ନୂଆଦିଲ୍ଲୀ: ବହୁ ପ୍ରତିକ୍ଷିତ ମାଲବାର ନୌସେନା ଯୁଦ୍ଧ ଅଭ୍ୟାସର ତାରିଖ ଘୋଷଣା ହୋଇଛି । ଭାରତ, ଅଷ୍ଟ୍ରେଲିଆ, ଜାପାନ ଓ ଆମେରିକା ମଧ୍ୟରେ ବଙ୍ଗୋପସାଗରରେ ହେବାକୁ ଥିବା ଏହି ମିଳିତ ଯୁଦ୍ଧାଭ୍ୟାସ ନଭେମ୍ବର 3ରୁ ନଭେମ୍ବର 6 ମଧ୍ୟରେ 2ଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ ବୋଲି ଭାରତୀୟ ନୌସେନା ପକ୍ଷରୁ ସୂଚନା ଦିଆଯାଇଛି ।
ପ୍ରଥମ ଥର ପାଇଁ 4 କ୍ବାଡ ଦେଶର ନୌସେନା ଯୁଦ୍ଧାଭ୍ୟାସରେ ସାମିଲ ହେଉଛନ୍ତି । ଲଦାଖ ସୀମାରେ ଭାରତ ଏବଂ ଚୀନ ମଧ୍ୟରେ ତିକ୍ତତା ଜାରି ରହିଥିବା ବେଳେ 4 କ୍ବାଡ ଦେଶର ଯୁଦ୍ଧାଭ୍ୟାସକୁ ଉଭୟ ସାମରିକ ଓ କୂଟନୈତିକ ଦୃଷ୍ଟିକୋଣରୁ ବେଶ ମହତ୍ବପୂର୍ଣ୍ଣ କୁହାଯାଇପାରେ ।
ପୂର୍ବରୁ ଆମେରିକା ଏବଂ ଭାରତ ମଧ୍ୟରେ ମାଲବାର ଯୁଦ୍ଧାଭ୍ୟାସ ହେଉଥିଲା । ପରେ ଜାପାନ ଏଥିରେ ଯୋଗ ଦେଇଥିଲା । ତେବେ ବର୍ତ୍ତମାନ ଅଷ୍ଟ୍ରେଲିଆ ମାଲବାର ଯୁଦ୍ଧାଭ୍ୟାସରେ ସାମିଲ ହେବା ଦ୍ବାରା କ୍ବାଡ ଦେଶର ସାମରିକ ଶକ୍ତିରେ ଆହୁରି ବୃଦ୍ଧି ଘଟିବ ।
ନିକଟରେ ଟୋକିଓରେ କ୍ବାଡ ଦେଶ ମଧ୍ୟରେ ଏକ ବିଶେଷ ବୈଠକ ହୋଇଥିଲା, ଯେଉଁଥିରେ ସଦସ୍ୟ ଦେଶର ବୈଦେଶିକ ମନ୍ତ୍ରୀମାନେ ଅଂଶଗ୍ରହଣ କରିଥିଲେ। ଏହି ବୈଠକରେ ଅଷ୍ଟ୍ରେଲିଆକୁ ଅନ୍ତର୍ଭୁକ୍ତ କରିବା ପାଇଁ ଅନୁମୋଦନ କରାଯାଇଥିଲା। ଏଥର ନଭେମ୍ବରରେ ବଙ୍ଗୋପସାଗର ଏବଂ ଆରବ ସାଗର ମଧ୍ୟରେ ମାଲାବାର ଯୁଦ୍ଧାଭ୍ୟାସ ଅନୁଷ୍ଠିତ ହେବ। ଏହି ଯୁଦ୍ଧାଭ୍ୟାସ କେବଳ କ୍ବାଡ ଦେଶର ମିଳିତ ଶକ୍ତି ପ୍ରଦର୍ଶନ କରିବ ନାହିଁ, ବରଂ ଏହା ଚୀନ ପାଇଁ ମଧ୍ୟ ସୃଷ୍ଟି କରିବ ବଡ ଆଡୁଆ। ଚୀନ କ୍ବାଡ ଦେଶର ଏଭଳି ଯୁଦ୍ଧାଭ୍ୟାସକୁ ବିରୋଧ କରିଥିଲା।