ଚେନ୍ନାଇ: ତାମିଲନାଡୁରେ ବ୍ୟାନର ପଡି ଯୁବତୀଙ୍କ ମୃତ୍ୟୁ ଘଟଣା । ଏବେ ଏହି ମାମଲାରେ AIADMK ନେତା ସି ପୋନ୍ନାୟନ ଏକ ତାମିଲ ଟିଭି ଚ୍ୟାନେଲକୁ ସାକ୍ଷାତକାର ଦେଇ କହିଛନ୍ତି ଯଦି କାହା ବିରୋଧରେ ମାମଲା ରୁଜୁ କରିବାର ଅଛି ତେବେ ପବନ ଉପରେ କରନ୍ତୁ । କାରଣ ପବନର ବେଗ ଅଧିକ ଥିବାରୁ ହିଁ ବ୍ୟାନରଟି ଗଳି ପଡି ଶୁଭଶ୍ରୀଙ୍କ ମୃତ୍ୟୁ ହୋଇଛି ।
ସି ପୋନ୍ନାୟନଙ୍କ କହିବାନୁୟାୟୀ AIADMKର କାର୍ଯ୍ୟକର୍ତ୍ତା ଜୟଗୋପାଳ ନିଜ ପୁଅ ବିବାହର ଘୋଷଣା କରିବା ପାଇଁ ଏହି ବ୍ୟାନରଟି ଲଗାଇଥିଲେ । କୌଣସି ଯୁବତୀକୁ ଆଘାତ କରିବା ତାଙ୍କ ଉଦ୍ଦେଶ୍ୟ ନଥିଲା । ଦୂର୍ଭାଗ୍ୟ ବଶତଃ ପବନର ବେଗ ଅଧିକ ଥିବାରୁ ହିଁ ଏହି ଦୁର୍ଘଟଣା ଘଟିଛି । ତେବେ ଏଥିରେ କାହାର ବି ଭୁଲ ନାହିଁ, ଯଦି ମାମଲା ରୁଜୁ କରିବାର ଅଛି ତେବେ ପବନ ବିରୁଦ୍ଧରେ କରନ୍ତୁ । ତାଙ୍କର ଏପରି ବୟାନ ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।
DMK ପ୍ରବକ୍ତା ସର୍ବାନନ ଅନ୍ନଦୁରାଇ କହିଛନ୍ତି ପୋନ୍ନାୟନଙ୍କ ଏହି ବୟାନ AIADMKର ଅସମ୍ବେଦନଶୀଳତା ଦର୍ଶାଉଛି । ଏବେ ସୁଦ୍ଧା ଦଳର କୌଣସି ନେତା ମୃତ ଶୁଭଶ୍ରୀଙ୍କ ଘରକୁ ସାନ୍ତ୍ବନା ଦେବା ତ ଦୂରର କଥା ବରଂ ଏପରି କହି ଶୁଭଶ୍ରୀଙ୍କ ମୃତ୍ୟୁର ମଜାକ ବନାଉଛନ୍ତି ।
ଏଠାରେ ସୂଚନାଥାଉଯେ, ଗତ ସେପ୍ଟେମ୍ବର 12 ତାରିଖରେ ଏଆଇଏଡିଏମକେର କାର୍ଯ୍ୟକର୍ତ୍ତା ଶ୍ରୀ ଜୟଗୋପାଳ ପଲ୍ଲୀକରନଇ ଠାରେ ନିଜ ପୁଅ ବିବାହ ପାଇଁ ନେତାଙ୍କ ସ୍ବାଗତ ନିମନ୍ତେ ଏକ ବେଆଇନ ବ୍ୟାନର ଲଗାଇଥିଲେ । ଅପରାହ୍ନ ସମୟରେ ପଲ୍ଲୀକରନଇ ଠାରେ ଶୁଭଶ୍ରୀ ନାମକ ଏକ ମହିଳା ସ୍କୁଟିରେ ଯାଉଥିଲେ । ଏହି ସମୟରେ ଶୁଭଶ୍ରୀଙ୍କ ଉପରେ ବ୍ୟାନଟି ପଡିଯାଇଥିଲା । ଏହାପରେ ସେ ଗାଡିରୁ ପଡିଯିବା ପରେ ପଛପଟୁ ଆସୁଥିବା ଏକ ଟ୍ରକ ତାଙ୍କୁ ଚାପି ଦେଇଥିଲା । ଫଳରେ ଘଟଣା ସ୍ଥଳରେ ଶୁଭଶ୍ରୀଙ୍କ ମୃତ୍ୟୁ ଘଟିଥିଲା । ତେବେ ଏହି ଘଟଣା ପରେ ଜୟଗୋପାଳଙ୍କୁ ପୋଲିସ ଗିରଫ କରିଛି ।