ହାଇଦ୍ରାବାଦ: ସମାଜରେ ଦେଖବାକୁ ମିଳନ୍ତି ବିଭିନ୍ନ ବର୍ଗର ଲୋକେ । କିଏ ଆର୍ଥିକ ଦୃଷ୍ଟିରୁ ସୃଦୃଢ ତ କିଏ ପୁଣି ଦାରିଦ୍ର୍ୟ ସୀମାରେଖା ତଳେ କାଟୁଛି ଜୀବନ। କେଉଁଠାରେ ପ୍ରତି 10 ଜଣଙ୍କରେ ଜଣେ 5 ବର୍ଷରୁ କମ୍ ସମୟରେ ମୃତ୍ୟୁମୁଖରେ ପଡନ୍ତି ତ କେଉଁଠି ପୁଣି ପ୍ରତି 250 ଜଣଙ୍କରେ ଜଣେ 5 ବର୍ଷରୁ କମ୍ ସମୟରେ ମୃତ୍ୟୁମୁଖରେ ପଡିଥା’ନ୍ତି । ହେଲେ ଏସବୁ ପଛରେ ମୁଖ୍ୟ କାରଣ କ’ଣ ହୋଇପାରେ କେବେ ଭାବିଛନ୍ତି କି ?
ଏନେଇ ପ୍ରଖ୍ୟାତ ଅର୍ଥନୀତିଜ୍ଞ ମ୍ୟାକ୍ସ ରୋଜର ଏକ ଅଧ୍ୟୟନ କରିଥିଲେ । ଯାହାର ବିଷୟ ରହିଥିଲା ବିଶ୍ବ ଅସମାନତା ଓ ସୁଯୋଗ ପାଇବା ମଧ୍ୟରେ ସମ୍ବନ୍ଧ। ତେବେ ଏହି ଅଧ୍ୟୟନରେ ମ୍ୟାକ୍ସ କିଛି ଏପରି ତଥ୍ୟ ପାଇଥିଲେ ଯାହା ହୁଏତ ସାଧାରଣରେ ବିଶ୍ବାସ କରିବା ସାମାନ୍ୟ କଷ୍ଟଦାୟୀ । କିନ୍ତୁ ଏହା ବାସ୍ତବିକ ସତ୍ୟ ।
ଏହି ଅଧ୍ୟୟନରୁ ଜଣା ପଡିଛି କି ଜଣଙ୍କର ଜୀବନ ଶୈଳୀ ସେମାନଙ୍କର ବାସସ୍ଥାନ ବା ଅଞ୍ଚଳ ଉପରେ ସିଧାସଳଖ ନିର୍ଭରଶୀଳ । ଶୁଣିବାକୁ ଟିକେ ଆଶ୍ଚର୍ଯ୍ୟ ଲାଗୁ ଥାଇପାରେ ନିଶ୍ଚୟ । କିନ୍ତୁ ଏହା ପଛରେ ମ୍ୟାକ୍ସଙ୍କର ରହିଛି ଅନେକ ବାସ୍ତବ ଯୁକ୍ତି । ତାଙ୍କ କହିବା ଅନୁଯାୟୀ ବିଶ୍ବରେ ଏପରି ଅନେକ ଲୋକ ଅଛନ୍ତି ଯେଉଁମାନେ ସୁଯୋଗର ଲାଭ ଉଠାଇ ନିଜର କଳାକୁ ପରିଦର୍ଶନ କରିବା ସହ ଏକ ଉନ୍ନତ ଜୀବନଶୈଳୀର ପରିକଳ୍ପନା କରି ପାରିଛନ୍ତି । କିନ୍ତୁ ସମାନ ଭାବେ ଏପରି ଅନେକ ଲୋକ ଅଛନ୍ତି ଯେଉଁମାନେ ଅଜସ୍ର ଜ୍ଞାନୀ ହୋଇଥିଲେ ସୁଧା ସୁଯୋଗ ଅଭାବରେ ଦାରିଦ୍ରରେ ଜୀବନ କାଟିବାକୁ ବାଧ୍ୟ ହେଉଛନ୍ତି ।
ଏଥିପାଇଁ ପ୍ରକୃତରେ ଦାୟୀ କିଏ । ସୁଯୋଗ ସମସ୍ତଙ୍କୁ ସମାନ ଭାବେ ମିଳିବା ଦରକାର । କେବଳ ଭାଗ୍ୟକୁ ନିନ୍ଦି ଚୁପ୍ ବସିବା ଅପେକ୍ଷା ଏହାର ପ୍ରକୃତ କାରଣ ଖୋଜି ଏହାକୁ ମୂଳପୋଛ କରିବା ପାଇଁ ସମସ୍ତେ ପ୍ରତିଶୃତିବଦ୍ଧ ହେବା ଦରକାର । ମ୍ୟାକ୍ସ ଏହା ମଧ୍ୟ କହିଛନ୍ତି କି ଜଣଙ୍କର ଭାଗ୍ୟ ସେମାନଙ୍କ କର୍ମ ନୁହେଁ ବରଂ ସେମାନଙ୍କ ଜନ୍ମସ୍ଥାନ ଉପରେ ନିର୍ଭର କରେ । ଏହାକୁ ବୁଝିବା ପାଇଁ ଏକ ଉଦାହରଣର ସାହାଯ୍ୟ ନିଆଯାଇପାରେ।
ବିଶ୍ବରେ ଏପରି ଅନେକ ପଛୁଆ ଦେଶ ରହିଛନ୍ତି ଯେଉଁଠାରେ ଜଣେ ଜନ୍ମ ନେବା ସମୟରୁ ହିଁ ଆରମ୍ଭ ହୋଇଥାଏ ସଂଘର୍ଷ । ପ୍ରାଥମିକ ସ୍ତରର ପାଠପଢାଠାରୁ ଆରମ୍ଭ କରି ଉଚ୍ଚ ଶିକ୍ଷା ପର୍ଯ୍ୟନ୍ତ, କେଉଁଠାରେ ପିଲାକୁ ଆର୍ଥିକ ସଂଘର୍ଷ କରିବାକୁ ପଡେ ତ ପୁଣି କେଉଁଠି କରିବାକୁ ପଡେ ମାନସିକ ସଂଘର୍ଷ । ଅନ୍ୟପଟେ ବିଶ୍ବର ବିକଶିତ ଦେଶରେ ଜନ୍ମ ନେବା ସହ ପିଲାକୁ ମିଳିଥାଏ ଅନେକ ସୁବିଧା ଓ ସୁଯୋଗ । ପାଠପଢାଠାରୁ ଆରମ୍ଭ କରି ଚାକିରୀ ଓ ଏକ ସୁରକ୍ଷିତ ଭବିଷ୍ୟତ, ସବୁଠାରେ ଥାଏ କେବଳ ସୁଯୋଗ ହିଁ ସୁଯୋଗ ।
ତେଣୁ ଆପଣଙ୍କ ଜନ୍ମସ୍ଥାନ ହିଁ ଆପଣଙ୍କ ଭାଗ୍ୟ ନିର୍ଦ୍ଧାରଣ କରିଥାଏ କହିଲେ କିଛି ଭୁଲ ହେବ ନାହିଁ । ଏହା ଆଜି କି କାଲିର କଥା ନୁହେଁ ଦୀର୍ଘ ଦୁଇ ଦଶନ୍ଧିରୁ ଅଧିକ ସମୟ ହେବ ଏହି ସମସ୍ୟା ଦେଇ ଗତି କରୁଛନ୍ତି ଅନେକ ଲୋକ । ସେମାନଙ୍କ ପାଖରେ ଜ୍ଞାନ ଅଛି ଓ ସାଥୀରେ ଅଛି କିଛି କରି ଦେଖାଇବାର ଜୋଶ୍ । ହେଲେ କେବଳ ସୁଯୋଗ ଅଭାବରୁ ଅଲୋଡା ପାଲଟିଯାଏ ସବୁ ପରିଶ୍ରମ । ଅନ୍ୟପଟେ ବିକାଶଶୀଳ ରାଷ୍ଟ୍ରରେ ସୁଯୋଗର ଲାଭ ଉଠାଇ ନିଜ ଭବିଷ୍ୟତକୁ ସୁରକ୍ଷିତ କରୁଛନ୍ତି ଅନେକ ।
ତେବେ ଏହି ସୁଯୋଗରେ ଅସମାନତାର ଅନେକ କାରଣ ରହିଛି । ଯାହା ଦେଶ ତଥା ସମାଜ ମଧ୍ୟରେ ଅସମାନତା, କ୍ଷେତ୍ରୀୟ ଅସମାନତା, ବର୍ଣ୍ଣଗତ ଅସମାନତା, ଲିଙ୍ଗଗତ ଭେଦଭାବ ଓ ଅସମାନତା ସମେତ ଅନ୍ୟାନ୍ୟ କେତେକ କାରଣ ହୋଇପାରେ । ଏହା ବିଭିନ୍ନ କ୍ଷେତ୍ର ଯଥା ସ୍ବାସ୍ଥ୍ୟ, ଶିକ୍ଷା ଓ ଆୟ ଉପରେ ଜଣଙ୍କୁ ପ୍ରଭାବିତ କରିପାରେ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ