ନୂଆଦିଲ୍ଲୀ: ଭାରତ ପୁଣି 47 ଚାଇନିଜ ଆପ ଉପରେ ବ୍ୟାନ ଲଗାଇବାକୁ ଯାଉଛି । ବାସ୍ତବରେ, ଏହି ଆପ ଗୁଡ଼ିକ କିଛି ସମୟ ପୂର୍ବରୁ ବ୍ୟାନ କରାଯାଇଥିବା ଆପର ଏକ କ୍ଲୋନ ଭାବରେ କାମ କରୁଥିଲା । ସରକାର ପୂର୍ବରୁ ବହୁ ଲୋକପ୍ରିୟ ଆପ ସମେତ 59 ଟି ଚାଇନିଜ ଆପ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଯେଉଁଥିରେ ଟିକଟକ୍, ୱି ଚାଟ୍, ଅଲିବାବା ଆପ, ୟୁସି ନ୍ୟୁଜ ଏବଂ ୟୁସି ବ୍ରାଉଜର ଅନ୍ତର୍ଭୁକ୍ତ ରହିଛି। ସରକାରୀ ସୂତ୍ର ଅନୁଯାୟୀ, ଏଭଳି 250 ଟି ଚାଇନିଜ ଆପ୍ ରହିଛି , ଯାହା ଜାତୀୟ ସୁରକ୍ଷା ଉଲ୍ଲଂଘନ ସମ୍ପର୍କରେ ଅନୁସନ୍ଧାନ କରାଯାଇପାରିବ।
ସୂଚନାନୁସାରେ, ଚାଇନିଜ୍ ଆପର ଏକ ନୂଆ ତାଲିକା ପ୍ରସ୍ତୁତ ହେଉଛି ଏବଂ ଏଥିରେ କିଛି ଟପ ଗେମିଂ ଆପ ଅନ୍ତର୍ଭୁକ୍ତ ରହିଛି । ଏହା ସମ୍ଭବ ଯେ ପରବର୍ତ୍ତୀ ତାଲିକା ଆସିବା ପରେ ଭାରତରେ ଅନେକ ଲୋକପ୍ରିୟ ଚାଇନିଜ ଖେଳ ମଧ୍ୟ ବ୍ୟାନ କରାଯାଇପାରେ । ରିପୋର୍ଟ ଅନୁସାରେ, ପବଜି ଏବଂ ଅଲି ଏକ୍ସପ୍ରେସ ଭଳି ଲୋକପ୍ରିୟ ଆପ ସମେତ 200 ରୁ ଅଧିକ ଆପ୍ ର ଏକ ତାଲିକା ପ୍ରସ୍ତୁତ କରାଯାଉଛି। ଭାରତରେ ଏହି ଆପ ର କୋଟି କୋଟି ୟୁଜର୍ସ ରହିଛନ୍ତି ।
ଏହି ଆପ ଗୁଡିକ ଚୀନ ସହିତ ଡାଟା ମଧ୍ୟ ସେୟାର କରୁଥିବା ଅଭିଯୋଗ ହୋଇଛି ଏବଂ ଏହି କାରଣରୁ ସରକାରୀ ଏଜେନ୍ସି ଗୁଡିକ ସମୀକ୍ଷା କରୁଛନ୍ତି। ବର୍ତ୍ତମାନ ସୁଦ୍ଧା ନୂଆ ଆପ ବ୍ୟାନ ସମ୍ପର୍କରେ ସରକାର କୈଣସି ସ୍ପଷ୍ଟ ସୂଚନା ଦେଇନାହାଁନ୍ତି। ଏବେ ଏଠାରେ ପ୍ରଶ୍ନ ଉଠୁଛି, PUBG କୁ ମଧ୍ୟ ଏଥର ବ୍ୟାନ କରାଯିବ କି ? ଯଦିଓ ଏହି ଆପ ସମ୍ପୁର୍ଣ୍ଣ ଚାଇନିଜ ହୋଇ ନଥିଲେ ବି PUBG ର ଅନେକ କନେକ୍ସନ ଚାଇନା ସହିତ ଅଛି ବୋଲି କୁହାଯାଉଛି ।