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା।
ଅନ୍ୟପଟେ ଶମଶାବାଦ ଏବଂ ମାଲକାଜିଗିରିରେ ମଧ୍ୟ ପ୍ରବଳ ବର୍ଷା ହୋଇଥିଲା । ଫଳରେ ଶେଖପେଟା ରୋଡର ତୋଲିଚୌକି-ବ୍ରିନ୍ଦଭାନ କଲୋନୀରେ ଯାତାୟାତରେ ସମସ୍ୟା ଦେଖିବାକୁ ମିଳିଥିଲା । ପୁରୁଣା ବସ୍ତି ବାବାନଗରରେ ଜଳ ପ୍ରବାହିତ ହେଉଥିବାରୁ ରାସ୍ତା ବୁଡି ଯାଇଥିଲା । ତଳିଆ ଅଞ୍ଚଳରେ ବର୍ଷା ଜଳ ପ୍ରବେଶ ନେଇ ହାଇଦ୍ରାବାଦ ମ୍ୟୁନିସପାଲ କୋପରେସନ ସତର୍କ କରାଇଥିଲା | ଗ୍ରେଟର ଏନଫୋର୍ସମେଣ୍ଟ ନିର୍ଦ୍ଦେଶକ ବିଶ୍ବଜିତ ଜରୁରୀକାଳୀନ ଟିମର କର୍ମଚାରୀମାନଙ୍କୁ ସହରର ଜଳମଗ୍ନ ସ୍ଥାନକୁ ପଠାଯାଇଥିଲେ। କର୍ମଚାରୀମାନେ ସହରର ବିଭିନ୍ନ ସ୍ଥାନରେ ଜମି ରହିଥିବା ଜଳକୁ ନିଷ୍କାସନ କରିବା ପାଇଁ ପଦକ୍ଷେପ ଗ୍ରହଣ କରିବା ପରେ ରାସ୍ତାରେ ଧିରେ ଧିରେ ଗାଡି ଚଳାଚଳ ଆରମ୍ଭ ହୋଇଛି ।
ତେବେ ଜୀବନହାନୀ ନେଇ କୌଣସି ଖବର ମିଳିନାହିଁ । ତେବେ କ୍ଷୟକ୍ଷତି ଆକଳନ ହୋଇନଥିବା ବେଳେ ତଳିଆ ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତରଣ କାର୍ଯ୍ୟ ଜାରି ରହିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ