ଅହମ୍ମଦାବାଦ: ରୋଜଗାର ପାଇଁ ଜରୁରୀ ନୁହେଁ ବଡ କଲେଜରେ ଡିଗ୍ରୀ । ବିନା ଡିଗ୍ରୀରେ ମଧ୍ୟ କରିହେବ ମାସିକ ଲକ୍ଷାଧିକ ଟଙ୍କାର ରୋଜଗାର । ଗୁଜୁରାଟ ଅହମ୍ମଦାବାଦର ବିମଳାବେନ ରାଭଲ ଏମିତି କରିସ୍ମା କରି ଦେଖାଇଛନ୍ତି । ଯୋଗ୍ୟତା ମାତ୍ର ସପ୍ତମ । ତେବେ ତାଙ୍କୁ ସଫଳ ନାରୀ ମହିଳାଟିଏ ହେବାରେ ରୋକିପାରିନି ଅଳ୍ପ ଶିକ୍ଷାଗତ ଯୋଗ୍ୟତା ।
13 ବର୍ଷ ବୟସରେ ପରିବା ବିକିବା ଆରମ୍ଭ କରନ୍ତି ବିମଳାବେନ । ଏକ ଚକ ଠେଲାଗାଡିରେ ଆରମ୍ଭ ହେଇଥିଲା ଯାତ୍ରା । ପରେ ଏକ ଛୋଟ ପରିବା ଦୋକାନର ରୂପ ନେଇଥିଲା ତାଙ୍କ ବିଜନେସ । ସମୟ ଗଡିବା ସହ ପରିବା ବିଜନେସର ଆକାର,ପରିମାଣ ଓ ଆୟ ବଢିଥିଲା । ସେଦିନର ସେ ଛୋଟ ଦୋକାନରୁ ଆରମ୍ଭ ହୋଇଥିବା ଯାତ୍ରା ଏବେ ଲକ୍ଷାଧିକ ଟଙ୍କାର ବିରାଟ ବିଜନେସରେ ପରିଣତ । ମାସିକ 1ଲକ୍ଷରୁ 1ଲକ୍ଷ 25 ହଜାର ଟଙ୍କା ପର୍ଯ୍ୟନ୍ତ ଆୟ ହେଉଥିବା କହିଛନ୍ତି ବିମଳାବେନ ରାଭଲ । ବିରାଟ ଦୋକାନ ଘର, ପରିବା ବୋହିବା ପାଇଁ ଟ୍ରକ ସବୁ କିଛି କିଣା ହୋଇଛି । ବିମଳାବେନ ଏକା ନୁହଁନ୍ତି । ତାଙ୍କ ପୁଅ-ବୋହୂ ମଧ୍ୟ ଏହି ପାରିବାରିକ ବିଜନେସରେ ତାଙ୍କୁ ସାହାଯ୍ୟ କରୁଛନ୍ତି ।
ପ୍ରତିଦିନ ଭୋର 4.00ଟାରୁ ଉଠି ଅହମ୍ମଦାବାଦର ଜାମଲାପୁର ଓ କାଲୁପୁରର ପରିବା ହୋଲସେଲିଂ ମାର୍କେଟକୁ ଟ୍ରକ ଧରି ବାହାରିଯାଆନ୍ତି ବିମଳାବେନ । ଦୋକାନ ପାଇଁ ପରିବା କିଣି ଟ୍ରକରେ ଲଦି ଫେରିଆସନ୍ତି ଦୋକାନକୁ । ଆଉ ସ୍ଥାନୀୟ ଅଞ୍ଚଳରେ ତାଙ୍କ ଦୋକାନରେ ପରିବା ପାଇଁ ଲାଗେ ଲମ୍ବା ଭିଡ । ବିମଳାବେନଙ୍କ ପାଖରେ ପାନ କାର୍ଡ ମଧ୍ୟ ରହିଛି । ପରିବା ବିଜନେସରୁ ଆୟରୁ ନିୟମିତ ସରକାରଙ୍କୁ ଆୟକର ମଧ୍ୟ ଭରନ୍ତି ।
ପାଠ କମ ପଢିଥିଲେ ମଧ୍ୟ ଜୀବନରେ ସଫଳ ହେବାର ଇଛା ବିମଳାବେନଙ୍କୁ ସଫଳତାର ଶିଖରେ ପହଞ୍ଚାଇଛି । ସ୍ବାବଲମ୍ବୀ ହେବାକୁ ଚାହୁଁଥିବା, ସମ୍ମାନର ସହ ସମାଜରେ ବଞ୍ଚିବାକୁ ଚାହୁଁଥିବା ମହିଳାଙ୍କ ପାଇଁ ବିମଳାବେନଙ୍କ ବାସ୍ତବ କାହାଣୀ ପ୍ରେରଣା ଯୋଗାଇବ ନିଶ୍ଚୟ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ