ଶ୍ରୀନଗର: ବାରମ୍ବାର କଡା ଚେତାବନୀ ସତ୍ତ୍ବେ ସୁଧୁରୁନି ପାକିସ୍ତାନ । ଘାଟିରେ ଆତଙ୍କବାଦୀ କାର୍ଯ୍ୟକଳାପ ବୃଦ୍ଧି ପାଇବାରେ ଲାଗିଛି । ସୀମାରେ ଜାରି ଉତ୍ତେଜନା ମଧ୍ୟରେ ଡ୍ରୋନ ଜରିଆରେ ଏଲଓସିରେ ଗୋଳାବାରୁଦ ଓ ଅସ୍ତ୍ରଶସ୍ତ୍ର ଏୟାର ଡ୍ରପ କରୁଛି ପାକିସ୍ତାନ । ମଙ୍ଗଳବାର ଏଲଓସିର ଅଖନୁର ସେକ୍ଟରରେ ପାକିସ୍ତାନ ଡ୍ରୋନ ଏୟାରଡ୍ରପ କରିଥିବା ଗୋଳା ବାରୁଦ ଓ ଅସ୍ତ୍ରଶସ୍ତ୍ର ଜବତ କରିଛି ଭାରତର ସୀମା ସୁରକ୍ଷା ବଳ ।
ଜୁନ 20 ପରଠୁ ଏହା ପଞ୍ଚମ ଘଟଣା, ଯେଉଁଥିରେ କଠୁଆ ଜିଲ୍ଲାର ହିରାନଗର ସେକ୍ଟରର ରଥୁଆ ଠାରେ ବିଏସଏଫ ଯବାନ ଅସ୍ତ୍ରଶସ୍ତ୍ର ବିଶିଷ୍ଟ ଡ୍ରୋନକୁ ଗୁଳି ମାରି ଖସାଇ ଦେଇଛନ୍ତି । ଘାଟିରେ ଆତଙ୍କବାଦକୁ ଇନ୍ଧନ ଯୋଗାଉଥିବା ପାକିସ୍ତାନ ଅସ୍ତ୍ରଶସ୍ତ୍ର, ଗୁଳି, ଡ୍ରଗ୍ସ ଏବଂ ଟଙ୍କା ପକାଇବା ପାଇଁ ଡ୍ରୋନ୍ ବ୍ୟବହାର କରିବାର ଅତ୍ୟାଧୁନିକ ଉପାୟ ଆପଣାଉଛି । ଅଧିକାରୀଙ୍କ କହିବା ଅନୁଯାୟୀ ଡ୍ରୋନରୁ ଏୟାରଡ୍ରପ ହୋଇଥିବା ବ୍ୟାଗରୁ 2ଟି AK-47 ରାଇଫଲ, 90 AK ବୁଲେଟ, 7.62 ଏମଏମ ଗୁଳି, ଦୁଇଟି ପିସ୍ତଲ ଜବତ ହୋଇଛି ।
ପାକିସ୍ତାନରେ ଆତଙ୍କବାଦର ଭିତ୍ତିଭୂମି ସକ୍ରିୟ ରହିଛି । ଏପରିସ୍ଥିତିରେ ଜମ୍ମୁ ଓ କାଶ୍ମୀରରେ ପାକିସ୍ତାନ ଡ୍ରୋନର ଗତିବିଧି ଏକ ନୂଆ ଚ୍ୟାଲେଞ୍ଜ ବୋଲି କହିଥିଲେ ବିଏସଏଫ ଅଧିକାରୀ । ପୂର୍ବରୁ ବିଏସଏଫ ଅଧିକାରୀ ଜାମୱାଲ କହିଥିଲେ ଯେ ନୂତନ ସୁରକ୍ଷା ଚ୍ୟାଲେଞ୍ଜ ପାଇଁ ସମସ୍ତ ସୁରକ୍ଷା ଏଜେନ୍ସି ଆଲର୍ଟ ରହିଛନ୍ତି । ଶତୃପକ୍ଷଙ୍କ ଯୋଜନାକୁ ପଣ୍ଡ କରିବାକୁ ସେନା ସଜାଗ ରହିଛି । ଏହାରି ମଧ୍ୟରେ ଆରଏସପୁରା ସେକ୍ଟରରୁ 2 ପିସ୍ତଲ, 3 ମାଗାଜିନ ଏବଂ 100 ରାଉଣ୍ଡ ଗୁଳି ସହିତ 62 କିଲୋଗ୍ରାମର ହେରୋଇନ ଜବତ ହୋଇଥିଲା ।
ଅଧିକାରୀ କହିଥିଲେ ଯେ ପାକିସ୍ତାନରେ ଆତଙ୍କବାଦ ଭିତ୍ତିଭୂମି ସକ୍ରିୟ ରହିଛି । ଏଥିରୁ ଅସ୍ତ୍ରଶସ୍ତ୍ର ତଥା ନିଶା କାରବାର ତଥା ସୀମାରେ ଗୁଳି ଚଳାଇବା ଭଳି ଉଦ୍ୟମରୁ ଏହା ସ୍ପଷ୍ଟ ହୋଇଛି । ଏହାସହ ଡ୍ରୋନ ବ୍ୟବହାର କରି ଗୋଳାବାରୁଦ ଏୟାରଡ୍ରପ ଘଟଣା ନୂଆ ବିପଦ ସୃଷ୍ଟି କରିଛି ବୋଲି ସେ କହିଥିଲେ ।