ହାଇଦ୍ରାବାଦ: ମୋହନଦାସ କରମଚାନ୍ଦ ଗାନ୍ଧୀ ତଥା ଜାତିର ଜନକ ବାପୁ । ପିଲାବେଳଠୁ ଆରମ୍ଭ କରି ମୃତ୍ୟୁ ପର୍ଯ୍ୟନ୍ତ ତାଙ୍କର ଯାତ୍ରା ଥିଲା ବିସ୍ମୟକର । ଅହିଂସା ଓ ସତ୍ୟାଗ୍ରହକୁ ପାଥେୟ କରି ସାରା ଜୀବନ ଲୋକଙ୍କ ପାଇଁ କଟାଇଥିଲେ ବାପୁ । ଇଂଲଣ୍ଡରେ ଆଇନ ପାଠ ପଢିବାଠୁ ଆରମ୍ଭ କରି ଦକ୍ଷିଣ ଆଫ୍ରିକାର ରହଣୀ ଓ ଭାରତକୁ ସ୍ବାଧୀନ ଦେବା ପର୍ଯ୍ୟନ୍ତ ଅନେକ ଉତ୍ଥାନ ପତନ ଦେଇ ଗତି କରିଥିଲା ଗାନ୍ଧୀଙ୍କ ଜୀବନ ।
ଗୁଜୁରାଟର ପୋରବନ୍ଦରରେ ଜନ୍ମଗ୍ରହଣ କରିଥିବା ଗାନ୍ଧୀ ପ୍ରଥମେ ରାଜକୋଟ ବିଦ୍ୟାଳୟରେ ପାଠ ପଢିଥିଲେ । ବିଦ୍ୟାଳୟରେ ମଧ୍ୟମଧରଣର ଛାତ୍ର ଥିଲେ ସେ । ପରେ ଆଇନ ପାଠ ପଢିବା ଲାଗି ସେ ଇଂଲଣ୍ଡ ଯାଇଥିଲେ । ସେଠାରୁ ଆସିବା ପରେ ଦକ୍ଷିଣ ଆଫ୍ରିକାର ରହଣୀ ତାଙ୍କ ଜୀବନର ଦିଗ ପରିବର୍ତ୍ତନ କରିଥିଲା । ଅହିଂସା ଉପାୟରେ ଆନ୍ଦୋଳନ କରି ସେଠାରେ ସେ ଭାରତୀୟ ମାନଙ୍କ ପାଇଁ ଲଢେଇ କରିଥିଲେ । ତେବେ 1906 ମସିହାରେ ତାଙ୍କ ଜୀବନରେ ମୋଡ ଆସିଥିଲା । ଦକ୍ଷିଣ ଆଫ୍ରିକାରେ ସେ ସତ୍ୟାଗ୍ରହ ଆରମ୍ଭ କରି ସେଥିରେ ସଫଳତା ପାଇଥିଲେ । ଯାହା ତାଙ୍କୁ ପରବର୍ତ୍ତୀ ସମୟରେ ଭାରତରେ ସ୍ବାଧୀନତା ଆନ୍ଦୋଳନ କରିବା ସମୟରେ ସହାୟକ ହୋଇଥିଲା ।
ଗାନ୍ଧୀଜୀ ଭାରତ ଫେରିବା ପରେ ଦେଖିଲେ ଯେ, ଭାରତ ଅବ୍ୟବସ୍ଥା ଘେରରେ ରହିଛି । ବ୍ରିଟିଶ୍ ଶାସନରେ ଲୋକେ ନ୍ୟାୟ ପାଇବାରୁ ବଞ୍ଚିତ ହେଉଛନ୍ତି । ଅନେକ ଲୋକ ଅନ୍ୟାୟର ଶିକାର ହେଉଛନ୍ତି । ହେଲେ ଏହା ବିରୋଧରେ ସେଭଳି କିଛି ବଡ ଧରଣର ସ୍ବର ଉଠୁନି । ଯାହା ତାଙ୍କୁ ବ୍ୟଥିତ କରିଥିଲା । ଦକ୍ଷିଣ ଆଫ୍ରିକାରେ ସେ ଆରମ୍ଭ କରିଥିବା ସତ୍ୟାଗ୍ରହକୁ ଏଠାରେ ଲାଗୁ କରିବା ଲାଗି ବାହାରି ପଡିଥିଲେ । ସତ୍ୟାଗ୍ରହ, ଅହିଂସା ଓ ପ୍ରେମକୁ ଅସ୍ତ୍ର କରି ସେ ଗୋରା ଶାସନ ବିରୋଧରେ ଲଢେଇ ଆରମ୍ଭ କଲେ ।
ତେବେ ତାଙ୍କର ଏହି ଅସ୍ତ୍ର ଦୀର୍ଘ 200 ବର୍ଷରୁ ଭାରତକୁ ଶାସନ କରୁଥିବା ବ୍ରିଟିଶ୍ଙ୍କ ପାଇଁ ପର୍ଯ୍ୟାପ୍ତ ଥିଲା । ଏହି ଅସ୍ତ୍ରରେ ସେ ଭାରତୀୟଙ୍କୁ ଏକାଠି କରିବା ସହ ଇଂରେଜ ମାନଙ୍କୁ ଦେଶରୁ ତଡିଦେଇଥିଲେ । ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଏକ ବୋଲି ଏହି ଅସ୍ତ୍ର ମାଧ୍ୟମରେ ସେ ଜଣାଇଥିଲେ ।
ଗାନ୍ଧୀଜୀ ପ୍ରେମ, କରୁଣା ଓ କ୍ଷମାର ପ୍ରତୀକ ଥିଲେ । ସେ ତାଙ୍କ ବ୍ୟକ୍ତିଗତ ଜୀବନରେ କ୍ଷମାକୁ ପ୍ରାଧାନ୍ୟ ଦେଉଥିଲେ । ଥରେ ସେ ତାଙ୍କ ପୁଅକୁ କହିଥିଲେ,‘ମୋତେ କ୍ଷମା କରିଦିଅ, ଯଦି ତୁମେ ଭାବୁଛ ମୁଁ ତୁମକୁ ଭୁଲ ରାସ୍ତା ଦେଖାଉଛି ।’
ତେବେ ତାଙ୍କୁ ଅନେକ ଲୋକ ବୁଦ୍ଧ ଓ ଖ୍ରୀଷ୍ଟଙ୍କ ଅବତାର ବୋଲି କହୁଥିଲେ । ଏପରିକି ଅନେକ ଇଂଲଣ୍ଡରେ ରହୁଥିବା ଅନେକ ଖ୍ରୀଷ୍ଟିଆନ ଯେଉଁମାନେକି ଭାରତ ଭ୍ରମଣରେ ଆସିଥିଲେ ସେମାନେ କହିଛନ୍ତି, ‘ସେବାଗ୍ରାମରେ ଆମେ ଖ୍ରୀଷ୍ଟଙ୍କୁ ଦେଖିଛୁ ।’ ତେବେ ଗାନ୍ଧୀଜୀ ପିଲାଦିନୁ ଧର୍ମନିରପେକ୍ଷ ଥିଲେ । କେବଳ ଗାନ୍ଧୀ ନୁହଁନ୍ତି କଂଗ୍ରେସ ମଧ୍ୟ ପ୍ରତିଷ୍ଠା ଦିନଠୁ ଧର୍ମନିରପେକ୍ଷ ଥିଲା । କଂଗ୍ରେସ ଜଣେ ଇଂରେଜୀ ଦ୍ବାରା ପ୍ରତିଷ୍ଠା ହେବା ପରେ ଏହାର ପ୍ରଥମ ସଭାପତି ଜଣେ ହିନ୍ଦୁ ଥିଲେ ପରେ ଜଣେ ଫାର୍ସୀ, ଏହା ପରେ ମୁସଲିମ୍ ଓ ପରେ ଜଣେ ଇଂରେଜ ହିଁ ଏହାର ସଭାପତି ହୋଇଥିଲେ ।
ତେବେ ଗାନ୍ଧୀଙ୍କ ଏହିସବୁ ବିଚାରଧାରା ତାଙ୍କ ଶେଷ ନିଶ୍ବାସ ପର୍ଯ୍ୟନ୍ତ ସେ ବଳବତ୍ତର କରି ରଖିଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ