ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ବୃଦ୍ଧି ପାଉଥିବା ପ୍ରଦୂଷଣର ସମସ୍ୟାକୁ ଦେଖି ସ୍ଥାନୀୟ ଏଜେନ୍ସି ମାନେ ଏହି ଘଟଣାକୁ ଗମ୍ଭୀରତା ସହକାରେ ନେଇଛନ୍ତି । ସାଉଥ ଏମସିଡି ଏହିପରି ପ୍ରାୟ 548 ଲୋକଙ୍କ ବିରୋଧରେ ଅଭିଯୋଗ ଦେଇଛି । ଯେଉଁମାନେ ପ୍ରଦୂଷଣ ବୃଦ୍ଧିରେ ସାମିଲ ଅଛନ୍ତି । ସେନେଇ 10 ଜଣଙ୍କୁ ଗିରଫ ମଧ୍ୟ କରାଯାଇଛି । ଏହି ପଦକ୍ଷେପ ପୂର୍ବ ଜୋନ ପକ୍ଷରୁ କରାଯାଇଛି ।
ଡେପୁଟି କମିଶନର ଶିରିସ ଶର୍ମା କହିଛନ୍ତି ଆବର୍ଜନା ପୋଡିବା, ଫୋପାଡିବା, କନଷ୍ଟ୍ରକସନ କରିବା ଆଦି ନିୟମର ଉଲ୍ଲଙ୍ଘନ କରିବା ନେଇ ଉକ୍ତ ଲୋକଙ୍କୁ ଗିରଫ କରାଯାଇଛି । ଦିଲ୍ଲୀର ଟ୍ରାନ୍ସକୋ କମ୍ପାନୀ ଉପରେ ମଧ୍ୟ 5 ଲକ୍ଷ ଟଙ୍କାର ଜୋରିମାନା ଲଗାଯାଇଛି । ଶର୍ମାଙ୍କ କହିବାନୁସାରେ, ବର୍ତ୍ତମାନ ସମୟରେ ଦିଲ୍ଲୀରେ ପ୍ରଦୂଷଣର ମାତ୍ରା ଗମ୍ଭୀର ସ୍ତରରେ ପହଞ୍ଚିଛି ଏସବୁ ସତ୍ତ୍ବେ ଲୋକମାନେ ଆହୁରି ପ୍ରଦୂଷଣ ବୃଦ୍ଧି କରାଇବାରେ ଲାଗିଛନ୍ତି । ଯେଉଁଥିପାଇଁ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି ।
ଏଥିପାଇଁ ସ୍ପେଶାଲ ଟିମ ଗଠନ କରାଯାଇଛି । ଯେଉଁମାନେ ଏହିଭଳି କାର୍ଯ୍ୟ ଉପରେ ନଜର ରଖିବେ । ଦୀପାବଳି ପରଠାରୁ ଦିଲ୍ଲୀରେ ଏପରି ଅବସ୍ଥା ଦେଖିବାକୁ ମିଳିଛି । ଯାହାପାଇଁ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ । କିଛି ଦିନ ହେବ ରାଜଧାନୀର ପରିବେଶ ବିଶାକ୍ତ ହେବାରେ ଲାଗିଛି । ଯେଉଁଥିପାଇଁ ସୁପ୍ରିମକୋର୍ଟ ଦ୍ବାରା ନିଯୁକ୍ତ ମନିଟରିଙ୍ଗ କମିଟି ନଭେମ୍ବର 8 ପର୍ଯ୍ଯନ୍ତ ଏହିଭଳି କାର୍ଯ୍ୟ ଉପରେ ଧ୍ୟାନ ଦେବା ସହ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।