ଶ୍ରୀକାକୁଲମ: ଠାକୁର ଦର୍ଶନ ସାରି ଫେରୁଥିବା ବେଳେ ଅଘଟଣ । ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ ନିକଟ କୋଠାପଲ୍ଲୀ ପୋଲ ତଳକୁ ଖସିଲା କାର । ଫଳରେ କାରରେ ଦୁଇଟି ପରିବାରର ମୋଟ 6 ଜଣ ଥିବାବେଳେ 5 ଜଣଙ୍କର ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ଜଣେ ଶିଶୁ, ତିନି ଜଣ ମହିଳା ଓ ଜଣେ ପୁରୁଷ ଥିବାବେଳେ ସମସ୍ତଙ୍କ ଘର ଓଡିଶା ହୋଇଥିବା ଜଣାପଡିଛି । ଅନ୍ୟ ଏକ ଗୁରୁତରଙ୍କୁ ସୋମପେଟ୍ଟା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ସୂଚନାନୁଯାୟୀ, ଆନ୍ଧ୍ରପ୍ରଦେଶର ସୀମାଞ୍ଚଳମ୍ ଦର୍ଶନ ସାରି ଭୁବନେଶ୍ବର ଫେରୁଥିବାବେଳେ ଆଜି ସକାଳ ପ୍ରାୟ 7ଟା ସମୟରେ ଶ୍ରୀକାକୁଲମ ମନ୍ଦାସା ମଣ୍ଡଲ ନିକଟ କୋଠାପଲ୍ଲୀ ପୋଲ ନିକଟରେ କାରଟି ପୋଲ ତଳକୁ ଖସିପଡିଥିଲା । କାର ଡୋର ଲକ୍ ଥିବା ହେତୁ କାହାରିକୁ ଉଦ୍ଧାର କରାଯାଇପାରିନଥିଲା । ପରେ ଘଟଣାସ୍ଥଳରେ ସ୍ଥାନୀୟ ଲୋକ ଓ ପୋଲିସ ପହଞ୍ଚି ଡୋର ଭାଙ୍ଗି ମୃତକଙ୍କୁ ଉଦ୍ଧାର କରିଛନ୍ତି । ଏହାଛଡା ଅନ୍ୟ ଜଣେ ବ୍ୟକ୍ତି ତ୍ରିଲୋଚନ ଜେନା ସାମାନ୍ୟ ଆହତ ହୋଇଥିବାବେଳେ ତାଙ୍କୁ ସୋମପେଟ୍ଟା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ମୃତକ ମାନେହେଲେ ଦଣ୍ଡପତି ପ୍ରତାପ, ବନିତା ଜେନା, ମୃତ ଶିଶୁ ଜଣକ ଆଦର୍ଶ ଜେନା ଏବଂ ଅନ୍ୟ ଜଣେ ମହିଳା ହେଲେ ପ୍ରତାପଙ୍କ ଶାଳି। ଗୁରୁତର ଜଣକ ହେଲେ ତ୍ରିଲୋଚନ ଜେନା । ଗତ 2 ତାରିଖ ଦିନ ଭୁବନେଶ୍ୱରରୁ ସୀମାଞ୍ଚଳ ଅଭିମୁଖେ ବାହାରିଥିଲେ, ଗତକାଲି ରାତିରେ ସେଠାରୁ ଫେରୁଥିବା ସମୟରେ ଏହି ଘଟଣା ଘଟିଥିବା ଆହତ ତ୍ରିଲୋଚନ କହିଛନ୍ତି । ସେପଟେ ପୋଲିସ ଘଟଣାର ତଦନ୍ତ କରୁଥିବା ସୋମପେଟ୍ଟା ଥାନା ଅଧିକାରୀ ସୂଚନା ଦେଇଛନ୍ତି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ