ଗାନ୍ଧୀନଗର: ଗତ ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସରେ ସାମିଲ ହୋଇଥିବା ପାଟିଦାର ଯୁବ ନେତାଙ୍କୁ ନୂଆ ଦାୟିତ୍ବ ପ୍ରଦାନ । ହାର୍ଦ୍ଦିକଙ୍କୁ ଏବେ ଗୁଜୁରାଟ କଂଗ୍ରେସ କମିଟିର କାର୍ଯ୍ୟକାରୀ ଅଧ୍ୟକ୍ଷଭାବେ ନିଯୁକ୍ତ କରାଯାଇଛି ।
ଗୁଜୁରାଟରେ ଦଳର ମୂଳଦୁଆ ମଜବୁତ କରିବା ପାଇଁ ହାର୍ଦ୍ଦିକଙ୍କୁ କାର୍ଯ୍ୟକାରୀ ଅଧ୍ୟକ୍ଷ କରି ଗୋଟିଚାଳନା କରିଛି କଂଗ୍ରେସ । କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ପକ୍ଷରୁ ହାର୍ଦ୍ଦିକଙ୍କୁ ତତ୍କାଳ ଗୁଜୁରାଟ କଂଗ୍ରେସର କାର୍ଯ୍ୟକାରୀ ଅଧ୍ୟକ୍ଷ କରିବାକୁ ନିଷ୍ପତ୍ତି ନିଆଯାଇଥିଲା ।
ପାଟିଦାର ଆରକ୍ଷଣ ଆନ୍ଦୋଳନରୁ ଆସିଥିବା ହାର୍ଦ୍ଦିକ ପଟେଲ କଂଗ୍ରେସରେ ସାମିଲ ହେବା ପର ଠୁ ବେଶ ସକ୍ରିୟ ଅଛନ୍ତି । ଅନେକ ମାମଲାରେ ସେ ଆଗକୁ ଆସି କ୍ଷମତାସୀନ ସରକାରଙ୍କୁ ପ୍ରଶ୍ନ କରୁଥିବା ଦେଖିବାକୁ ମିଳିଛି । ମାର୍ଚ୍ଚ 2019ରେ ସେ ଗାନ୍ଧୀନଗରର ଏକ ରାଲିରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଉପସ୍ଥିତିରେ ଦଳରେ ସାମିଲ ହୋଇଥିଲେ ।
ହାର୍ଦ୍ଦିକ 20 ଜୁଲାଇ 1993ରେ ଗୁଜୁରାଟର ପଟେଲ ପରିବାରରେ ଜନ୍ମ ଗ୍ରହଣ କରିଥିଲେ । 31 ଅକ୍ଟୋବର 2012ରେ ସେ ପଟେଲ, ପାଟିଦାରର ଯୁବ ସଂଗଠନ ସରଦାର ପଟେଲ ଗ୍ରୁଫ(SPG)ରେ ସାମିଲ ହୋଇଥିବାବେଳେ ଏକ ମାସ ଭିତରେ ନିଜ ଅଞ୍ଚଳ ବୀରମଗାମର ଅଧ୍ୟକ୍ଷ ମଧ୍ୟ ହୋଇଥିଲେ ।