ଶ୍ରୀନଗର: ଜମ୍ମୁ-କାଶ୍ମୀରରେ ସୁରକ୍ଷାବାହିନୀଙ୍କ ଉପରକୁ ଆତଙ୍କବାଦୀଙ୍କ ଆକ୍ରମଣ । ପୋଲିସ ଓ ସିଆରପିଏଫ ଯବାନଙ୍କ ମିଳିତ ପାଟ୍ରୋଲିଂ ଟିମ ଉପରକୁ ଆତଙ୍କବାଦୀ ଆକ୍ରମଣ କରିଛି। ଆତଙ୍କୀଙ୍କ ଗୁଳିରେ ଜଣେ ପୋଲିସ ଅଧିକାରୀ ଓ 2 ଜଣ ସିଆରପିଏଫ ଯବାନ ଶହୀଦ ହୋଇଛନ୍ତି । ଏହାର ଜବାବରେ 2 ଆତଙ୍କୀଙ୍କୁ ନିପାତ କରିଛି ଭାରତୀୟ ସୁରକ୍ଷାବଳ ।
ସୋମବାର ବାରାମୁଲ୍ଲା ଜିଲ୍ଲା କ୍ରେରି ଅଞ୍ଚଳରେ ସିଆରପିଏଫର ନାକା ପାର୍ଟି ଉପରକୁ ଆତଙ୍କୀ ହମଲା ହୋଇଛି । ଆକ୍ରମଣ ପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ ଆତଙ୍କବାଦୀ । ଆକ୍ରମଣ ପରେ ସମଗ୍ର ଅଞ୍ଚଳକୁ କର୍ଡନ କରାଯିବା ସହ ସର୍ଚ୍ଚ ଅପରେସନ୍ ଜାରି ରଖିଥିଲେ ସୁରକ୍ଷାବଳ ।
ଏହି ଗୁଳି ବିନିମୟରେ ଜଣେ ସ୍ପେଶାଲ ପୋଲିସ ଅଫିସର ଶହୀଦ ହୋଇଥିବାବେଳେ ସିଆରପିଏଫ ର 119 ବାଟାଲିୟନର ଦୁଇଜଣ ଯବାନ ଆହତ ହୋଇଥିଲେ । ସେମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧିନ ଅବସ୍ଥାରେ ଦୁଇ ଯବାନ ଶହୀଦ ହୋଇଛନ୍ତି। ଏହି ଆକ୍ରମଣ ପଛରେ ଲସ୍କର-ଏ-ତୋଏବାର ହାତ ରହିଥିବା ସନ୍ଦେହ କରାଯାଉଛି ।