ମୁମ୍ବାଇ: ସମ୍ପର୍କୀୟଙ୍କ ମୃତ୍ୟୁରେ ଯାଇଥିଲେ ସମବେଦନା ଜଣାଇବାକୁ । ହେଲେ ନିଜେ ହୋଇଗଲେ ମୃତ୍ୟୁର ଶିକାର । ଜଣେ ନୁହେଁ ପାଞ୍ଚ ପାଞ୍ଚ ଜଣଙ୍କ ଜୀବନ ନେଇଗଲା ଦୁର୍ଘଟଣା ରୂପୀ ରାକ୍ଷସ ।
ମହାରାଷ୍ଟ୍ର ସାଙ୍ଗଲୀରେ ନିଜ ସମ୍ପର୍କୀୟଙ୍କ ଅନ୍ତିମ ସଂସ୍କାରରେ ଯୋଗଦେବାକୁ ଯାଇଥିବାବେଳେ ସଡକ ଦୁର୍ଘଟଣାରେ 5 ଜଣଙ୍କ ମୃତ୍ୟୁ ଘଟିଛି । ଜଣେ ଗୁରୁତର ଆହତ ହୋଇଛନ୍ତି । ସାଙ୍ଗଲୀ ଅଞ୍ଚଳର ଜାରେ-ପରେକରୱାଡି ରାସ୍ତାରେ ଗାଡିଟି ଭାରସାମ୍ୟ ହରାଇ ରାସ୍ତା କଡରେ ଥିବା ଏକ କୂଅକୁ ଖସିପଡିଥିଲା । ସେପଟେ କୂଅରେ ଅଧିକ ପାଣି, ଏପଟେ ଗାଡିରୁ ବାହାରି ନପାରି ଗାଡିରେ ଥିବା 6 ଜଣଙ୍କ ମଧ୍ୟରୁ 5 ଜଣଙ୍କର ଜୀବନ ଚାଲିଯାଇଥିଲା । ଜଣେ କାଚ ଭାଙ୍ଗି ବାହାରିଥିବାବେଳେ ତାଙ୍କ ଅବସ୍ଥା ବର୍ତ୍ତମାନ ଗୁରୁତର ଥିବା ଜଣାପଡିଛି ।
ଦୁର୍ଘଟଣାରେ ମଚିନ୍ଦର ପାଟିଲ, କୁନ୍ଦାଲିକ ବରକଡେ, ଗୁଣ୍ଡା ଡୋମ୍ବଲ, ସଙ୍ଗୀତା ପାଟିଲ, ସୋଭା ପାଟିଲଙ୍କର ମୃତ୍ୟୁ ଘଟିଥିବାବେଳେ ହରିବା ୱାଘମାରେ ଗୁରୁତର ଆହତ ହୋଇଛନ୍ତି ।
6 ଜଣ ଯାକ ନିଜ ସମ୍ପର୍କୀୟଙ୍କ ଅନ୍ତିମ ସଂସ୍କାରରେ ଯୋଗ ଦେବାପାଇଁ ପରେକରୱାଡିର ଅଟପଡି ତାଲୁକାରୁ ଚିତ୍ରଲ ଯାଇଥିଲେ । ଏହି ସମୟରେ ଦୁର୍ଘଟଣା ଘଟିଛି । ରବିବାର ରାତି 10ଟାରେ ଦୁର୍ଘଟଣା ଘଟିଥିବାବେଳେ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି ଜେସିବି ସାହାଯ୍ୟରେ ଗାଡିକୁ କୂଅରୁ ଉଦ୍ଧାର କରିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ