ନୂଆଦିଲ୍ଲୀ:କର୍ଣ୍ଣାଟକ ଏବଂ କେରଳରେ ରବିବାର ପ୍ରବଳ ବର୍ଷା ହୋଇଛି । ଏଥିପାଇଁ ଦୁଇ ରାଜ୍ୟର ଆଠଟି ଜିଲ୍ଲାକୁ ରେଡ ଆଲର୍ଟ ଜାରି କରାଯାଇଛି । ଏଥିସହିତ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଓଡ଼ିଶା, ପଶ୍ଚିମବଙ୍ଗ ଏବଂ ବିହାରର କିଛି ଅଂଶରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।
ରବିବାର ପ୍ରବଳ ବର୍ଷା କାରଣରୁ କେରଳର ଆଠଟି ଜିଲ୍ଲାରେ ରେଡ ଆଲର୍ଟ ଜାରି କରାଯାଇଥିଲା । ତେବେ ପାଣିପାଗ ବିଭାଗ ରାଜ୍ୟର 10ଟି ଜିଲ୍ଲାକୁ ଆଜି ପାଇଁ ଅରେଞ୍ଜ ଆଲର୍ଟ ଜାରି କରିଛି।
ସେହିପରି କର୍ଣ୍ଣାଟକ ଏର୍ନାକୁଲମ୍ ଜିଲ୍ଲାର ଅଧିକାରୀମାନେ କହିଛନ୍ତି, ମୁଭାଟୁପୁଜା ନଦୀରେ ବନ୍ୟା ସ୍ଥିତି ଉପୁଜିଛି । ଫଳରେ ଏର୍ନାକୁଲମ୍ ଏବଂ କୋଟୟମ ଜିଲ୍ଲାରେ ବନ୍ୟା ହେବାର ଆଶଙ୍କା ରହିଛି । ପଡୋଶୀ ରାଜ୍ୟ ତେଲେଙ୍ଗାନାରେ ମଧ୍ୟ ସୋମବାର ବିଭିନ୍ନ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି । ଆଦିଲାବାଦ, କରିମନଗର, ନିଜାମାବାଦ, ୱାରଙ୍ଗଲ ଏବଂ ଖମ୍ମମରେ ବର୍ଷା ସମ୍ଭାବନା ରହିଛି।
ଏକ ସରକାରୀ ବିଜ୍ଞପ୍ତି ଅନୁଯାୟୀ, ସମସ୍ତ ପୋଲିସ ଅଧୀକ୍ଷକଙ୍କ ସମେତ ଜିଲ୍ଲା ମାଜିଷ୍ଟ୍ରେଟମାନଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏପଟେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଆସନ୍ତା ତିନି ଦିନ ଓଡିଶାର କିଛି ଅଞ୍ଚଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।