ହାଇଦ୍ରାବାଦ: ଅନଲାଇନ କାରବାର ଉପରେ ପଡିଛି ଲକଡାଉନର ପ୍ରଭାବ । ପ୍ରାୟ ସମସ୍ତ ଅନଲାଇନ ସପିଂ ସାଇଟ ନିଜ ୱେବସାଇଟ ବନ୍ଦ କରିଦେଇଛନ୍ତି । ଅନେକ ସାଇଟରେ କୋଟି କୋଟି ଟଙ୍କାର କ୍ଷତି ହୋଇଛି । ବିଶ୍ବ ସାରା ଆମାଜନ, ଫ୍ଲିପକାର୍ଟ ଭଳି ସାଇଟ ଏବଂ ଦେଶରେ ବିଗ ବାସ୍କେଟ ଭଳି ଅନଲାଇନ ଗ୍ରୋସୋରୀ କମ୍ପାନୀ ବିପୁଳ କ୍ଷତି ସାମନା କରିଛନ୍ତି ।
ତେବେ ଏହି ସମୟରେ କିଛି ଅନଲାଇନ ମେସେଜ ଆପଣଙ୍କ ମୋବାଇଲକୁ ବାରମ୍ବାର ଆସୁଥିବ । ଅଳ୍ପ ମୂଲ୍ୟରେ ଏବଂ ଖୁବଶିଘ୍ର ଜିନିଷ ଡେଲିଭରୀ ହେବ । ଏହାସହ ଡେଲିଭରୀ ବୟ ପ୍ରତିଷେଧକ ବ୍ୟବସ୍ଥା ସହ ଆପଣଙ୍କୁ ସାମଗ୍ରୀ ପ୍ରଦାନ କରିବ । ହେଲେ ସାବଧାନ ଏପରି କୌଣସି ଅନଲାଇନ କାରବାର ମେସେଜ ଦେଖିଲେ ତୁରନ୍ତ ତାହାର ବୈଧତା ଦେଖିନିଅନ୍ତୁ । ଏପରି କରି ସେମାନେ ଆପଣଙ୍କୁ ଠକିବାର ଅନେକ ସମ୍ଭାବନା ରହିଛି । ଏହି ସମୟରେ ଲୋକେ ସମସ୍ୟାରେ ଥିବାବେଳେ ସେମାନଙ୍କ ବିଶ୍ବାସ ଜିତିବାକୁ କିଛି ଠକ କମ୍ପାନୀ ଏପରି କାମ କରୁଛନ୍ତି ।
ସେମାନଙ୍କ କଥାରେ ବିଶ୍ବାସ କରି କୌଣସି ପିନ ବା ଅନଲାଇନ କାରବାର କରନ୍ତୁ ନାହିଁ । ଏହାସହ ଅନଲାଇନ ଅର୍ଡର କରନ୍ତୁ ନାହିଁ । କାରଣ କିଛି ଠକେଇ କମ୍ପାନୀ ପକ୍ଷରୁ ଲୋକଙ୍କ ଘରେ ଚୋରି, ଡକାୟତିର ସମ୍ଭାବନା ମଧ୍ୟ ରହିଛି । ଏପରିକି ସେମାନଙ୍କ ଦ୍ବାରା କୋଭିଡ 19 ବ୍ୟାପିବାର ମଧ୍ୟ ଆଶଙ୍କା ରହିଛି । ନିକଟରେ ଦିଲ୍ଲୀର ଏକ ପିଜା ଡେଲିଭରୀ ବୟ ଦ୍ବାରା ଅନେକ ଲୋକ କୋରୋନା ଆକ୍ରାନ୍ତ ହୋଇଥିଲେ । ତେଣୁ ଏଥିପ୍ରତି ସାବଧାନ ରହନ୍ତୁ ।
ସଂକ୍ରମଣ ଭୟରୁ ଏବେ ଅନେକ ଅନଲାଇନ କମ୍ପାନୀ କର୍ମଚାରୀଙ୍କୁ ଛୁଟି ଦେବା ସହ ସଂଖ୍ୟା କମ ଥିବାରୁ ଡେଲିଭରୀ ସମ୍ଭବ ହେଉନାହିଁ । ଯେଉଁ କେତେକ ସାଇଟ ଡେଲିଭରୀ ଦେଉଛନ୍ତି ସେମାନେ ଅନେକ ଦିନ ନେଉଛନ୍ତି । ଏପରିକି ଜୋମାଟୋ ଓ ସ୍ବିଗି ଭଳି ଫୁଡ ଡେଲିଭରୀ କମ୍ପାନୀ ପ୍ରତିଷେଧକ ବ୍ୟବସ୍ଥା ଆପଣାଇଲେ ମଧ୍ୟ ଲୋକେ ଅଧିକ ଅର୍ଡର କରୁନାହାନ୍ତି । ତେଣୁ ଏପରି ସ୍ଥିତିରେ ସ୍ମାର୍ଟ ବନନ୍ତୁ ଏବଂ ଅନଲାଇନ ଠକେଇଠାରୁ ଦୂରରେ ରହନ୍ତୁ ।