ହାଇଦ୍ରାବାଦ: ଚୀନରେ ଦିନକୁ ଦିନ ବଢିଚାଲିଛି କରୋନା ଭାଇରସର ପ୍ରକୋପ । ଏହି ଭାଇରସ ଯୋଗୁଁ ଚୀନ ସମେତ ଅନ୍ୟ ଦେଶ ମଧ୍ୟ ଆତଙ୍କିତ ହୋଇପଡିଛନ୍ତି । ଭାଇରସ ଯେପରି ଭାରତରେ ନ ବ୍ୟାପେ ସେଥିପ୍ରତି ସମସ୍ତ ପ୍ରକାରର ସତର୍କତା ଅବଲମ୍ବନ କରାଯାଉଛି । ଏନେଇ ଚୀନ ଯିବାକୁ ଥିବା ଅନେକ ଫ୍ଲାଇଟ ବାତିଲ ହୋଇଛି ।
ନୂଆଦିଲ୍ଲୀ ଓ ଚୀନର ଛେଙ୍ଗଡୁ ମଧ୍ୟରେ ଯାତାୟାତ କରୁଥିବା ଇଣ୍ଡିଗୋ ଏୟାର ଲାଇନ୍ସର ସମସ୍ତ ଫ୍ଲାଇଟକୁ ଫେବୃଆରୀ 1ରୁ ଫେବୃଆରୀ 20 ପର୍ଯ୍ୟନ୍ତ ବାତିଲ କରାଯାଇଛି । ବେଙ୍ଗାଲୁରୁ-ହଂକଂ ଫ୍ଲାଇଟ ମଧ୍ୟ ବାତିଲ କରାଯାଉଥିବା ଇଣ୍ଡିଗୋ ପକ୍ଷରୁ ସୂଚନା ମିଳିଛି । ସେହିପରି ଏୟାର ଇଣ୍ଡିଆ ମଧ୍ୟ ଚୀନ ଯାଉଥିବା ନିଜର କିଛି ବିମାନ ସେବା ଉପରେ ରୋକ ଲଗାଇଛି । AI 348/349-ମୁମ୍ବାଇ-ଦିଲ୍ଲୀ-ସାଙ୍ଘାଇ ଫ୍ଲାଇଟ ବାତିଲ କରାଯାଇଥିବା ଏୟାର ଇଣ୍ଡିଆ ପକ୍ଷରୁ ସୂଚନା ଦିଆଯାଇଛି । ଅନ୍ୟପକ୍ଷେ ଏୟାର ଇଣ୍ଡିଆର ପ୍ରବକ୍ତା ନିଜର ସମସ୍ତ କକ୍ପିଟ ଓ କ୍ୟାବିନ କ୍ର୍ୟୁଙ୍କୁ ଭାଇରସ କବଳରୁ ନିଜକୁ ବଞ୍ଚାଇବା ପାଇଁ N95 ମାକ୍ସ ପିନ୍ଧିବାକୁ ପରାମର୍ଶ ଦେଇଛନ୍ତି । ଚୀନ୍ରେ କରୋନା ଭାଇରସ୍ ଜନିତ ମୃତ୍ୟୁସଂଖ୍ୟା 132ରେ ପହଞ୍ଚିଛି। ସେହିପରି ପ୍ରାୟ 600ରୁ ଊର୍ଦ୍ଧ୍ବ ଭାଇରସ୍ ଆକ୍ରାନ୍ତ ଅଛନ୍ତି ।