ନୂଆଦିଲ୍ଲୀ: ଦୀର୍ଘ ମାସ ଧରି ଭାରତୀୟ ମହାମାରୀ କୋରୋନା ଭାଇରସ ସମ୍ପର୍କରେ ଜାଣିବାକୁ ଗୁଗୁଲରେ ସର୍ଚ୍ଚ କରୁଥିଲେ । ହେଲେ କିଛି ସପ୍ତାହ ଧରି ସେମାନଙ୍କ ମଧ୍ୟରେ ଏହି ତଥ୍ୟ ଜାଣିବାର ଇଚ୍ଛା କମିଯାଇଛି । ନିକଟରେ ଗୁଗୁଲର ଆସିଥିବା ସର୍ଚ୍ଚ ଟ୍ରେଣ୍ଡ ତାଲିକାରେ ଭାରତୀୟଙ୍କ ମନୋଭାବ ସମ୍ପର୍କରେ ଜଣାପଡିଛି ।
ଗତ ମେ ମାସରେ କୋରୋନା ଭାଇରସ ସମ୍ବନ୍ଧୀୟ ତଥ୍ୟ ଜାଣିବାକୁ ଗୁଗୁଲରେ ଏହା ସର୍ଚ୍ଚରେ ହ୍ରାସ ଘଟିଛି । ଆଉ ଭାରତୀୟ ପୁଣି ଥରେ ଫିଲ୍ମ, ଗୀତ ଏବଂ ପାଣିପାଗ ସୂଚନା ଉପରେ ଧ୍ୟାନ ଦେଇଥିବା ଜଣାପଡିଛି । ମେ ମାସରେ ଅଧିକାଂଶ ଲୋକ ଗୁଗୁଲରେ 'ଲକଡାଉନ 4.0' ସର୍ଚ୍ଚ କରିଥିଲେ । ଏହା ପରେ ଦ୍ୱିତୀୟ ସ୍ଥାନରେ 'ଇଦ୍ ମୁବାରକ' ସର୍ଚ୍ଚରେ ରହିଥିଲା ।
ଏହି କ୍ରମରେ ଗୁଗୁଲ ସର୍ଚ୍ଚରେ କୋରୋନା ଭାଇରସର ସ୍ଥାନ 12ତମ ସ୍ଥାନକୁ ଖସି ଆସିଛି । ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି କି, ସାଧାରଣ ଦିନରେ ମଧ୍ୟ ଗୁଗୁଲରେ ଫିଲ୍ମ, ନ୍ୟୁଜ ଏବଂ ପାଣିପାଗ ବିଷୟଗୁଡ଼ିକୁ ଭାରତରେ ଅଧିକ ସର୍ଚ୍ଚ କରାଯାଇଛି ।
ଗୁଗୁଲ୍ ସର୍ଚ୍ଚ ଟ୍ରେଣ୍ଡ ଅନୁଯାୟୀ, ଏପ୍ରିଲ୍ ତୁଳନାରେ କୋଭିଡ -19 ସର୍ଚ୍ଚ ସଂଖ୍ୟା ମେ ମାସରେ ପ୍ରାୟ ଅଧା ହୋଇଯାଇଥିଲା । ତେବେ ଦେଶରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି ।
ଏହି ସମସ୍ତ ଆକଳନ ଲୋକଙ୍କ ସର୍ଚ୍ଚ ରେଜେଲ୍ଟ ଉପରେ ଆଧାରିତ । ଯାହା ଦର୍ଶାଉଛି ଯେ, ଭାରତୀୟ କୋଭିଡ-19 ସଙ୍କଟର ପୂର୍ବ ସ୍ଥିତିକୁ ଫେରୁଛନ୍ତି । ସେହିପରି ମହାମାରୀ ପାଇଁ ସମସ୍ତ କ୍ରିକେଟ ଟୁର୍ଣ୍ଣାମେଣ୍ଟ ବାତିଲ ହୋଇଥିବା ବେଳେ କିନ୍ତୁ ଗୁଗୁଲରେ ଏହାର ସର୍ଚ୍ଚ 5 ଗୁଣ ବଢିଯାଇଛି । ଏହା ବ୍ୟତୀତ ଲୋକମାନେ ୱେବ୍ ସିରିଜ୍ 'ପାତାଲ ଲୋକ' ମଧ୍ୟ ସର୍ବାଧିକ ଥର ସର୍ଚ୍ଚ କରିଛନ୍ତି ।
ପ୍ରକାଶ ଥାଉ କି, କୋରୋନା ଭାଇରସ ତଥ୍ୟ ଜାଣିବାକୁ ଛୋଟ ଛୋଟ ରାଜ୍ୟର ଲୋକମାନେ ଏହାର ଅଧିକ ସର୍ଚ୍ଚ କରିଛନ୍ତି । ସେଥିମଧ୍ୟରୁ ଗୋଆ ପ୍ରଥମରେ ଥିବାବେଳେ ମେଘାଳୟ, ଚଣ୍ଡିଗଡ଼, ତ୍ରିପୁରା, ନାଗାଲାଣ୍ଡ, ଜମ୍ମୁ-କାଶ୍ମୀର, ଡାମନ-ଡ୍ୟୁ, ସିକିମ, ହରିୟାଣା ଏବଂ ଝାଡଖଣ୍ଡ ଆଦି ରାଜ୍ୟ ସାମିଲ ରହିଛି ।
ସେହିପରି ଗୁଗୁଲ ଟ୍ରେଣ୍ଡ ଅନୁଯାୟୀ, ଭାରତୀୟ ଅନେକ ପ୍ରଶ୍ନ ମଧ୍ୟ ସର୍ଚ୍ଚ କରିଛନ୍ତି । ଯେପରିକି ଭ୍ୟାକ୍ସିନ କଣ, କୋରୋନା ଟିକା ଭାରତରେ କେବେ ପହଞ୍ଚିବ ଏବଂ କେଉଁ ରୋଗ କୋରୋନା ଭୂତାଣୁ ସହ ଜଡିତ, ବିନା ଲକ୍ଷଣ ଥିବା ଲୋକମାନେ କଣ କୋରୋନା ଭୂତାଣୁର ବିସ୍ତାର କରିପାରିବେ କି ? ଏମିତି ଅନେକ ପ୍ରଶ୍ନର ଉତ୍ତର ଜାଣିବାକୁ ଲୋକମାନେ ଗୁଗୁଲ ସର୍ଚ୍ଚ କରିଛନ୍ତି ।