କୋଚି: ବିଦେଶରେ ଫସି ରହିଥିବା ଭାରତୀୟଙ୍କୁ ସ୍ବଦେଶ ପ୍ରତ୍ୟାବର୍ତ୍ତନ ଅଭିଯାନ ଆରମ୍ଭ ହୋଇଛି । ଏହିକ୍ରମରେ ଆବୁଧାବିରୁ 177 ଯାତ୍ରୀଙ୍କୁ ନେଇ ଏୟାର ଇଣ୍ଡିଆ ଏକ୍ସପ୍ରେସର ପ୍ରଥମ ବିମାନ କୋଚି ବିମାନ ବନ୍ଦରରେ ପହଞ୍ଚିଛି । ଗଲ୍ଫ ଦେଶଗୁଡିକରେ ରହିଥିବା ଭାରତୀୟମାନଙ୍କୁ ଫେରାଇ ଆଣିବାକୁ କୋଚିରୁ ଆବୁଧାବି ଅଭିମୁଖେ ଯାତ୍ରା କରିଥିଲା ଏହି ବିମାନ ।
କୋଚି ବିମାନ ବନ୍ଦର ସକାଳ ଠାରୁ କଡା ସୁରକ୍ଷା ବଳୟରେ ରହିଥିଲା ଏବଂ ପରିସ୍ଥିତିକୁ ଦୃଷ୍ଟିରେ ରଖି ହେଲଥ୍ ପ୍ରୋଟୋକଲ ଅନୁଯାୟୀ ଗୁରୁବାର ଅପରାହ୍ନରେ ଏକ ମକ୍ ଡ୍ରିଲ୍ କରାଯାଇଥିଲା। ବିମାନବନ୍ଦର କମ୍ପ୍ଲେକ୍ସରେ 2,000 ରୁ ଅଧିକ ପ୍ଲାଷ୍ଟିକ୍ ଚେୟାର ରହିଛି ଏବଂ ଏକ ଡଜନରୁ ଅଧିକ କାଉଣ୍ଟର ଖୋଲାଯାଇଛି । ଫଳରେ ଆସୁଥିବା ସମସ୍ତ ଯାତ୍ରୀଙ୍କ ମଧ୍ୟରେ ସାମାଜିକ ଦୁରତ୍ବ ବଜାୟ ରହିବ ।
ଅବତରଣ କରିଥିବା ଯାତ୍ରୀଙ୍କ ମଧ୍ୟରେ 49 ଜଣ ଗର୍ଭବତୀ ମହିଳା ଏବଂ 4 ଜଣ ପିଲା ଅଛନ୍ତି | ପ୍ରୋଟୋକଲ୍ ଅନୁଯାୟୀ, ସମସ୍ତ ଗର୍ଭବତୀ ମହିଳା ଏବଂ ଶିଶୁମାନଙ୍କୁ ସେମାନଙ୍କ ଘରକୁ ପଠାଯିବ, ଯେଉଁଠାରେ ସେମାନଙ୍କୁ 14 ଦିନ ପାଇଁ କ୍ବାରେନଣ୍ଟାଇନରେ ରଖାଯିବ । ସ୍ବାସ୍ଥ୍ୟଗତ ସମସ୍ୟା ଥିବା ଲୋକଙ୍କୁ ଅଧିକ ଚିକିତ୍ସା ପାଇଁ ଡାକ୍ତରଖାନା ନିଆଯିବ ।
ଅବଶିଷ୍ଟାଂଶକୁ ନିଜ ନିଜ ଜିଲ୍ଲାର କୋରୋନା କେୟାର ସେଣ୍ଟରକୁ ନିଆଯିବ, ଯେତେବେଳେ କି କୋଭିଡ ଭଳି ଲକ୍ଷଣ ଦେଖାଗଲେ କୋରୋନା ହସ୍ପିଟାଲକୁ ପଠାଯିବ ।
@IANS