ଭୋପାଳ: କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାରଙ୍କ ବିରୋଧରେ ମାମଲା ରୁଜୁ। କୋରୋନା ଗାଇଡଲାଇନ ଉଲ୍ଲଂଘନ ଅଭିଯୋଗରେ ଏହି ମାମଲା ରୁଜୁ କରାଯାଇଛି। ମଧ୍ୟପ୍ରଦେଶର ଗ୍ବାଲିଅରରେ ଏକ ରାଜନୈତିକ ସଭାର ଆୟୋଜନ କରିଥିଲେ କେନ୍ଦ୍ର ମନ୍ତ୍ରୀ। ଏଥିରେ ବହୁ ସଂଖ୍ୟାରେ ତୋମାରଙ୍କ ସମର୍ଥକ ଯୋଗ ଦେଇଥିଲେ। ତେବେ ଉକ୍ତ ସଭାରେ ଖୋଲଖୋଲି ଭାବେ କୋରୋନା ଗାଇଡଲାଇନର ଉଲ୍ଲଂଘନ ହୋଇଥିଲା।
ଆଗକୁ ବିଧାନସଭା ଉପନିର୍ବାଚନ ଆସୁଛି। ଏଥିପାଇଁ ବିଭିନ୍ନ ରାଜନୈତିକ ଦଳ ପ୍ରଚାରରେ ଲାଗି ପଡ଼ିଛନ୍ତି। ତେବେ ଏଭଳି ଏକ ରାଜନୈତିକ ସଭା ପରେ ତୋମାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲେ ବିଭିନ୍ନ ନେତା ଓ ରାଜନୈତିକ ଦଳ। ଏହାକୁ ଗୁରୁତର ସହ ନେଇ ଗ୍ବାଲିଅର ହାଇକୋର୍ଟ ନରେନ୍ଦ୍ର ସିଂହ ତୋମାରଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ପାଇଁ ଆଦେଶ ଦେଇଥିଲେ। ଏନେଇ ଗ୍ବାଲିଅର ସହରର ପଡ଼ାବ ଥାନାରେ ଧାରା 438/20, 188, 269 ଓ 51ବି ନେଇ କେନ୍ଦ୍ରମନ୍ତ୍ରୀଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି।
କୋରୋନା ମହାମାରୀ ଯୋଗୁଁ ଗ୍ବାଲିଅର କିମ୍ବା ଅନ୍ୟ କୌଣସି ସ୍ଥାନରେ ରାଜନୈତିକ ସଭା ଆୟୋଜନ ଉପରେ ରୋକ ଲଗାଇଥିଲେ ହାଇକୋର୍ଟ। ତେବେ ଏହାକୁ ଅମାନ୍ୟ କରି ବିଜେପି ତଥା ଅନ୍ୟ ରାଜନୈତିକ ଦଳମାନେ ରାଜନୈତିକ ସଭା ଆୟୋଜନ କରିଛନ୍ତି। ଏହାପୂର୍ବରୁ ଅନ୍ୟ ବିଧାନସଭା ନିର୍ବାଚନ ପ୍ରାର୍ଥୀଙ୍କ ବିରୋଧରେ ମଧ୍ୟ କୋଭିଡ ନିୟମ ଉଲ୍ଲଂଘନ ନେଇ ମାମଲା ରୁଜୁ ହୋଇସାରିଛି।
ଖାଲି ବିଜେପି ନୁହେଁ କଂଗ୍ରେସ ମଧ୍ୟ ଆଗାମୀ ଉପନିର୍ବାଚନ ପାଇଁ ରାଜନୈତିକ ସଭା ଆୟୋଜନ କରି ଚାଲିଛି। ଏଥିପାଇଁ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲ ନାଥଙ୍କ ବିରୋଧରେ ମଧ୍ୟ ମାମଲା ରୁଜୁ ହୋଇଛି।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ