ନୂଆଦିଲ୍ଲୀ: ପୁଣିଥରେ ଦିଲ୍ଲୀରେ କୋରୋନା ପଜିଟିଭ ମାମଲା କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି। ଏହାର କାରଣ ବର୍ଣ୍ଣନା କରି ଦିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ କହିଛନ୍ତି, ‘ପର୍ବପର୍ବାଣୀ ଏବଂ ଶୀତଦିନରେ କୋରୋନା ମାମଲା ବଢିବ ବୋଲି ବିଶେଷଜ୍ଞ କମିଟି ପୂର୍ବରୁ କହିସାରିଛି ’।
ପ୍ରକାଶଥାଉକି, ଶନିବାର ଦିଲ୍ଲୀରେ 4116 କୋରୋନାର ନୂତନ ମାମଲା ସାମ୍ନାକୁ ଆସିଥିଲା । ଶନିବାର 55 ହଜାରରୁ ଅଧିକ ପରୀକ୍ଷଣ କରାଯାଇଥିଲା। ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ ଦିଲ୍ଲୀରେ ଉତ୍ସବ ଋତୁ ଏବଂ ଶୀତ ପାଇଁ କୋରୋନା ମାମଲା 12-14 ହଜାର ପର୍ଯ୍ୟନ୍ତ ବୃଦ୍ଧି ହୋଇପାରେ ବୋଲି ବିଶେଷଜ୍ଞ କମିଟି ପୂର୍ବରୁ ଚେତାବନୀ ଦେଇଛି।
ଏମ୍ସ ଡ଼ଃ ପଲଙ୍କ କମିଟି କହିଛନ୍ତି ଯେ ଆପଣଙ୍କୁ 15 ହଜାର ଅନୁଯାୟୀ ପ୍ରସ୍ତୁତ ରହିବାକୁ ପଡିବ। ବର୍ତ୍ତମାନ, ପ୍ରତିଦିନ 4 ହଜାର ମାମଲା ଆସୁଛି କିନ୍ତୁ ଆମେ ପ୍ରସ୍ତୁତ ଏବଂ ସତର୍କ । ଦିଲ୍ଲୀରେ ଗତ 10 ଦିନ ମଧ୍ୟରେ ମୃତ୍ୟୁ ହାର 0.94 ପ୍ରତିଶତ ରହିଛି। ବର୍ତ୍ତମାନ ଦେଶରେ ମୋଟ ମୃତ୍ୟୁ ହାର ହେଉଛି 1.77 ପ୍ରତିଶତ। ଦିଲ୍ଲୀର କୋରୋନା ଶଯ୍ୟାରେ 5323 ରୋଗୀ ଥିବାବେଳେ 10414 ଶଯ୍ୟା ଖାଲି ରହିଛି ।
ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ ଆମେ କଣ୍ଟେନମେଣ୍ଟ ଅଞ୍ଚଳ ଉପରେ ସମ୍ପୂର୍ଣ୍ଣ ଧ୍ୟାନ ଦେଉଛୁ । ସେ ଏହା ମଧ୍ୟ କହିଛନ୍ତି ଯେ ଯଦି କେହି ପଜିଟିଭ୍ ଚିହ୍ନଟ ହେଉଛି ତେବେ ତାଙ୍କ ସମ୍ପର୍କରେ ଆସିଥିବା ସମସ୍ତଙ୍କ ସହ ଯୋଗାଯୋଗ କରୁଛୁ । ଯଦି ପରିବାରର ଜଣେ ପଜିଟିଭ୍ ଚିହ୍ନଟ ହେଉଛନ୍ତି ତେବେ ସମଗ୍ର ପରିବାରର ଲୋକଙ୍କ ପରୀକ୍ଷା କରାଯାଉଛି ।
ଏହାସହ ମାସ୍କ ପିନ୍ଧିବା ଏବଂ ସାମାଜିକ ଦୂରତା ରଖିବାକୁ ଲୋକଙ୍କୁ ନିବେଦନ କରିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ । ସେ କହିଛନ୍ତି, କୋରୋନା ଏପର୍ଯ୍ୟନ୍ତ ଶେଷ ହୋଇ ନାହିଁ, ଏହାର ଔଷଧ ଏପର୍ଯ୍ୟନ୍ତ ବାହାରିନି ତେଣୁ କେବଳ ମାସ୍କ ଏବଂ ସାମାଜିକ ଦୂରତା ମାଧ୍ୟମରେ ଏହାକୁ ରୋକାଯାଇପାରିବ ।