ଅହମ୍ମଦାବାଦ୍: କୋରୋନା କାଳରେ ପୁରୀ ରଥଯାତ୍ରା ପାଇଁ ସୁପ୍ରିମକୋର୍ଟ ସର୍ତମୂଳକ ଅନୁମତି ଦେଇଛନ୍ତି। ପ୍ରଥମେ ଜନସ୍ବାସ୍ଥ୍ୟକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ଜଗନ୍ନାଥଙ୍କ ମୂଳପୀଠ ପୁରୀ ରଥଯାତ୍ରାକୁ ବନ୍ଦ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ମାମଲାର ପୁନଃବିଚାର କରି ଭକ୍ତଶୂନ୍ୟ ରଥଯାତ୍ରା କରିବାକୁ ଅନୁମତି ଦେଇଛନ୍ତି।
ତେବେ ଗୁଜୁରାଟର ଅହମ୍ମଦାବାଦରେ ଅନୁଷ୍ଠିତ ହୋଇଆସୁଥିବା ରଥଯାତ୍ରା ପାଇଁ ଅନୁମତି ଦେଇ ନାହାଁନ୍ତି ସୁପ୍ରିମକୋର୍ଟ। ଲଗାତର ତିନି ଥର ଅହମ୍ମଦାବାଦ ରଥଯାତ୍ରାକୁ ନେଇ ଆବେଦନ ହୋଇଥିଲେ ମଧ୍ୟ ଏହାକୁ ପ୍ରତ୍ୟାଖାନ କରାଯାଇଛି।
ପ୍ରଥମେ ଗୁଜୁରାଟ ହାଇକୋର୍ଟ ଅହମ୍ମଦାବାଦ୍ ରଥଯାତ୍ରା ଉପରେ ରୋକ ଲଗାଇଥିଲେ। ଏହାସହିତ ସତର୍କତା ପଦକ୍ଷେପ ମୂଳକ ଭାବେ ବିଭିନ୍ନ ସଙ୍ଗଠନ ଓ କାର୍ଯ୍ୟକର୍ତ୍ତାଙ୍କୁ ଆଗୁଆ ଅଟକ ରଖିବାକୁ ପରାମର୍ଶ ଦେଇଥିଲେ।
ଏହାର ଫଳସୂରୁପ କାଳିଆ ରଥଯାତ୍ରା ଆୟୋଜନ ପାଇଁ ପ୍ରୟାସ ଆରମ୍ଭ କରିବେ ତାକୁ ବାରଣ କରିବା ପାଇଁ 4 ରୁ 5 ଜଣଙ୍କୁ ଅହମ୍ମଦାବାଦ୍ ପୋଲିସ ଅଟକ ରଖିଥିଲା। ତେବେ ପୁରୀ ରଥଯାତ୍ରାକୁ ଅନୁମତି ମିଳିବା ପରେ ଗୁଜୁରାଟ ସରକାର ଅହମ୍ମଦାବାଦ ରଥଯାତ୍ରା ପାଇଁ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।
ମଧ୍ୟରାତ୍ରିର ଶୁଣାଣିରେ ଗୁଜୁରାଟ ହାଇକୋର୍ଟର ପ୍ରଧାନ ବିଚାରପତି ବିକ୍ରମ ନାଥ ଏବଂ ଜଷ୍ଟିସ ଜେ.ବି ପାରଦୀୱାଲା ତୃତୀୟ ଥର ପାଇଁ ଅହମ୍ମଦାବାଦରେ ଜଗନ୍ନାଥ ରଥ ଯାତ୍ରା ପାଇଁ ଅନୁମତି ଦେବାକୁ ମନା କରି ଦେଇଛନ୍ତି। ଆବେଦନକୁ ପ୍ରତ୍ୟାଖ୍ୟାନ କରିବାବେଳେ ଗୁଜୁରାଟ ହାଇକୋର୍ଟ କହିଛନ୍ତି ଯେ ପୁରୀ ଏବଂ ଅହମ୍ମଦାବାଦର ସ୍ଥିତିକୁ ତୁଳନା କରାଯାଇପାରିବ ନାହିଁ।
ଏହି ସମୟରେ, ଅହମ୍ମଦାବାଦର ପ୍ରଭୁ ଜଗନ୍ନାଥ ମନ୍ଦିର ପରିସରରେ ଯାତ୍ରା କରିବା ପାଇଁ ସମସ୍ତ ପ୍ରସ୍ତୁତି ଚଳାଇଥିଲେ। ସୂଚନାନୁସାରେ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ମଙ୍ଗଳବାର ସକାଳ 4 ଟା ସମୟରେ ଦିଲ୍ଲୀରୁ ତାଙ୍କ ପରିବାର ସହିତ ଅହମ୍ମଦାବାଦ ବିମାନବନ୍ଦରରେ ପହଞ୍ଚିବା ପରେ ମନ୍ଦିରରେ ‘ମଙ୍ଗଳ ଆରତୀ’ରେ ଅଂଶଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଥିଲା।
ଗୁଜୁରାଟର ମୁଖ୍ୟମନ୍ତ୍ରୀ ରୁପାନି ମଧ୍ୟ 143 ତମ ରଥଯାତ୍ରାରେ ଅଂଶଗ୍ରହଣ କରିବାର କାର୍ଯ୍ୟକ୍ରମ ସ୍ଥିର ହୋଇଥିଲା। ହେଲେ ମୁଖ୍ୟମନ୍ତ୍ରୀ ସକାଳୁ ମନ୍ଦିର ଭିତରେ ମହାପ୍ରଭୁଙ୍କୁ ଦର୍ଶନ କରି ଫେରିଛନ୍ତି। କୋଭିଡ୍ 19 ହେତୁ ଆମେ ରଥଯାତ୍ରା କରିବା ପାଇଁ ଅନୁମତି ପାଇ ପାରିଲୁ ନାହିଁ । ପରିସ୍ଥିତିକୁ ବୁଝିବାକୁ ପଡିବ। ଏବଂ ମନ୍ଦିର ପରିସରରେ ରଥ ଯାତ୍ରାର ବ୍ୟବସ୍ଥା କରିଥିବାରୁ ମନ୍ଦିରର ଟ୍ରଷ୍ଟି ଏବଂ ମହନ୍ତଙ୍କୁ ଧନ୍ୟବାଦ ଜଣାଉଛି ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନି।